ଗଭୀର ତମସା ତଳେ

 

 

 

 

 

 

 

 

 

 

 

ଗଭୀର ତମସା ତଳେ

(ରହସ୍ୟ ଉପନ୍ୟାସ)

 

ଆଶୁତୋଷ ରାୟ

 

 

 

 

 

 

 

 

 

 

 

ମୋର କନ୍ୟା

ସୁବୁ, ଉଷୁ ଓ ଚିନୁକୁ ଦେଲି....

 

–ଲେଖକ–

 

ଏଇ ଲେଖକଙ୍କର ଅନ୍ୟ ସମସ୍ତ ରୋମାଞ୍ଚକାରୀ ଉପନ୍ୟାସ

 

୧.

ଦସ୍ୟୁ ମାନସିଂହ

୨.

ସୁନ୍ଦର ବନର ଦସ୍ୟୁ

୩.

ରଙ୍ଗକୋଠିର ରହସ୍ୟ

୪.

ମୌନ ପାହାଡ଼ର ବିଭୀଷିକା

୫.

ହାଇଦ୍ରାବାଦର ଷଡ଼ଯନ୍ତ୍ର

୬.

ପାଷାଣପୁରୀର ଯକ୍ଷ

୭.

ଭଗ୍ନ ସ୍ତୁପର ଗୁପ୍ତକଥା

୮.

ବହ୍ନି ବଳୟ

୯.

ତିମିର ବନ୍ୟା

୧୦.

ପ୍ରେତାତ୍ମାର ପ୍ରତିହିଂସା

୧୧.

କାୟାହୀନର କାହାଣୀ

୧୨.

ଫାଶୀମଞ୍ଚରେ ଶପଥ

Image

 

ଏକ

 

ପଣ୍ଡିତ ଧୁଜଟୀ ପ୍ରସାଦ ଶର୍ମା, ଜ୍ୟୋତିଷାର୍ଣ୍ଣବ, ଏଫ, ଏନ.ଏ. ଏସ୍ ।

 

ଉପରୋକ୍ତ ଭୟାବହ ନାମର ଯେ ଅଧିକାରୀ, ସେ କିନ୍ତୁ ଆଦୌ ସେପରି ଭୀତି ସଞ୍ଚାରକ ବ୍ୟକ୍ତି ନୁହେଁ । କଟକ ସହରର ବଣିଆ ସାହି ଗଳିରେ ଦୁଇ ବଖରିଆ ଖଣ୍ଡିଏ ପୁରୁଣା ଓ ଭଙ୍ଗା ଚାଳଘରେ ସେ ବାସ କରେ । ଘରଟିର ଭଙ୍ଗା ବାରଣ୍ଡା ଉପରେ ଗୋଟିଏ ବୁଲା ଷଣ୍ଢ ବାସ କରେ । ଦିନସାରା ସହରରେ ବିଭିନ୍ନ ଗଳି କନ୍ଦିରେ ଚରିବୁଲି ପ୍ରତିଦିନ ସଞ୍ଜବେଳେ ଷଣ୍ଢଟି ସେଇ ସ୍ଥାନକୁ ଫେରିଆସେ । ରାତିସାରା ହଗି, ମୂତି ସ୍ଥାନଟିକୁ ସମ୍ପୂର୍ଣ୍ଣ ଗୋଟିଏ ଗୁହାଳରେ ପରିଣତ କରି ଅତି ପ୍ରତ୍ୟୁକ୍ଷରୁ ସେ ପୁଣି ବାହାରି ଯାଏ । ଧୂର୍ଜଟୀ କେତେଥର ରାତିରେ ଷଣ୍ଢଟାକୁ ମାରି ଘଉଡ଼ୋଇ ଦେବାକୁ ଚେଷ୍ଟା କରିଛି । କିନ୍ତୁ ଜନ୍ତୁଟାର ଉଗ୍ରମୂର୍ତ୍ତି ଦେଖି ଓ ପ୍ରଚଣ୍ଡ ଆପତ୍ତି ବାଚକ ଫଁ ଫଁ ଶବ୍ଦ ଶୁଣି, ଭୟରେ ସେ ଚେଷ୍ଟାରୁ କ୍ଷାନ୍ତ ହୋଇଛି ।

 

ଧୂର୍ଜଟୀର ପେଷା ହେଉଛି ମଣିଷର ଭବିଷ୍ୟତ ଗଣନା କରିବା । ମଣିଷର କର, କପାଳ ବା କୋଷ୍ଠି– ଯେ କୌଣସି ଗୋଟିଏ ଦେଖି ଅନର୍ଗଳ ଭାବରେ ଭବିଷ୍ୟତର ଅଦୃଶ୍ୟ ଘଟଣାବଳୀ କହିଯାଇପାରେ । ଏ ଭଙ୍ଗା ଘରଟିରେ ସେ ଏକା ବାସ କରେ । ଦୁନିଆର କୌଣସି ପ୍ରାନ୍ତରେ ତା’ର ଆଉ କେହି ଆତ୍ମୀୟ ସ୍ଵଜନ ଅଛନ୍ତି କି ନାହିଁ ଏକଥା ଜାଣିବାକୁ କେହି କେବେ ଚେଷ୍ଟା କରିନାହିଁ । ଭଙ୍ଗା ଘରଟା ସାମନାରେ ବିରାଟ ଗୋଟାଏ ସାଇନ୍ ବୋର୍ଡ ଟଙ୍ଗା ହୋଇଛି । ଏଇ ଏଫ୍. ଏନ୍. ଏ. ଏସ୍. ଉପାଧିଟିର ପ୍ରକୃତ ଅର୍ଥ କେହି ଜାଣି ନ ଥିଲେ । କଥା ପ୍ରସଙ୍ଗରେ ଜ୍ୟୋତିଷାର୍ଣ୍ଣବ ନିଜେ ଦିନେ ତାହା ବୁଝାଇ ଦେଇଥିଲେ । ତାହାର ଅର୍ଥ ହେଉଛି “ଫେଲୋ ଅଫ୍ ନ୍ୟାସନାଲ ଏଷ୍ଟ୍ରୋଲଜିକାଲ ସୋସାଇଟି ।” ଏପରି ଏକ ଫେଲୋସିପ୍ ସେ କେଉଁଠାରୁ ଲାଭ କରିଥିଲା ସେ କଥା ଅବଶ୍ୟ ସେ କାହାକୁ କହିନାହିଁ ।

 

ଲକଲକିଆ ଧେଡ଼େଙ୍ଗା ଲୋକଟା । ଚେହେରା ଦେଖି ବୟସ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ । ତା’ର ବୟସ ପଇଁତ୍ରିଶଠାରୁ ପଞ୍ଚାବନ– ଯେ କୌଣସି ବର୍ଷ ହୋଇପାରେ । ମୁହଁରେ ଅନିର୍ବାଣ ବିଡ଼ିଟି ଲାଗିରହିଥାଏ । ପରିଧାନରେ ଖଣ୍ଡିଏ ମଇଳା ଧୋତି ଏବଂ ଦେହରେ ଖଣ୍ଡିଏ ତତୋଃଧିକ ମଇଳା ନାମାବଳୀ– ଏହାହିଁ ଧୂର୍ଜଟୀ ଶର୍ମାର ଚିରନ୍ତନ ରୂପ । ପ୍ରତିଦିନ ଅତି ପ୍ରତ୍ୟୁଷରେ ସ୍ନାନ ସମାପନ କରି ଓ ସାମନା ଚାହା ଦୋକାନରୁ ଖଣ୍ଡିଏ ପାଉରୁଟି ଓ ବଡ଼ ଗିଲାସେ ଚାହା ସେବନ କରି ଧୂର୍ଜଟୀ ତା’ର ଅପରିଚ୍ଛନ୍ନ ବାରଣ୍ଡା ଉପରେ ଖଣ୍ଡିଏ ମଶିଣା ପାରି ବସେ । ମୁଣ୍ଡରେ ଗୋଟିଏ ବଡ଼ ଚନ୍ଦନ ଟୋପା ମାରି ଗୋଟିଏ ରୁଦ୍ରାକ୍ଷ ମାଳା ଗଳାରେ ଝୁଲାଇ ଦିଏ । ତା’ପରେ ଦେହରେ ଖଣ୍ଡିଏ “ନାମାବଳୀ” ଘୋରି ହୋଇ ସେ ଶୀକାର ଅପେକ୍ଷାରେ ବସିରହି ଗୋଟିଏ ପରେ ଗୋଟିଏ ବଡ଼ ଧ୍ଵଂସ କରୁଥାପ । ପାଖରେ ଗଦାଏ ବହି ଓ ଖଣ୍ଡିଏ ବଡ ସିଲେଟ ଥାଏ । ବହିଗୁଡ଼ିକ ହେଲା ପାଞ୍ଜି, ଖଣ୍ଡିଏ “ହନୁମାନ ପ୍ରଶ୍ନ” ଓ ଆଉ କେତେଖଣ୍ଡି ବିଭିନ୍ନ କବିରାଜ ଦୋକାନର ଔଷଧ ତାଲିକା । ବହି ଥାକଟିର କଳେବର ବଢ଼ାଇବା ପାଇଁ ଥାକ ତଳେ କେତେ ଖଣ୍ଡି ପୁରୁଣା ରେଲଓୟେ ଟାଇମ ଟେବୁଲ, ଉତ୍କଳ ପ୍ରସଙ୍ଗ ଓ ସୋଭିଏତ୍ ଦେଶ ମଧ୍ୟ ଥାଏ ।

 

ସାଧାରଣତଃ ଅଧିକ ବ୍ୟକ୍ତି ଧୂର୍ଜଟୀ ଶର୍ମା ନିକଟକୁ ସେମାନଙ୍କର ଭବିଷ୍ୟତ ଗଣନା କରିବାକୁ ଆସନ୍ତି ନାହିଁ । ଯଦି କୌଣସି ପଲ୍ଲୀ ଅଞ୍ଚଳରେ ଲୋକ ତା’ର ଏପରି ବିଚିତ୍ର ରୂପରେ ଆକୃଷ୍ଟ ହୋଇ ନିଜର ଭବିଷ୍ୟତ ଜାଣିବା ପାଇଁ ଚାଲି ଆସନ୍ତି ତେବେ ଧୂର୍ଜଟୀ ତା’ର ବିଶ୍ଵାସ ଜନ୍ମାଇବା ପାଇଁ ବହୁବିଧ ପରୀକ୍ଷା କରିବାକୁ ଲାଗିଯାଏ । ତା’ର ଡାହାଣ ହାତ ପାପୁଲିରେ କଳା ବୋଳି ଖଣ୍ଡିଏ ଧଳା କାଗଜ ଉପରେ ତା’ର ଛାପା ଉଠାଏ । ତା’ ପରେ ସେଇ ପାପୁଲିର ଛାପାକୁ ଖଣ୍ଡିଏ “ମେଗ୍‌ନି ଫାଇଙ୍ଗ୍‌” ଗ୍ଲାସ ଭିତର ଦେଇ ବହୁକ୍ଷଣ ପର୍ଯ୍ୟନ୍ତ ପରୀକ୍ଷା କରୁ କରୁ ସ୍ଳେଟ ଉପରେ ବହୁ ଯୋଗ ବିୟୋଗର ଚିହ୍ନ ଦେଇ ବହୁ ଅଙ୍କ କଷେ । ତା’ ପରେ ଗୋଟିଏ ନଈର ନା’ ଓ ଗୋଟିଏ ଫୁଲର ନା’ ପରେ । ପୁରୁଣା ପାଞ୍ଜିରେ ପୃଷ୍ଠା ଓଲଟାଇ କ’ଣ ଦେଖେ । ତା’ ପରେ ଟିକିଏ ମୁରୁକି ହସି ଭବିଷ୍ୟତର ଘଟଣାବଳୀ ଅନର୍ଗଳ କହିଯାଏ । ସାଧାରଣତଃ ସେ ଗୁଡ଼ିକ ସବୁ ଭଲକଥା । କିଏ ସୁନଶ୍ଚିତ ଭାବରେ ଧନଲାଭ କରିବତ କିଏ ନିଶ୍ଚୟ ପରୀକ୍ଷାରେ ପାସ୍‌ କରିବ ତ କେହି ମକଦ୍ଦମାରେ ଅବଶ୍ୟ ଜୟଲାଭ କରିବ । ସେ କିନ୍ତୁ ବାରମ୍ବାର ଚେତେଇ ଦେଉଥାଏ ଯେ ଏ ସୁଫଳ ଗୁଡ଼ିକ ଅଦୂର ଭବିଷ୍ୟତରେ ଘଟିପାରେ ବା କେତେକ ବର୍ଷପରେ ଘଟିପାରେ ତାହା କୌଣସି ଜ୍ୟୋତିଷ କହିବା ସମ୍ଭବ ନୁହେଁ । ସେପରି ଯେ କହେ– ସେ ହେଉଛି ମହା ଭଣ୍ଡ । ମଣିଷ ଜୀବନରେ ଦେବଲୋକଙ୍କର ନିର୍ଦ୍ଦେଶମାନ ମର୍ତ୍ତ୍ୟ ଲୋକର କ୍ୟାଲେଣ୍ଡରରେ ଧରାଯାଏ ନାହିଁ ।

 

ଏହିପରି ସେ କିଛିକିଛି ରୋଜଗାର କରେ । ଆଜିକି କେତେକ ବର୍ଷ ହେଲା ଏହାହିଁ ବେଉଛି ପଣ୍ଡିତ ଧୂର୍ଜଟୀ ଶର୍ମାର ଦୈନନ୍ଦିନ ଜୀବନ । ଅଧିକାଂଶ ପଥଚାରୀ ଲୋକଟିକୁ ଲକ୍ଷ୍ୟ କରନ୍ତି ନାହିଁ । ସମ୍ପୂର୍ଣ୍ଣ ଆତ୍ମୀୟ ସ୍ଵଜନହୀନ ହେଲେ ମଧ୍ୟ ଧୂର୍ଜଟୀ ପଣ୍ଡିତର ଅପରିଚ୍ଛନ୍ନ ଭଙ୍ଗା ଘରଟି ସମ୍ପୂର୍ଣ୍ଣ ନୀରବ ନୁହେଁ । ସଡ଼କର ଗୋଟିଏ ପୋଲତଳେ ଗୋଟାଏ ବୁଲା କୁକୁରୀ ଆଠଟି ଶାବକ ପ୍ରସବ କରିଥିଲା । ଧୂର୍ଜଟୀ ଦୟା ପରବଶ ହୋଇ ସେ ଆଠଟିଜାକ ଶ୍ଵାନ ଶାବକ ଓ ସେମାନଙ୍କର ଜନନୀକୁ ଆଣି ଘରେ ସ୍ଥାନ ଦେଇଛନ୍ତି । ଶ୍ଵାନ ଶିଶୁଗୁଡ଼ିକ ଏ ପର୍ଯ୍ୟନ୍ତ ନାବାଳକ । ଯଥେଷ୍ଟ ବୁଦ୍ଧି ହୋଇନାହିଁ । ସେମାନେ ଧୂର୍ଜଟୀର ଶୋଇବା ଘରେ ମଳମୁତ୍ର ତ୍ୟାଗ କରି ଦିନସାରା କଳରବ କରୁଥାନ୍ତି । ସେଥିରେ ଧୂର୍ଜଟୀର କୌଣସି ଅସୁବିଧା ହୁଏ ନାହିଁ । ଘର ଅଗଣାରେ ଖଣ୍ଡେ କାଠ ପଟା ପଡ଼ିଥିଲା । ସେଇଟିକୁ ତଳେ ପକାଇ ସେ ରାତିରେ ଶୟନ କରେ । ତା’ ପରଦିନ ସକାଳେ ପଟାଟି ଉଠାଇ କାନ୍ଥଟିକୁ ଡେରିଦିଏ ।

 

କେବଳ ପଶୁ ନୁହେଁ– ଧୂର୍ଜଟୀ ଗୋଟିଏ ପକ୍ଷୀ ମଧ୍ୟ ପୋଷିଛି । ଗୋଟିଏ ବଡ଼ ପଞ୍ଜୁରୀରେ ସେ ଗୋଟିଏ ଡାମରା କାଉ ପୋଷିଛି । ଥରେ ସେ ଅରମା ବଣ ପୂର୍ଣ୍ଣ ତା’ର ଅଗଣା ମଝିରେ ବସି ଖରା ପୋହୁଁ ଥିଲା । କେମିତି କେଜାଣି, ଗୋଟାଏ ଯୁଦ୍ଧରତ ଡାମରା କାଉ ପ୍ରତିପକ୍ଷର ଆକ୍ରମଣରେ ପରାସ୍ତ ହୋଇ ତା’ରି ଅଦୂରରେ ଭୂପତିତ ହେଲା । ଧୂର୍ଜଟୀ ସେ କାଉଟାକୁ ଧରିପକାଇଲା । ତାପରେ ବଜାରରୁ ଗୋଟିଏ ବଡ଼ ପଞ୍ଜୁରୀ କିଣି ଆଣି ତାକୁ ରଖିଲା । ବହୁଦିନ ପର୍ଯ୍ୟନ୍ତ କାଉଟା ପଞ୍ଜୁରୀ ଭିତରେ ଅନବରତ ଫଡ୍ ଫଡ୍ ହେଉଥିଲା । ଏବେ ସେ ଶାନ୍ତ ହୋଇଛି । କେହି ପଚାରିଲେ ସେ କହେ–ମୁଁ ଏବେ କାକ ଚରିତ ଗବେଷଣା କରୁଛି ।

 

ଏହିପରି ଗୋଟାର ଅତି ନିରୀହ ଓ ଅଖ୍ୟାତ ଲୋକ ଯେ ରାତାରାତି ଏତେଦୂର ବିଖ୍ୟାତ ହୋଇ ଉଠିବ ଏ କଥା କେହି କଳ୍ପନା କରି ପାରି ନଥିଲେ । ହଠାତ୍ ହେ ସେ କେବଳ ପୁଲିସି ମହଲର କେନ୍ଦ୍ର ବିନ୍ଦୁ ହୋଇପଡ଼ିଲା ସେତିକି ନୁହେଁ– ସାମ୍ବାଦିକ ଓ ପ୍ରେସ ଫଟୋଗ୍ରାଫରମାନେ ବଣିଆ ସାହିର ଏଇ ଭଙ୍ଗା ଘରଟିକୁ ଦିନରାତି ଧାଇଁବାକୁ ଲାଗିଲେ । କଥାଟା ହେଉଛି ଏହିପରି–

 

ସେଦିନ ରାତିରେ ଝିପି ଝିପି ହୋଇ ବର୍ଷା ପଡ଼ୁଥିଲା । ବଣିଆ ସାହି ଗଳିରେ ଅନ୍ଧାରୁଆ ସଡ଼କଟି ସମ୍ପୂର୍ଣ୍ଣ ଜନହୀନ । ଧୂର୍ଜଟୀ ଶର୍ମା ପାଖ ଚାହା ଦୋକାନରୁ ସଞ୍ଜ ପୂର୍ବରୁ କେତେଖଣ୍ଡି ପାଉଁରୁଟି କିଣି ଆଣିଥିଲା । ରାତ୍ରି ଭୋଜନ ଶେଷରେ ସେ ଘରଭିତରେ ପଟାଟି ପକାଇ ତା’ ଉପରେ ବସିଥିଲା । କୁକୁରୀର ଦେହରୁ କେତେଗୁଡ଼ିଏ ଟିଙ୍କ ବାଛିସାରି ଶ୍ଵାନଶିଶୁ ଗୁଡ଼ିକ କୋଳରେ ବସାଇ ଗେହ୍ଲା କରୁଥିଲା । ଘରଭିତରେ ଗୋଟିଏ ଡିବି ଜଳୁଛି । ବର୍ଷାରାତିରେ ଶୀତ ହେଉଛି । କୁକୁର ଛୁଆ ଗୁଡ଼ିକ କୋମଳ ଓ ଉଷୁମ । ଏଇ ଶୀତ ରାତିରେ ସେ ଛୁଆଗୁଡ଼ିକ କୋଳରେ ଶୁଆଇଲେ ଉଷୁମ ଲାଗିବ ।

 

ଘରଭିତରେ ମୂଷାଗୁଡ଼ାକ ବହୁତ ଗାଡ଼ କଲେଣି । ରାତିରେ ସେଗୁଡ଼ିକ ଘରସାରା ଦୌଡ଼ା ଦୌଡ଼ି କରନ୍ତି । ନିଦରେ ଶୋଇଥିବା ବେଳେ ଧୂର୍ଜଟୀ ଉପରେ ମଧ୍ୟ ଚଢ଼ି ଯା’ନ୍ତି । କେତେଥର ସେ ଚମକି ଉଠି ପଡ଼ିଛି । ମୂଷାମରା ଔଷଧ ଆଣି ଏଗୁଡ଼ାକୁ ଧ୍ଵଂସ କରିବାକୁ ହେବ । ରାତି କ୍ରମେ ଅଧିକ ହେଲା । ଧୂର୍ଜଟୀକୁ ନିଦ ମାଡ଼ିଲାଣି । ଆଉ ଖଣ୍ଡିଏ ବିଡ଼ି ଖାବସାରି ସେ ଡ଼ିବି ନିଭାଇ ଶୋଇବ ।

 

ହଠାତ୍ ଦୁଆର ଖୋଲିଗଲା । ଧୂର୍ଜଟୀ ଚାହିଁଦେଇ ଯାହା ଦେଖିଲା ସେଥିରେ ସେ ଅତିଶୟ ଆଶ୍ଚର୍ଯ୍ୟ ହେଲା । ଏପରି ଘଟଣା ସମ୍ପୂର୍ଣ୍ଣ ଅଭାବନୀୟ । ସେ ସ୍ୱପ୍ନ ଦେଖୁନାହିଁ ତ !!

 

ଗୋଟିଏ ଅତି ସୁନ୍ଦରୀ ତରୁଣୀ ଓ ଆଧୁନିକା ହଠାତ୍ ଘରଭିତରକୁ ପଶି ଆସିଲା । ତା’ ପରେ ଘରର କବାଟଟି ଭିତରୁ ବନ୍ଦକରି ସେ ଧୂର୍ଜଟୀ ନିକଟକୁ ଆସିଲା । ନାରୀର ରୂପ ବିଷୟରେ ଧୂଜଟୀ ତା’ ଜୀବନରେ କେବେହେଲେ ଗବେଷଣା କରିନାହିଁ । କିନ୍ତୁ ନାରୀର ରୂପ ଯେ ଏତେ ଉଜ୍ଜ୍ୱଳ ଓ ଦୀପ୍ତିମୟ ହୋଇପାରେ ସେ କଥା ଧୂର୍ଜଟୀ ଜାଣି ନଥିଲା । ତରୁଣୀଟିର ସର୍ବାଙ୍ଗରେ ରୂପ ଓ ଯୌବନ ଯେପରି ଉଛୁଳି ପଡ଼ୁଛି । କିନ୍ତୁ ମୁଖ ମଣ୍ଡଳରେ ଦାରୁଣ ଭୀତିର ଛାଇ । ଧୂର୍ଜଟୀ ନିର୍ବାକ ହୋଇ ଅନାଇ ରହିଲା । କୌଣସି ଭୂମିକା ନକରି ତରୁଣୀଟି ଭୀତି ବିହ୍ଵଳ କଣ୍ଠରେ କହିଲା–ମୁଁ ବଡ଼ ବିପଦରେ ପଡ଼ିଛି । ମୋତେ ସେମାନେ ମାରି ପକାଇବେ । ଆପଣ ଦୟାକରି ମୋତେ ବଞ୍ଚାନ୍ତୁ, ଜ୍ୟୋତିଷ ମହାଶୟ !

 

ତରୁଣୀଟି ପ୍ରକୃତରେ କ’ଣ ଚାହୁଁଛି ଧୂଜଟୀ କିଛି ବୁଝି ପାରିଲା ନାହିଁ । ତା’କୁ ଟିକିଏ .ବସିବାକୁ କହିବାପାଇଁ ମଧ୍ୟ ସେ ଘରେ ସ୍ଥାନ ନାହିଁ । କୁକୁର ଛୁଆଗୁଡ଼ିକ କୋଳ ଉପରେ ଓହ୍ଳାଇ ଦେଇ ସେ ଉଠି ଛିଡ଼ା ହେଲା । ବିନୀତ କଣ୍ଠରେ କହିଲା– ମୁଁ ଆପଣଙ୍କୁ କିପରି ଭାବରେ ସାହାଯ୍ୟ କରିପାରେ ମେମ ସାହେବ ?

 

ତରୁଣୀଟି ତା’ର ହାତବ୍ୟାଗ ଭିତରୁ ଦୁଇଖଣ୍ଡି ଦଶଟଙ୍କିଆ ନୋଟ କାଢ଼ି ଧୂଜଟୀ ହାତରେ ଦେଇଦେଇ କହିଲା– ମୁଁ ଏହିଠାରେ ଲୁଚି ରହିବି । ଏପରି ସ୍ଥାନରେ ମୁଁ ଅଛି ବୋଲି ସେମାନେ ସନ୍ଦେହ କରିବେ ନାହିଁ । ଗୋଟାଏ ମଟର କାରରେ ସେମାନେ ମୋତେ ଅନୁସରଣ କରୁଛନ୍ତି । ସେ ଗାଡ଼ିର ନମ୍ବର ମୁଁ ଏହି କାଗଜ ଖଣ୍ଡିକରେ ଲେଖିରଖିଛି । ଆପଣ ଅତି ଶୀଘ୍ର ଯାଇ ପୁଲିସକୁ ଜଣାନ୍ତୁ । ସେମାନେ ଆସି ମୋତେ ବଞ୍ଚାଇବେ ଆପଣ ଯାନ୍ତୁ । ଆଉ ବିଳମ୍ବ କରନ୍ତୁ ନାହିଁ-। ମୋତେ ବଞ୍ଚାଇଲେ ମୁଁ ଆହୁରି ଟଙ୍କା ଆପଣଙ୍କୁ ଦେବି । ଆପଣ ଦୟାକରି ଶୀଘ୍ର ଯାନ୍ତୁ-

 

ମନ୍ତ୍ର ମୁଗ୍‌ଧ ପରି ଧୂଜଟୀ ନୋଟ ଗୁଡ଼ିକ ଓ କାଗଜ ଖଣ୍ଡିକ ନେଇ ଅଣ୍ଟାରେ ଗୁଞ୍ଜିଲା । ତା’ପରେ ଦୁଆର ଖୋଲି ଧୀରେ ଧୀରେ ବାହାରି ଗଲା ।

 

ଏତେ ଗଭୀର ବର୍ଷାରାତିରେ ମଧ୍ୟ ଏସ. ପି. ମି: ରଞ୍ଜନ ଦାସ ନିଜ ଅଫିସରେ ବସି ସହିତ କେତେକ ମୁଖିଆ ଓ କରିତ୍ କର୍ମୀ ପୁଲିସ ଅଫିସରମାନଙ୍କୁ ସହିତ ଏକ ଜରୁରୀ ଆଲୋଚନାରେ ବ୍ୟସ୍ତ ଅଛନ୍ତି । ରାଜ୍ୟର ପୁଲିସ ବିଭାଗ ଏବେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଗତ ଏକମାସ ଭିତରେ ସହରରେ କେତୋଟି ଅତି ନିର୍ମମ ହତ୍ୟକାଣ୍ଡ ଓ ତା’ ସଙ୍ଗେ ଅତି ରହସ୍ୟ ଜନକ ଚୋରି ହୋଇଯାଇଛି । ସବୁ ଚୋରି ଓ ହତ୍ୟାକାଣ୍ଡ ଗୁଡ଼ିକ ଏତେ ରହସ୍ୟଜନକ ସେ ପୁଲିସ ବା ଗୋଇନ୍ଦା ବିଭାଗ ସେ ଗୁଡ଼ିକର କୌଣସି ସୂତ୍ର ଆବିଷ୍କାର କରିପାରୁ ନାହାନ୍ତି । ବହୁ ମୂଲ୍ୟବାନ ହୀରା ଓ ଜହରତ ଚୋରି ହୋଇଗଲାଣି । ରାଜସ୍ଥାନର ଜଣେ ବଡ଼ ଜହୁରୀ ଶେଠ ପୋପାତ୍‌ଲାଲ କଟକ ଆସି ସିଟି ହୋଟେଲର ଗୋଟିଏ ଫ୍ଲାଟ୍‌ରେ ରହିଥିଲେ ସିଟି । ହୋଟେଲେ ଗୋଟିଏ ଅତି ସୁରକ୍ଷିତ ଓ ବଡ଼ ହୋଟେଲ । ଶେଠ ପୋପତଲାଲ ଭିତର ପଟୁ ଦୁଆର ଖୁବ ଭଲ ଭାବରେ ବନ୍ଦ କରି ରାତିରେ ଶୋଇଲେ । ସକାଳେ ହୋଟେଲର ବୟ ସକାଳର ଚାହା ଧରି କବାଟରେ କରାଘାତ କଲା । କିନ୍ତୁ ଦୁଆର ଖୋଲାରହିଛି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଭିତରକୁ ପଶିଯାଇ ସେ ଭୟରେ ଚିତ୍କାର କରି ଉଠିଲା । ଶେଠଜୀଙ୍କର ରକ୍ତାକ୍ତ ଦେହ ଭୁଇଁରେ ଲୋଟୁଛି । ବଡ଼ ଖଣ୍ଡିଏ ଛୁରୀ ତାଙ୍କ ଛାତିରେ ଭୁଷା ହୋଇଛି । ଆଉ ପ୍ରାୟ ଦୁଇଲକ୍ଷ ଟଙ୍କା ମୂଲ୍ୟର ହୀରା ଅପହୃତ ହୋଇଛି ।

 

ଆଉ ଗୋଟିଏ ଘଟଣାରେ ବିଖ୍ୟାତ ଅଭିନେତ୍ରୀ କନକ ଲତା ଷ୍ଟୁଡ଼ିଓରୁ ଫେରୁଥିବା ବେଳେ ବାଟରେ ତାର ନିଜ ମଟର କାର ଭିତରେ ତାକୁ ହତ୍ୟା କରାହୋଇଛି । କନକଲତା ଗାଡ଼ିରେ ଏକା ଆସୁଥିଲା ଓ ସେ ନିଜେ ଗାଡ଼ି ଚଳାଉଥିଲା । ତାକୁ ମଧ୍ୟ ସେହିପରି ଛାତିରେ ଛୁରୀ ଭୁଷି ହତ୍ୟାକରା ହୋଇଥିଲା । ଗୋଟିଏ ମୂଲ୍ୟବାନ ହୀରା ହାର ବେକରୁ ଦୁର୍ବୃତ୍ତମାନେ ନେଇ ଯାଇଥିଲେ । ଏହିପରି ଆହୁରି କେତୋଟି ଘଟଣା ଘଟିବା ପରେ ଅବଶେଷରେ ଯାହା ଘଟୁଛି ସେଥିରେ ପୁଲିସ ବିଭାଗ ସମ୍ପୂର୍ଣ୍ଣରୂପେ ବିଚଳିତ ହୋଇଉଠିଛନ୍ତି । ତେହେରାନ୍‍ର ଜଣେ ସୁଲତାନ ସପରିବାରରେ ସର୍କାର ଅତିଥି ଭାବରେ ଭାରତ ଗସ୍ତରେ ଆସିଥିଲେ । କଟକକୁ ଆସି ସେମାନେ ସର୍କାର ଅତିଥି ଭବନରେ ଅବସ୍ଥାନ କରୁଥିଲେ । ସେହିଠାରେ ଗୋଟିଏ ଶର୍କାର ଭୋଜି ଆୟୋଜିତ ହୋଇଥିଲା । ସୁଲତାନ ନନ୍ଦିନୀ ସାୟରାବାନୁ ସେ ସଭାରେ ଉପସ୍ଥିତ ଥିଲେ । ଗୋଟିଏ ଅତି ମୂଲ୍ୟବାନ ଓ ଅଧୁନା ଦୁର୍ଲଭ ହୀରା ନେକଲେସ ତାଙ୍କ ଗଳାରେ ଶୋଭା ପାଉଥିଲା-। ବହୁ ଉଚ୍ଚ ପୁଲିସ କର୍ମଚାରୀ ମଧ୍ୟ ସେ ସଭାରେ ଉପସ୍ଥିତ ଥିଲେ । ନାଚ ଓ ଗୀତ ମଝିରେ ହଠାତ୍ ବିଜୁଳିବତୀ ଲିଭିଗଲା । ମାତ୍ର ପାଞ୍ଚ ମିନିଟ । ତା’ ପରେ ପୁଣି ଆଲୁଅ ଜଳି ଉଠିଲା । ସେଇ ଅଳ୍ପ ସମୟ ଭିତରେ ଏ ଦୁର୍ଘଟଣା ଘଟିଗଲା । ସାୟରାବାନୁ ଚୈତନ୍ୟ ହୀନ ହୋଇ କାର୍ପେଟ ଉପରେ ଲୋଟୁଛି । ତୀବ୍ର କ୍ଲରୋଫର୍ମର ଗନ୍ଧ । ତା ବେକରେ ଥିବା ଅତି ମୂଲ୍ୟବାନ ହୀରା ଅପହୃତ ହୋଇଛି । ଯଥାବିଧି ଚିକିତ୍ସା ପରେ ତରୁଣୀ ସାୟରାର ଜ୍ଞାନ ଫେରି ଆସିଲା । କିନ୍ତୁ ସେ ଏ ଦୁର୍ଘଟଣା ବିଷୟରେ କୌଣସି ଆଲୋକ ପାତ କରି ପାରିଲା ନାହିଁ । ଅନ୍ଧକାର ଭିତରେ କେହିଜଣେ ହଠାତ୍ ତା’ ନାକ ଉପରେ କ୍ଳରୋଫର୍ମ ଦିଆ ରୁମାଲ ଖଣ୍ଡିଏ ଚାପି ଧରିଲା । ସେ କୌଣସି ଚିତ୍‌କାର ମଧ୍ୟ କରି ପାରିଲା ନାହିଁ । ତା’ ପରେ ତା’ର ଚୈତନ୍ୟ ଲୋପ ହେଲା । ଆଉ ସେ କିଛି ଜାଣି ପାରି ନାହିଁ ।

 

ଖଣ୍ଡିଏ କ୍ଳରୋଫର୍ମ ସିକ୍ତ ନେଳୀ ସିଲ୍‌କର ରୁମାଲ ପୁଲିସ ପାଇଲେ । ଆଉ କୌଣସି ସୂତ୍ର ନାହିଁ । ଘଟଣାକୁ କେନ୍ଦ୍ରକରି ଚାରିଆଡ଼େ ହୁଲୁସ୍ତୁଲ ପଡ଼ିଗଲା । ପୁଲିସର ଏହି ଲଜ୍ଜାକର ଅପାରଗତା ନେଇ ସମ୍ମାଦପତ୍ର ମାନ ଅତି କଟୁ ମନ୍ତବ୍ୟ କରୁଛନ୍ତି । କେବଳ ରାଜ୍ୟ ସର୍କାର ନୁହେଁ କେନ୍ଦ୍ର ଘରୋଇ ବିଭାଗ ମଧ୍ୟ ଏଥିରେ ଅତିଶୟ ବିଚଳିତ ହୋଇ ଉଠିଛନ୍ତି । ଜଣେ ଅତି ସମ୍ଭ୍ରାନ୍ତ ବିଦେଶୀ ଅତିଥିଙ୍କର ନିରାପତ୍ତା ଯେ ରକ୍ଷା କରିବା ସମ୍ଭବ ହୋଇନାହିଁ– ଏହା ଅତିଶୟ ସୁସ୍ପଷ୍ଟ ।

 

ଏସ୍. ପି. ସେଇ ବିଷୟ ନେଇ ଏ ଗୁପ୍ତ ସଭାରେ ଆଲୋଚନା କରୁଥିଲେ । ଏ ସଭାରେ କେତେକ ବଛା ବଛା ଅଫିସର ଥିଲେ । ପୁଲିସ ବିଜ୍ଞାନାଗାରର ଡିରେକ୍ଟର ଡକ୍ଟର ଅନାଥବନ୍ଧୁ ସିହ୍ନା ଥିଲେ । ସେ ଜଣେ ଅତି ଉଚ୍ଚ ଶିକ୍ଷିତ କର୍ମଚାରୀ । ସ୍କାଟ୍‌ଲାଣ୍ଡ ଇୟାର୍ଡ, ଟୋକିଓ ଓ ନିଉୟର୍କରେ ସେ ପୁଲିସ ବିଜ୍ଞାନ ବିଷୟରେ ତାଲିମ ପାଇ ଫେରିଛନ୍ତି । ଏଇସବୁ ତଦନ୍ତରେ ସେ ମୂଳରୁ ସାହାଯ୍ୟ କରୁଛନ୍ତି । କିନ୍ତୁ କୌଣସି ସୂତ୍ର ପାଇ ପାରୁ ନାହାନ୍ତି ।

 

ତାଙ୍କ ଛଡ଼ା ଗୋଇନ୍ଦା ବିଭାଗର କର୍ତ୍ତା ମି: ରାଜେନ୍ଦ୍ର ମିଶ୍ର ଅଛନ୍ତି । ଆଉ ଅଛନ୍ତି ସର୍ବ ଭାରତୀୟ ଖ୍ୟାତି ସମ୍ପନ୍ନ ଅପରାଧ ତତ୍ତ୍ଵବିତ୍ ଭବାନୀ ମହାପାତ୍ର । ରାଜେନ୍ଦ୍ର ମିଶ୍ର ଜଣେ ଅତି ଧୁରନ୍ଧର ଓ ବୁଦ୍ଧିମାନ ଅଫିସର । ଆଉ ଭବାନୀ ମହାପାତ୍ରଙ୍କର ଖ୍ୟାତି ଓ ପରିଚୟ ପାଠକ ପାଠିକାମାନଙ୍କ ନିକଟରେ ସମ୍ପୂର୍ଣ୍ଣ ନିଷ୍ପ୍ରୟୋଜନ । ଗତ ଯୁଦ୍ଧର ବିଜୟୀ ବୀର ଏଇ କରିତକର୍ମୀ ରହସ୍ୟ ସନ୍ଧାନୀ ମଧ୍ୟ ଏ ରହସ୍ୟର କୌଣସି ସୂତ୍ର ଆବିଷ୍କାର କରି ପାରୁ ନାହାନ୍ତି । ଏଇ ଧୂର୍ତ୍ତ ଅପରାଧୀ କୌଣସି ସ୍ଥାନରେ ଅଙ୍ଗୁଳି ଚିହ୍ନଟିଏ ମଧ୍ୟ ଛାଡ଼ି ଯାଉନାହିଁ । ପୁଲିସ ବିଜ୍ଞାନାଗାରର ଅଧ୍ୟକ୍ଷ ଡକ୍ଟର ସିହ୍ନା ଘଟଣା ସ୍ଥାନ ଗୁଡ଼ିକର ପ୍ରତି ଇଞ୍ଚ ମାଗନିଫାଇଙ୍ଗ ଲେନ୍‌ସ ସାହାଯ୍ୟରେ ପରୀକ୍ଷା କରୁଛନ୍ତି । ଧୂଳି ଓ ମାଟି ନେଇ ମାଇକ୍ରୋସ୍‌କୋପ୍‌ ତଳେ ଘଣ୍ଟା ଘଣ୍ଟା ଧରି ପରୀକ୍ଷା କରିଛନ୍ତି । କିନ୍ତୁ କୌଣସି ସୂତ୍ର ଆବିଷ୍କାର କରି ପାରି ନାହାନ୍ତି । ଖାଲି ସେତିକି ନୁହେଁ, ଆହୁରି ଅଦ୍ଭୁତ କଥା ହେଉଛି– ଲିପୁସର ସବୁ ଗୁପ୍ତ ଆୟୋଜନ ଅତି ନିର୍ଭୁଲ ଭାବରେ ସେ ଆଗରୁ ଜାଣି ପାରୁଛି । ପରିଣାମରେ ପୁଲିସକୁ ପ୍ରତି ପଦକ୍ଷେପରେ ଅତିଶୟ ଅପ୍ରସ୍ତୁତ ହେବାକୁ ପଡ଼ିଛି ।

 

ସୁଲତାନ ନନ୍ଦିନୀ ସାୟାରାବାନୁକୁ ଅଜ୍ଞାତ ଆତତାୟୀ ଆକ୍ରମଣ କଲାବେଳେ ଘଟଣା ସ୍ଥଳରେ ଖଣ୍ଡିଏ କ୍ଳୋରଫର୍ମ ସିକ୍ତ ସିଲକ୍ ରୁମାଲଟିକୁ ନିଜ ଲାବୋରାଟୀରେ ଡକ୍ଟର ସିହ୍ନା ବହୁ ଭାବରେ ପରୀକ୍ଷା କରିଛନ୍ତି । ଖୁବ ନିର୍ଭରଯୋଗ୍ୟ ପ୍ରମାଣ ନ ପାଇଥିଲେ ମଧ୍ୟ ଗୋଟିଏ ଅଦ୍ଭୁତ ସାମଞ୍ଜସ୍ୟ ସେ ପାଇଛନ୍ତି । ଏକ ଅବିଶ୍ଵାସ୍ୟ ଘଟଣା । ସେ ପରୀକ୍ଷାର ରିପୋର୍ଟଟି ସେ ଅତିଶୟ ଗୁପ୍ତ ରଖିଛନ୍ତି । ଏ ସଭାରେ ସେ ତାହା ବାହାର କରି ନାହାନ୍ତି ।

 

କାନ୍ଥ ଘଡ଼ିଟା ମଧ୍ୟରାତ୍ରି ଘୋଷଣା କଲା । ଗୋଇନ୍ଦା ବିଭାଗର କର୍ତ୍ତା ମି: ରାଜେନ୍ଦ୍ର ମିଶ୍ର ହଠାତ୍ ଉଠି ପଡ଼ିଲେ–“ମୁଁ ଯାଉଛି ମୋର ଟିକିଏ ଜରୁରୀ କାମ ଅଛି । ଖଣ୍ଡିଏ ମୋଟା ‘ହାଭାନା’ ରୁଟରେ ଅଗ୍ନି ସଂଯୋଗ କରି ସେ ବିଦାୟ ନେଲେ । ଏଇ ମୂଲ୍ୟବାନ୍ ଚୁରୁଟରେ ହେଉଛି ମିଶ୍ର ସାହେବଙ୍କର ଅତିପ୍ରିୟ ବ୍ୟସନ । ଅନିର୍ବାଣ ଭାବରେ ଚୁରୁଟଟି ତାଙ୍କ ମୁହଁରେ ଲାଗିଥାଏ ।

 

ମିଶ୍ର ସାହେବ ଚାଲିଗଲା ପରେ ଡକ୍ଟର ସିହ୍ନା ଏସ୍. ପି. ଙ୍କ ଚୌକି ନିକଟକୁ ନିଜର ଚୌକିଟି ନିବିଡ଼ କରି ଟାଣି ଆଣିଲେ । ଏସ୍. ପି. ପଚାରିଲେ– ରୁମାଲଟି ପରୀକ୍ଷା କରି କୌଣସି ପ୍ରୟୋଜନୀୟ ତଥ୍ୟ ପାଇଲେ ଡକ୍ଟର ସିହ୍ନା ?

 

ସାମାନ୍ୟ ଟିକିଏ ହସି ଡକ୍ଟର ସିହ୍ନା କହିଲେ– ମୁଁ ଯାହା ଆବିଷ୍କାର କରିଯାଇଛି, ତାହା ଯେପରି ଅସମ୍ଭବ, ସେହିପରି ଅବିଶ୍ୱାସ୍ୟ । କିନ୍ତୁ ମି: ଦାସ ବିଜ୍ଞାନତ ମିଛ କହେ ନାହିଁ !

 

ଡକ୍ଟର ସିହ୍ନାଙ୍କର କଥା ଶୁଣି ଏସ୍. ପି. ଘୋର ନିରାଶାର ଅନ୍ଧକାର ଭିତରେ ଯେପରି ଟିକିଏ ଆଶାର ଆଲୋକ ରେଖା ଦେଖି ପାରିଲେ । ଉଦ୍‌ବିଗ୍ନ ହୋଇ କହିଲେ– କହନ୍ତୁ ଡ଼କ୍ଟର ସିହ୍ନା । ଆପଣ କ’ଣ ଆବିଷ୍କାର କରିଛନ୍ତି ମୋତେ କହନ୍ତୁ । ଅପରାଧ ଶାସ୍ତ୍ରରେ “ଅବିଶ୍ଵାସ୍ୟ” କିଛି ନାହିଁ ।

 

ଟିକିଏ କୁଣ୍ଠିତ କଣ୍ଠରେ ଡକ୍ଟର ସିହ୍ନା କହିଲେ ବିଜ୍ଞାନରେ “ମ୍ୟୁଚୁୟେଲ କଣ୍ଟାକ୍ଟ” ବୋଲି ଗୋଟିଏ କଥା ଅଛି । ତାହା ଆପଣ ମଧ୍ୟ ଜାଣନ୍ତି । ରୁମାଲଟିରେ “ହାଭା ନା ଚୁରୁଟ୍” ର ଅତି ସୂକ୍ଷ୍ମ ଅଣୁ ମୁଁ ପାଇଛି । ଆଉ ଘଟଣା ସ୍ଥଳର ଯେଉଁ ଚୁରୁଟ୍‌ଟିର ଶେଷାଂଶ ଆସ୍‌ଟ୍ରେ ଭିତରୁ ସଂଗ୍ରହ କରାହୋଇଥିଲା, ସେଥିରେ ସେ ରୁମାଲଟିର ଅତି କ୍ଷୁଦ୍ର ପରମାଣୁ ମିଳିଛି । ଆପଣଙ୍କର ମନେ ଥାଇପାରେ ଯେ ସେଦିନ ସେ ପାର୍ଟିରେ ଯେନେ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ କେବଳ ଆମର ମିଶ୍ର ସାହେବ ସେ ଚୁରୁଟ୍ ବ୍ୟବହାର କରନ୍ତି । ଏବେ ଆପଣ ବୁଝି ପାରୁଥିବେ ଯେ ଏହା କେତେଦୂର ଅବିଶ୍ଵାସ୍ୟ ।

 

ଏହାକହି ଡକ୍ଟର ସିହ୍ନା ଜଉମୁଦ ଦିଆ ଖଣ୍ଡିଏ ଲଫାପା ଏସ୍. ପି.ଙ୍କ ଟେବୁଲ ଉପରେ ରଖିଲେ । ଡକ୍ଟର ସିହ୍ନାଙ୍କ କଥା ଶୁଣି ଏସ୍. ପି. ଗମ୍ଭୀର ବଦନରେ ବସି ରହିଲେ । ତାଙ୍କ ମନରେ ବହୁ ଚିନ୍ତା ଉଦୟ ହେବାକୁ ଲାଗିଲା । ଏହା ଯଦି ସତ୍ୟ ହୁଏ ତେବେ ତାହା ଯେ ଅତିଶୟ ମାରାତ୍ମକ ଏଥିରେ ସନ୍ଦେହ ନାହିଁ । ଏ କଥା ସତ ଯେ ମି: ମିଶ୍ର ସେଦିନ ପାର୍ଟିରେ ଉପସ୍ଥିତ ଥିଲେ-। ତାଙ୍କ ଛଡ଼ା ଆଉ କେହି ହାଭାନା ଚୁରୁଟ ପାନ କରୁ ନ ଥିଲେ । ପୁଣି ପୂର୍ବରୁ ସେ ଲକ୍ଷ୍ୟ କରିଛନ୍ତି ଯେ ପୁଲିସର ସବୁ ଯୋଜନା ଅଦ୍ଭୁତ ଉପାୟରେ ଅଜ୍ଞାତ ଆତତାୟୀ ଜାଣି ପାରି ସବୁ ଚେଷ୍ଟା ପଣ୍ଡ କରି ଦେଉଛି । ସେ ଗୁପ୍ତ ଯୋଜନାମାନ କେବଳ ମନ୍ତ୍ର ଶକ୍ତି ବିନା ଅନ୍ୟ କେହି ଜାଣି ପାରିବା ସମ୍ଭବ ନୁହେଁ । ତେବେ କ'ଣ– !!

 

ଏହି ସମୟରେ ଟେବୁଲ ଉପରେ ଥିବା ଟେଲିଫୋନଟା ବାଜି ଉଠିଲା । ଏସ୍. ପି. ରିସିଭର ଉଠାଇ ନେଇ କିଛିକ୍ଷଣ ପର୍ଯ୍ୟନ୍ତ କାହା ସହିତ କଥା କହିଲେ । ତା’ପରେ କହିଲେ– ହଁ ତାକୁ ଏଇ ସ୍ଥାନକୁ ନେଇ ଆସନ୍ତୁ । ମୁଁ ବର୍ତ୍ତମାନ ଅଫିସରେ ଅଛି । ତା’ପରେ ରିସିଭର ରଖିଦେଇ ଭବାନୀ ବାବୁଙ୍କ ଆଡ଼େ ଚାହିଁ କହିଲେ– ମଙ୍ଗଳାବାଗ ଥାନାର ଇନ୍‌ଚାର୍ଜ ଅଫିସର ଫୋନ କରୁଥିଲେ । ବଣିଆ ସାହିରେ ବାସ କରୁଥିବା କେଉଁ ଏକ ଜ୍ୟୋତିଷ ଧୂର୍ଜଟୀ ଶର୍ମା ଥାନାରେ ଆସି ଜଣାଇଛି ଯେ ଗୋଟିଏ ସୁନ୍ଦରୀ ତରୁଣୀ ତା’ଘରେ ପଶିଯାଇ ଲୁଚିଛି । ତରୁଣୀଟି କହୁଛି ଯେ ତାର ଜୀବନ ବିପନ୍ନ । ସେ ଅତି ଶୀଘ୍ର ପୁଲିସ ସାହାଯ୍ୟ ଚାହେ । ଥାନା ଅଫିସର ସେ ଲୋକର କଥା ବିଶ୍ଵାସ କରୁନାହାନ୍ତି । ତାକୁ ଉନ୍ମାଦ ବୋଲି ସନ୍ଦେହ କରୁଛନ୍ତି । ଲୋକଟାକୁ ଏଇ ସ୍ଥାନକୁ ନେଇ ଆସିବା ପାଇଁ ମୁଁ କହିଛି । ରାତି ବହୁତ ହେଲାଣି । ଆପଣ ଏବେ ଯାଇ ପାରନ୍ତି ଡକ୍ଟର ସିହ୍ନା । ଆପଣ ପାଇଥିବା ପ୍ରମାଣଗୁଡ଼ିକୁ ମୁଁ ଭଲ ଭାବରେ ଚିନ୍ତା କରି ଦେଖିବି । ଭବାନୀ ବାବୁ, ଆପଣ ଦୟାକରି ଟିକିଏ ଅପେକ୍ଷା କରନ୍ତୁ । ଜ୍ୟୋତିଷ କଣ କହୁଛି ଶୁଣିବା ।

 

ଦୁଇ

 

କିଛି ସମୟ ପରେ ଧୂର୍ଜଟୀ ଶର୍ମାକୁ ସଙ୍ଗରେ ଧରି ମଙ୍ଗଳାବାଗ ଥାନାର ଇନ୍‌ସପେକ୍ଟର ପହଞ୍ଚିଲେ । ଜ୍ୟେତିଷାର୍ଣ୍ଣବ ବର୍ଷା ପାଣିରେ ସମ୍ପୂର୍ଣ୍ଣ ରୂପେ ତିନ୍ତିଯାଇ ଏକ ବିଚିତ୍ର ରୂପ ଧାରଣ କରିଛି । ତାକୁ ଦେଖି ଏତେବଡ଼ ଗୋଟିଏ ଗୁରୁ ଗମ୍ଭୀର ପରିବେଶରେ ମଧ୍ୟ ଏସ୍, ପି. ହସି ପକାଇଲେ । ଲକଲକିଆ ଦେହଟାକୁ ସାମନା ତରଫକୁ ଅର୍ଦ୍ଧର୍ନିମିତ କରି ଓ ଦୁଇଟି ହାତକୁ ଜୋଡ଼ି ଧୂର୍ଜଟୀ ଗୋଟିଏ ନମସ୍କାର କଲା । ତା’ପରେ ହଠାତ୍ ଭବାନୀ ବାବୁଙ୍କୁ ଦେଖିପାରି ତାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଯାଇ ପ୍ରଣାମ କଲା– ଆହା ବଡ଼ବାବୁ ଏଇଠି ବସିଛନ୍ତି ! ମୁଁ ନିଘା କରି ନାହିଁ ହଜୁର ।

 

ଭବାନୀ ବାବୁଙ୍କୁ ଚାହିଁ ସ୍ମିତ ମୁଖରେ ଏସ୍. ପି. କହିଲେ– ଜ୍ୟୋତିଷ କ’ଣ ଆପଣଙ୍କର ପୂର୍ବ ପରିଚିତ ? ତା’ହେଲେତ ଆପଣ କହି ପାରିବେ ଏ ଲୋକଟି ଉନ୍ମାଦ କି ନୁହେଁ ।

 

ସାମାନ୍ୟ ହସି ଭବାନୀ ବାବୁ କହିଲେ– ନାଁ ନାଁ ଧୂର୍ଜଟୀ ଶର୍ମା ଆଦୌ ପାଗଳ ନୁହେଁ । କିନ୍ତୁ ସେ ତିନିଥର ଜେଲ ଖଟି ଆସିଛି । ଉତ୍ତର ବାଲେଶ୍ଵର ଡକାଏତ ମାନଙ୍କ ସଙ୍ଗେ ତାର ସମ୍ପର୍କ ଥିଲା । କିନ୍ତୁ ପ୍ରାୟ ପାଞ୍ଚବର୍ଷ ପୂର୍ବେ ସେ ଜେଲରୁ ମୁକ୍ତି ପାଇ ଜ୍ୟୋତିଷ ବ୍ୟବସାୟ କରୁଛି । ଧୂର୍ଜଟୀ ଶର୍ମା ନାମଟି ସେ ଏବେ ଗ୍ରହଣ କରିଛି । ତା’ର ଆତ୍ମୀୟ ସ୍ଵଜନ କେହି ନାହାନ୍ତି । ବଣିଆ ସାହିରେ ଖଣ୍ଡିଏ ଚାଳ ଘର ଭଡ଼ାନେଇ ସେ ବର୍ତ୍ତମାନ ଏଇ ନୂତନ ବ୍ୟବସାୟଟି ଖୋଲିଛି । ମୋ’ର ବିଶ୍ଵାସ ଥିଲା ଯେ ପୂର୍ବପରି ଆଉ କୌଣସି ଅପକର୍ମରେ ସେ ବର୍ତ୍ତମାନ ଲିପ୍ତ ରହୁନାହିଁ ।

 

ଆପଣଙ୍କ ବିଶ୍ଵାସ ସମ୍ପୂର୍ଣ୍ଣ ଠିକ୍ ବଡ଼ବାବୁ । ସେ ସବୁ ଖରାପ କାମ ମୁଁ ଏବେ ପୁରା ଛାଡ଼ି ଦେଇଛି । ମୁଁ କଟକ ଚଣ୍ଡୀଙ୍କ ରାଣ ପକାଇ କହୁଛି ହଜୁର, ମୁଁ ଆଉ.....

 

ସାମାନ୍ୟ ହସି ଏସ୍. ପି. କହିଲେ–ଆଚ୍ଛା ତୁମ କଥା ମୁଁ ପୂର୍ଣ୍ଣ ଭାବରେ ବିଶ୍ଵାସ କରୁଛି । ଆଉ ତୁମର କୌଣସି ରାଣ ପକାଇବାର ପ୍ରୟୋଜନ ନାହିଁ । ଏବେ ତୁମେ କ’ଣ କହିବାକୁ ଆସିଥଲ, କହ ।

 

–ମୁଁ ତ ହଜୁର ଇନସ୍‍ପେକ୍ଟର ସାହେବଙ୍କୁ ସବୁ କହିଛି । ହେଲେ ସେ ମୋ କଥା ବିଶ୍ୱାସ କରୁ ନାହାନ୍ତି । କହୁଛନ୍ତି ମୁଁ ଗୋଟାଏ ପାଗଳ । ମୁଁ କହିଲି– ତେବେ ମୋତେ ପୁଲିସ ସାହେବଙ୍କ ପାଖକୁ ନେଇ ଚାଲନ୍ତୁ । ସେ ଜାଣିପାରିବେ ମୁଁ ପାଗଳ କି ଭଲ ଲୋକ । ହେଲେ– ଯୋଗକୁ ବି ବଡ଼ବାବୁ ଆପଣଙ୍କ ପାଖେ ବସିଛନ୍ତି । ସେତ ମୋତେ ପିଲାଟି ଦିନୁ ଚିହ୍ନନ୍ତି । ଦେଖୁନାହାନ୍ତି, ମୋ ବିଷୟରେ ଯେଉଁ କଥାମାନ ମୁଁ ନିଜେ ଭୁଲି ଯାଇଥିଲି ସେ କେମିତି ଠିକ୍ ଠିକ୍ କହିଗଲେ ।

 

ଏସ୍. ପି. ସାମାନ୍ୟ ବିରକ୍ତ ଭରା କଣ୍ଠରେ କହିଲେ– ସେ ସବୁ ଗୌରଚନ୍ଦ୍ରିକା କରିବା ପ୍ରୟୋଜନ ନାହିଁ । ତୁମେ କ’ଣ କହିବାକୁ ଆସିଥିଲ ସଂକ୍ଷେପରେ ତାହାହିଁ କୁହ ।

 

କିଛିକାଳ ନୀରବ ରହି ଧୁର୍ଜଟୀ କହିଲା– ହଜୁର, ରାତିରେ ମୁଁ ମୋର ପଶୁପକ୍ଷୀମାନଙ୍କୁ ଖୁଆଇ ସାରି ମୋ ବିଛଣା ଉପରେ ବସିଥିଲି । ମୋ ଦାଣ୍ଡ କବାଟଟା ଆଉଜାଇ ଦେଇଥିଲି । ହଠାତ୍ ଜଣେ ମେମ୍ ସାହେବ ବିକଳରେ ମୋ ଘର ଭିତରକୁ ପଶି ଆସି ଭିତରୁ ଦୁଆର କିଳି ଦେଲେ । ମୁଁ ଏ ଘଟଣା ଦେଖି ଚମକି ଉଠିଲି । ମେମ୍ ସାହେବ ମୋତେ କହିଲେ–ପଣ୍ଡିତ ମହାଶୟ, ମୁଁ ବଡ଼ ବିପଦରେ ପଡ଼ିଛି । ମୋତେ ସେମାନେ ମାରି ପକାଇବେ । ଆପଣ ଯାଇ ଅତି ଶୀଘ୍ର ପୁଲିସକୁ ଡାକି ଆଣନ୍ତୁ । ମୁଁ ଏଇଠାରେ ଲୁଚିଛି । ପୁଲିସ ଆସି ମୋତେ ବଞ୍ଚାଇବେ । ଏହାକହି ତାଙ୍କ ହାତ ବ୍ୟାଗ ଭିତରେ କାଗଜ ପେନ୍‌ସିଲ କାଢ଼ି କ’ଣ ଲେଖିଲେ । ମୋତେ କହିଲେ ଯେଉଁ ମଟର ଗାଡ଼ିରେ ସେମାନେ ମୋ ପିଛା ଧରୁଛନ୍ତି ସେ ଗାଡ଼ିର ନମ୍ବର ମୁଁ ଲେଖିଦେଲି । ପୁଲିସକୁ ଦେବେ ।

 

ଏହାକହି ହାତ ମୁଠାରେ ମୋଡ଼ି ମାଡ଼ି ଧରିଥିବ । ଖଣ୍ଡିଏ ସ୍ଥାନ କାଗଜ ଏସ୍. ପି.ଙ୍କ ହାତକୁ ବଢ଼ାଇ ଦେଲା । ଏସ୍. ପି. ଗାଜ ଖଣ୍ଡି ନେଇ ମେଲାଇ ଦେଖିଲେ । ବର୍ଷା ପାଣିରେ କାଗଜ ଖଣ୍ଡିକ ସମ୍ପୂର୍ଣ୍ଣ ରୂପେ ସିକ୍ତ ହୋଇ ଯାଇଛି । କପିଙ୍ଗ୍‌ ପେନ୍‌ସିଲରେ କଣ ଟିକିଏ ଲେଖା ହୋଇଥିଲା-କିନ୍ତୁ ପାଣି ପଡ଼ି ତାହା ସମ୍ପୂର୍ଣ୍ଣରୂପେ ଉଠି ଯାଉଛି । ସାମାନ୍ୟ ଟିକିଏ ବାଇଗେଣି ରଙ୍ଗ ଛଡ଼ା କାଗଜ ଖଣ୍ଡିକ ଉପରେ ଆଉ କିଛି ନାହି ।

 

ଏସ୍. ପି. ହତାଶ କଣ୍ଠରେ କହିଲେ– ନିର୍ବୋଧଟା କାଗଜ ଖଣ୍ଡିକ ସମ୍ପୂର୍ଣ୍ଣ ରୂପେ ତିନ୍ତାଇ ନଷ୍ଟକରି ପକାଇଛି । ଏହା କହି କାଗଜର ଟୁକୁରା ଖଣ୍ଡିକ ଭବାନୀବାବୁଙ୍କ ହାତକୁ ବଢ଼ାଇ ଦେଲେ-

 

ଭବାନୀବାବୁ ପକେଟର ମାଗ୍‌ନିଫାଇଙ୍ଗ ଲେନ୍‌ସ୍‌ କାଢ଼ି କାଗଜ ଖଣ୍ଡିକ ଭଲକରି ପରୀକ୍ଷା କଲେ । ଖଣ୍ଡିଏ କ୍ଷୁଦ୍ର “ସ୍ଲିପ୍‌ ପ୍ୟାଡ଼୍‌ର” କାଗଜ । ସାମାନ୍ୟ ଆକାଶୀ ରଙ୍ଗର ଟିସୁ କାଗଜ । କିନ୍ତୁ ବର୍ଷା ପାଣିରେ କାଗଜ ଖଣ୍ଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କୌଣସି ଅକ୍ଷର ଉଦ୍ଧାର କରିବା ସମ୍ଭବ ନୁହେଁ । ଭବାନୀବାବୁ ନିରାଶ ହୋଇ କାଗଜ ଖଣ୍ଡିକ ଟେବୁଲ ଉପରେ ରଖିଦେଲେ । ନା–କାଗଜ ଖଣ୍ଡିକର କୌଣସି ମୂଲ୍ୟନାହିଁ ।

 

କ୍ରମେ ରାତି ଗୋଟାଏ ବାଜିଲା । ସାନ ଗୋଟିଏ ପୁଲିସ ଫଉଜକୁ ସଙ୍ଗରେ ଧରି ଓ କେତୋଟି ଶକ୍ତିଶାଳୀ ସର୍ଚ୍ଚ ଲାଇଟ ନେଇ ଏସ. ପି. ବଣିଆସାହିକୁ ଚାଲିଲେ । ଭବାନୀବାବୁ ମଧ୍ୟ ଗଲେ । ଜ୍ୟୋତିଷ ଧୂର୍ଜଟୀ ଶର୍ମାକୁ ମଧ୍ୟ ସଙ୍ଗରେ ନେଇଗଲେ ।

 

କିନ୍ତୁ ବଣିଆ ସାହିରେ ଧୂର୍ଜଟୀ ଶର୍ମାର ଘର ନିକଟକୁ ଆସି ସେ ଆଶ୍ଚର୍ଯ୍ୟ ହୋଇଗଲେ-। ପୁଲିସ ଗାଡ଼ିର ହେଡ଼ଲାଇଟ୍‌ର ଆଲୁଅରେ ସେ ଦେଖିଲେ ସେ ଧୂର୍ଜଟୀର ଘର ସାମନାରେ ଖଣ୍ଡିଏ ନେଳୀ ରଙ୍ଗର ଆମ୍ବାସଡ଼ର ଗାଡ଼ି ରହିଛି । ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏ ଗାଡ଼ିଟି ତାଙ୍କର ଅଚିହ୍ନା ନୁହେଁ । ଏଇଟି ଗୋଇନ୍ଦା ବିଭାଗ ଏସ୍: ପି ରାଜେନ୍ଦ ମିଶ୍ରଙ୍କର ଗାଡ଼ି । ସେ କେତେବେଳେ ବା କାହିଁକି ଏଠାକୁ ଆସିଛନ୍ତି !!

 

ଘର ବାହାରେ ପୁଲିସ ଗାଡ଼ି ରହିବାର ଶବ୍ଦ ଶୁଣି ମିଶ୍ର ସାହେବ ଘରଭିତରୁ ବାହାରି ଆସିଲେ । ତାଙ୍କ ହାତରେ ଗୋଟିଏ ଶକ୍ତିଶାଳୀ ଟର୍ଚ୍ଚ । ଏସ୍. ପି. ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ– ଆପଣ ଏଠାକୁ କିପରି ଆସିଲେ ମି: ମିଶ୍ର !

 

ଏସ୍ ପି. ଙ୍କୁ ଓ ତାଙ୍କ ସହିତ ଏକ ପୁଲିସ ଫଉଜ୍‌କୁ ଦେଖି ମିଶ୍ର ସାହେବ ହଠାତ୍ କିପରି ଟିକିଏ ଅପ୍ରତିଭ ହେବାପରି ମନହେଲା । କିନ୍ତୁ କ୍ଷଣକ ଭିତରେ ନିଜକୁ ସଂଯତ କରିନେଇ ସେ କହିଲେ– ନା, ନା, ସମ୍ବାଦଟା ସମ୍ପୂର୍ଣ୍ଣ ଭିତ୍ତିହୀନ । କେହି ବୋଧହୁଏ ମୋ ସହିତ କୌତୁକ କରିଛି ।

 

ଏସ୍. ପି. କିଛି ବୁଝି ନପାରି ଜିଜ୍ଞାସୁ ଦୃଷ୍ଟିରେ ସାହେବଙ୍କୁ ଚାହିଁଲେ । ଘର ଭିତରଟା ସମ୍ପୂର୍ଣ୍ଣ ଅନ୍ଧକାର । ଧୂର୍ଜଟୀ ଜାଳିଥିବା ଡ଼ିବିଟି କୌଣସି କାରଣରୁ ଲିଭି ଯାଇଛି । ବେଟେରୀ ଦେହରେ ସଂଯୋଗ କରି ପୁଲିଶ କର୍ମଚାରୀମାନେ ଦୁଇଟା ସର୍ଚ୍ଚ ଲାଇଟ ଜଳାଇ ଦେଲେ । ଉଜ୍ଜ୍ୱଳ ଆଲୁଅରେ ଘରଟା ଉଦ୍ଭାସିତ ହୋଇ ଉଠିଲା । ମିଶ୍ର ସାହେବ କହିଲେ– ମୁଁ ଶୋଇବାକୁ ଯିବାର ଠିକ ପୂର୍ବରୁ କିଏ ଜଣେ ଅଜ୍ଞାତ ବ୍ୟକ୍ତି ମୋତେ ଟେଲିଫୋନ କଲା । ଜଣାଇଲା ଯେ ଏ ଘରଭିତରେ ଗୋଟିଏ ତରୁଣୀକୁ ଖୁନକରା ହୋଇଛି । ମୁଁ ସାଙ୍ଗେ ସାଙ୍ଗେ ଚାଲି ଆସିଲି । କିନ୍ତୁ ଦେଖୁଛି ଯେ ସମ୍ବାଦଟି ସମ୍ପୂର୍ଣ୍ଣ ମିଥ୍ୟା । ଘର ଭିତରେ କେହି ନାହାନ୍ତି ।

 

ପୁଲିସ ଦଳ ଘରଭିତରେ ପଶିଲେ । ପ୍ରକୃତରେ ଘରଭିତରେ କୌଣସି ଲୋକନାହିଁ । ଭବାନୀ ବାବୁ ଗୋଟିଏ ଟର୍ଚ୍ଚ ଲାଇଟ ନେଇ ଅଗଣା ଭିତରକୁ ପଶିଲେ । ଆଣ୍ଠିଏ ଉଚ୍ଚରେ ଘାସ ଉଠିଛି । କିନ୍ତୁ ଭବାନୀ ବାବୁଙ୍କୁ ଅଧିକ କ୍ଷଣ ଖୋଜିବାକୁ ହେଲାନାହିଁ । ଅଗଣା ମଝିରେ ଗୋଟିଏ ସୁନ୍ଦରୀ ରମଣୀର ମୃତଦେହ ପଡ଼ିଛି । ତା ଛାତିରେ ଖଣ୍ଡିଏ ବଡ଼ ଛୁରୀ ଆମୁଳ ବିଦ୍ଧ ହୋଇଛି । ନିକଟରେ ତାର ହାତ ବ୍ୟାଗଟି ପଡ଼ିଛି ।

 

ଏସ୍. ପି. ବହୁକ୍ଷଣ ପର୍ଯ୍ୟନ୍ତ ଏକଦୃଷ୍ଟିରେ ଏଇ ଅପୂର୍ବ ରୂପସୀ ଯୁବତୀର ମୃତ ଦେହକୁ ଅନାଇ ରହିଲେ । ଅନ୍ତର ତାଙ୍କର ଭାରାକ୍ରାନ୍ତ ହୋଇଉଠିଲା । ଯଥା ସମୟରେ ପୁଲିସ ସମ୍ବାଦ ପାଇଥିଲେ ମଧ୍ୟ ତରୁଣୀଟିକୁ ସେମାନେ ରକ୍ଷାକରି ପାରିଲେ ନାହିଁ । ଏଠାରୁ ବଳି ପୁଲିସର ଲଜ୍ଜାକର ଅପାରଗତା ଆଉ କ’ଣ ହୋଇପାରେ ! ମୃତ ଦେହକୁ ଚିହ୍ନିବା ପାଇଁ କାହାରି ପକ୍ଷରେ କଷ୍ଟ ହେଲାନାହିଁ । ଭାରତ ବିଖ୍ୟାତ ରୂପସୀ ନର୍ତ୍ତକୀ ଅଳକାନନ୍ଦାକୁ ନ ଚିହ୍ନନ୍ତି, ଏପରି ବ୍ୟକ୍ତି ଏ ସହରରେ ନାହାନ୍ତି । ରାଜେନ୍ଦ୍ର ମିଶ୍ର ଆଶ୍ଚର୍ଯ୍ୟ ହୋଇଗଲେ । ଧୂର୍ଜଟୀ ଶର୍ମା ଭୂଇଁରେ ବସିପଡ଼ି ଉଚ୍ଚ ଶବ୍ଦରେ କାନ୍ଦିବାକୁ ଲାଗିଲା ।

 

ଭବାନୀ ବାବୁ ଉଜ୍ଜ୍ୱଳ ଆଲୋକରେ ମୃତ ଦେହଟିକୁ ପରୀକ୍ଷା କରିବାକୁ ଲାଗିପଡ଼ିଲେ । ରକ୍ତାକ୍ତ ଛୁରୀଟାକୁ ଲେନ୍‌ସ ସାହାଯ୍ୟରେ ପରୀକ୍ଷାକଲେ । ନା, କୌଣସି ଅଙ୍ଗୁଳି ଚିହ୍ନ ନାହିଁ । ଆତତାୟୀ ପୂର୍ବପରି ଗ୍ଲୋଭ ପିନ୍ଧି ଛୁରୀ ବ୍ୟବହାର କରୁଛି ।

 

ନର୍ତ୍ତକୀ ଅଳକାର ହାତ ବ୍ୟାଗ୍‌ଟି ନିକଟରେ ପଡ଼ିଥିଲା । ଭବାନୀ ବାବୁ ସେଇଟିକୁ ଉଠାଇ ନେଇ ଦେଖିଲେ । କୌଣସି ପ୍ରୟୋଜନୀୟ ଦ୍ରବ୍ୟ ନାହିଁ । କିନ୍ତୁ ସେ ଜାଣି ପାରିଲେ ଯେ ପୂର୍ବରୁ ମଧ୍ୟ କେହି ସେ ବ୍ୟାଗଟି ଖୋଲି ସବୁ ଓଲଟ ପାଲଟ କରିଦେଖିଛି । ଅନ୍ୟାନ୍ୟ ସାମଗ୍ରୀ ଭିତରେ ଭବାନୀ ବାବୁ ଖଣ୍ଡିଏ “ସ୍ଲିପ୍ ପ୍ୟାଡ଼” ପାଇଲେ । ଯେଉଁ ପ୍ୟାଡର ଖଣ୍ଡିଏ କାଗଜ ଉପରେ ଅଳକା ମଟର କାର ନମ୍ବରଟି ଲେଖି ଧୂର୍ଜଟୀକୁ ଦେଇଥିଲା । ପରେ ଭଲକରି ପରୀକ୍ଷା କରି ଦେଖିବା ପାଇଁ ଭବାନୀ ବାବୁ ସେ ପ୍ୟାଡ଼େଟି ନିଜ ପକେଟରେ ରଖିଦେଲେ ।

 

ଏସ୍ ପି: ଙ୍କର ନିର୍ଦ୍ଦେଶ ପାଇ କିଛିକ୍ଷଣ ପରେ ଖଣ୍ଡିଏ ଜିପ୍‌ରେ ପୁଲିସ କୁକୁର ସାରଲକ୍‌କୁ ସଙ୍ଗରେ ନେଇ ଦୁଇଜଣ ପୁଲିସ ଅଫିସର ପହଞ୍ଚିଲେ । ପୁଲିସ ଡାକ୍ତର ଆସିଲେ । ତା’ ପରେ ଆସି ପହଞ୍ଚିଲେ ପୁଲିସ ବିଜ୍ଞାନାଗାରର ଅଧ୍ୟକ୍ଷ ଡକ୍ଟର ଅନାଥବନ୍ଧୁ ସିହ୍ନା ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ । ପୂର୍ଣ୍ଣ ବେଗରେ ତଦନ୍ତ ଆରମ୍ଭ ହୋଇଗଲା ।

 

ଆହୁରି କେତୋଟା ପେଟ୍ରୋମାକ୍‌ସ ଲାଇଟ ମଧ୍ୟ ଜଳାଇ ଦିଆଗଲା । ସବୁଆଡ଼ ଦିବାଲୋକ ପରି ଉଜ୍ଜଳ ହୋଇ ଉଠିଲା । ଘର ଭିତରେ କୌଣସି ରକ୍ତ ଚିହ୍ନନାହିଁ । ଅଗଣା ମଝିରେ ଅଳକାକୁ ହତ୍ୟା କରାହୋଇଛି । ବୋଧହୁଏ ସେ ପଳାଇ ଯିବାକୁ ଚେଷ୍ଟା କରୁଥିଲା; କିନ୍ତୁ ପାରିନାହିଁ ।

 

ଡାକ୍ତର ମୃତ ଦେହକୁ ପରୀକ୍ଷାକରି କହିଲେ ଯେ ରାତି ବାରଟା ଠାରୁ ଗୋଟାକ ଭିତରେ ଏ କାଣ୍ଡ ଘଟିଛି । ଏସ୍: ପି: ମନେ ମନେ ହିସାବ କରି ଦେଖିଲେ– ଠିକ ବାରଟା ବେଳେ ରାଜେନ୍ଦ୍ର ମିଶ୍ର ତାଙ୍କ ଅଫିସ ଛାଡ଼ି ବାହାରି ଆସିଲେ ମୁଖ ମଣ୍ଡଳ ତାଙ୍କର ଅଦ୍ଭୁତ ହାବରେ ଗମ୍ଭୀର ହୋଇ ଉଠିଲା ।

 

ପୁଲିସ ବ୍ଲଡ୍ ହାଉଣ୍ଡ ସାରଲକ୍ ଅତି ସୁଶିକ୍ଷିତ କୁକୁର । ଏସ୍. ପି. ଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ ସାରଲକକୁ ଆଣି ମୃତ ଦେହକୁ ଶୁଙ୍ଘାଇଲେ । କୁକୁରଟା କିଛି କ୍ଷଣ ପର୍ଯ୍ୟନ୍ତ ରକ୍ତର ଘ୍ରାଣ ନେଲା । ତ’ ପରେ କିଛି କ୍ଷଣ ପର୍ଯ୍ୟନ୍ତ ଅଗଣାସାରା ବୁଲିବାକୁ ଲାଗିଲା । ହଠାତ୍ ଜନ୍ତୁଟା ଯାଇ ଧୂର୍ଜଟୀ ନିବଟରେ ପହଞ୍ଚିଲା । ଦୁଇଟି ପାଦକୁ ତା ଉପରେ ରଖି ତା’ ଅଣ୍ଟାପାଖ ଲୁଗାକୁ କାମୁଡ଼ିଲା । ଜନ୍ତୁଟାର ବିରାଟ ହାଁ ଓ ଲୋକ ଜିହ୍ଵା ଦେଖି ଧୂର୍ଜଟୀ ଭୟରେ ଆଖି ବୁଜିଦେଲା । ତା’ ପରେ କ’ଣ ଭାବି କେଜାଣି ଆଖି ଦୁଇଟି ସେହିପରି ମୂଦ୍ରିତ ରଖି ନିଜ ଅଣ୍ଟାରୁ କାଢ଼ି ଦୁଇଖଣ୍ଡି ଦଶଟଙ୍କିଆ ନୋଟ ଅଗଣାକୁ ଫିଙ୍ଗି ଦେଲା ।

 

ଭବାନୀବାବୁ ସବୁକଥା ବୁଝି ପାରିଲେ । ତଳେ ବସିଯାଇ ଧୂର୍ଜଟୀର କାନ ପାଖରେ ନିମ୍ନ କଣ୍ଠରେ ପଚାରିଲେ– ଏ ନୋଟ ଦୁଇଖମି କ’ଣ ଅଳକା ତୁମକୁ ବକସିସ୍ ଦେଇଥିଲା ?

 

ଆଖି ନ ଖୋଲି ଧୂର୍ଜଟୀ ମୁଣ୍ଡ ଟୁଙ୍ଗାରି ଜଣାଇଲା ଯେ ଭବାନୀ ବାବୁ ଠିକ ଅନୁମାନ କରୁଛନ୍ତି ।

 

ତା’ ପରେ କୁରୁରଟା ଘରଭିତରେ ପଶିଲା । ଧୂର୍ଜଟୀର ପୋଷା କୁକୁରୀ ଓ ତା’ର ଶାବକ ପଲକୁ ଭ୍ରୂଷେପ ନକରି ସେ ଖାଲି ଘରଜାକ ଘୁରି ବୁଲିଲା । ତ’ ପରେ ଗୋଟାଏ ମୂଷା ଗାତ ପାଖକୁ ଯାଇଁ ସାରଲକ ତା’ ର ସାମନା ଗୋଡ଼ରେ ମାଟି ଖୋଳିବାକୁ ଲାଗିଲା । ଭବାନୀ ବାବୁଙ୍କ ନିର୍ଦ୍ଦେଶରେ ହାବିଲ ଦାର ଗଣେଶସିଂ ଖଣ୍ଡିଏ ସାବଳ ସଂଗ୍ରହ କରି ସ୍ଥାନଟାକୁ ଖୋଳି ପକାଇଲା । କିଛି ଷଣ ପରେ ସେଇ ମୂଷା ଗାତ ଭିତରୁ ଯାହା ବାହାରିଲା ତାହା ଯେପରି ଅଭାବନୀୟ ସେହିପରି ପରମାଶ୍ଚର୍ଯ୍ୟ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ସୁଲତାନ ନନ୍ଦନୀ ସାୟରାବାନୁ କଣ୍ଠରୁ ଅପହୃତ ବହୁ ମୂଲ୍ୟ ହୀରା ହାରଟି ସେଇ ମୂଷା ଗାତ ଭିତରେ ଲୁଚି ରହିଛି । ଉଜ୍ଜ୍ୱଳ ଆଲୋକରେ ଧଳାରଙ୍ଗର ବଡ଼ ବଡ଼ ହୀରା ଗୁଡ଼ାକ ଝଲସି ଉଠିଲା । ଏସ. ପି. ଆନନ୍ଦରେ ଚିତ୍‌କାର କରି ଉଠିଲେ । କିନ୍ତୁ କେଉଁ ଇନ୍ଦ୍ରଜାଲ ବଳରେ ସେ ଅମୂଲ୍ୟ ଧନ ସାୟରାବାନୁ କଣ୍ଠରୁ ଆସି ଏଇ ମର୍କଟ ପ୍ରତିମ ଧୂର୍ଜଟୀ ଶର୍ମାର କୁଡ଼ିଆ ଭିତରେ ସ୍ଥାନ ପାଇଲା, ସେ ରହସ୍ୟ ତାଙ୍କର ବୋଧଗମ୍ୟ ହେଲା ନାହିଁ ।

 

ତା’ ପରେ ନବୀନ ଉତ୍ସାହରେ ପୁଲିସ ଦଳ ସାରାଘର, ବାରଣ୍ଡା ଓ ଅଗଣା ଖୋଲିବାକୁ ଲାଗିଲେ । ମୂଷା ଗୁଡ଼ାକ ଗାତରୁ ବାହାରି ପଳାଇବାକୁ ଲାଗିଲେ । କିନ୍ତୁ ପୁଲିସ ଦଳ ଆଉ କୌଣସି ଅପହୃତ ହୀରା ବା ଜହରତ ପାଇଲେ ନାହିଁ ।

 

କ୍ରମେ ରାତି ପାହି ଆସିଲା । ସଦା ଜାଗ୍ରତ ପ୍ରେସରିପୋର୍ଟର ଓ ଫଟୋଗ୍ରାଫରମାନେ ଆସି ଉପସ୍ଥିତ ହେଲେ । କେବଳ ମୃତଦେହର ନୁହେଁ, ସମଗ୍ର ଘରଟିର ଓ ସାର୍‌ଲକ୍‌ର ମଧ୍ୟ ବହୁ ଆଲୋକ ଚିତ୍ର ଉଠେଇଲେ । ବହୁ ପ୍ରଶ୍ନରେ ଏସ୍. ପି. ଙ୍କୁ ବିବ୍ରତ କରିବାକୁ ଲାଗିଲେ । ହୀରା ମାଳଟିର ଫଟ ମଧ୍ୟ ଉଠାଇଲେ ।

 

ଡକ୍ଟର ସିହ୍ନା ଓ ତାଙ୍କର ଅନୁଚରମାନେ ସ୍ଥାନଟିକୁ ଅତି ଯତ୍ନରେ ପରୀକ୍ଷା କଲେ । କେତେ ସ୍ଥାନର ମାଟି, ଗୋଡ଼ି ଓ ଘାସମାନ ବିଭିନ୍ନ ପୁଡ଼ିଆରେ ବାନ୍ଧି ଲାବୋରାଟେରୀରେ ପରୀକ୍ଷା କରିବା ପାଇଁ ନେଲେ ।

 

ସକାଳ ହୋଇଗଲା । ସବୁ କାମ ଛିଣ୍ଡାଇ ପୁଲିସ ଦଳ ବାହାରିଲେ । କିନ୍ତୁ ଧୂର୍ଜଟୀ ଆଉ ଦେଖାଗଲା ନାହିଁ । ଏସ. ପି. କହିଲେ– ବୋଧହୁଏ ଭୟରେ ସେ କେଉଁଠାରେ ଲୁଚିଥିବ । ତାକୁ ଖୋଜି ବାହାର କର ଓ ସଙ୍ଗରେ ଥାନାକୁ ନେଇଯାଅ । ସେହିଠାରେ ତାକୁ ଏ ତଦନ୍ତ ସମ୍ପର୍କରେ ପ୍ରଶ୍ନ କରିବାକୁ ହେବ । କିନ୍ତୁ ପୁଲିସ କର୍ମଚାରୀମାନଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଲା । ଧୂର୍ଜଟୀକୁ କେହି ଖୋଜି ପାଇଲେ ନାହିଁ । ଲୋକଟା ଯେପରି ପବନରେ ମିଶିଗଲା !!

 

ଏପରି ଘଟଣା ଦେଖି ଏସ. ପି. ଚିନ୍ତିତ ହେଲେ । ଦୃଢ଼ କଣ୍ଠରେ ଥାନା ଅଫିସରଙ୍କୁ ଆଦେଶ ଦେଲେ– ଧୂର୍ଜଟୀକୁ ଖୋଜି ବାହାର କରିବାକୁ ହେବ । ଏ ରହସ୍ୟର ସେଇ ହେଉଛି କେନ୍ଦ୍ରବିନ୍ଦୁ । ପୁଲିସ ନଜରରୁ ସେ ଏପରି ରହସ୍ୟ ଜନକ ଭାବରେ ଅଦୃଶ୍ୟ ହୋଇଯିବା ଅତିଶୟ ସନ୍ଦେହ ଜନକ ।

 

ସହରର ବିଭିନ୍ନ ସ୍ଥାନରେ ଆଉ କେତୋଟି ତଦନ୍ତ ଶେଷ କରି ବିଖ୍ୟାତ ରହସ୍ୟ ସନ୍ଧାନୀ ଭବାନୀ ମହାପାତ୍ର ମଧ୍ୟାହ୍ନ ବେଳକୁ ନିଜ ବସାକୁ ଫେରିଲେ । ରାତିସାରା ସେ ଅନିଦ୍ର । କିନ୍ତୁ ଜୀବନରେ କେବେହେଲେ ସେ ଶାରୀରିକ କ୍ଳାନ୍ତିରେ ଅବସାଦଗ୍ରସ୍ତ ହୋଇ ଯାଇ ନାହାନ୍ତି । ଇସପାତ୍ ଠାରୁ ମଧ୍ୟ ଶକ୍ତ ଉପାଦାନରେ ତାଙ୍କର ଦେହ ଓ ମନ ଗଢ଼ା I ନିତ୍ୟକର୍ମ ଶେଷକରି ଭବାନୀ ବାବୁ ନିଜର । ବୈଠକ ଖାନାରେ ଯାଇ ବସିଲେ । ପୂର୍ବ ରାତ୍ରିରେ ଅଳକାର ହାତବ୍ୟାଗ ଭିତରୁ ପାଇଥିବା “ସ୍ଳିପ ପ୍ୟାଡ” ଖଣ୍ଡିକ କାଢ଼ି ଟେବୁଲ ଲାମ୍ପର ଉଜ୍ଜ୍ୱଳ ଆଲୋକ ତଳେ ତାକୁ ପରୀକ୍ଷା କରିବାକୁ ଲାଗିଲେ । ମଟର କାରର ନମ୍ବରଟା ଅଳକା ଖଣ୍ଡିଏ ସ୍ଳିପ ଉପରେ ଲେଖିଥିଲା-। ଠିକ ସେ ସ୍ଳିପର ତଳ କାଗଜ ଖଣ୍ଡିକ ଭବାନୀବାବୁ ଲେନସ ତଳେ ପରୀକ୍ଷା କଲେ । ପେନସିଲର ଚିହ୍ନ ପତଳା କାଗଜ ଉପରେ ରେଖାପାତ କରିଛି । ଭବାନୀ ବାବୁ ତାହା ପଢ଼ି ପାରିଲେ । ସେ ଜାଣି ପାରିଲେ ଯେ ସ୍ଳିପଟିରେ ଲେଖାଥିଲା “ଓ. ଆର. ଇଉ ୧୨୬୪ ।”

 

ଭବାନୀ ବାବୁଙ୍କ କପାଳ ରେଖା କୁଞ୍ଚିତ ହୋଇଉଠିଲା । ଗଭୀର ଧ୍ୟାନମଗ୍ନ ହୋଇ ସେ ବସି ରହିଲେ । ମଟରକାରଟିକୁ ସେ ଜାଣନ୍ତି । ତାର ମାଲିକକୁ ମଧ୍ୟ ଭଲ ଭାବରେ ଜାଣନ୍ତି । କିନ୍ତୁ ଏହା କ’ଣ ସମ୍ଭବ ! ଅଳକାର ଆତତାୟୀମାନେ ସେଇ ଗାଡ଼ିଟି କିପରି ଓ କାହିଁକି ବ୍ୟବହାର କରୁଥିଲେ ସେ ଯେପରି ଏକ ବିରାଟ ରହସ୍ୟ ।

 

ଭବାନୀ ବାବୁ ଅବିବାହିତ । ପୁରାତନ ଭୃତ୍ୟ ରଘୁନାଥ ତାଙ୍କ ନିଃସଙ୍ଗ ଜୀବନରେ ଏକମାତ୍ର ସାଥୀ । ରଘୁନାଥ ତାର ଏଇ ଅଦ୍ଭୁତ ପ୍ରକୃତିର ପ୍ରଭୁଟିକୁ ଭଲ ଭାବରେ ଜାଣେ । ତାଙ୍କର ଏଇ ଧ୍ୟାନ ଗମ୍ଭୀର ରୂପଟି ସହିତ ସେ ଭଲ ଭବରେ ପରିଚିତ । ଘଣ୍ଟା ଘଣ୍ଟା ଧରି ସେ ଏହିପରି ଧ୍ୟାନମଗ୍ନ ହୋଇ ବସିଥାନ୍ତି । ସେତେବେଳେ ତାଙ୍କର ଭୋକ ଶୋଷ ନ ଥାଏ କାହାର ସହିତ ସାକ୍ଷାତ ମଧ୍ୟ କରନ୍ତି ନାହିଁ ।

 

ଅପରାହ୍ନ ପ୍ରାୟ ତିନିଟା ବେଳକୁ ତାଙ୍କର ଧ୍ୟାନ ଭଗ୍ନହେଲା । ରଘୁ କପେ ଚାହା ଆଣି ଟେବୁଲ ଉପରେ ରଖିଦେଇ ଜଣାଇଲା ଯେ ଜଣେ ଭଦ୍ରଲୋକ ତଳମହଲରେ ଅପେକ୍ଷା କରିଛନ୍ତି-। ଭବାନୀବାବୁ କାନ୍ଥ ଘଡ଼ିକୁ ଚାହିଁ ଦେଖିଲେ । ତା’ପରେ କହିଲେ ତାଙ୍କୁ ଭିତରକୁ ନେଇଆ ରଘୁ ।

 

କିଛିକ୍ଷଣ ପରେ ଜଣେ ମଧ୍ୟ ବୟସ୍କ ଭଦ୍ରଲୋକ ଘରଭିତରେ ପଶିଲେ । ତାଙ୍କୁ ଚୌକି ଉପରେ ବସିବାକୁ ଇଙ୍ଗିତ କରି ଭବାନୀବାବୁ କହିଲେ– ଆପଣ ଆସିବେ ବୋଲି ମୁଁ ଜାଣିଥିଲି । କିନ୍ତୁ ଏତେ ଶୀଘ୍ର ଆସି ପହଞ୍ଚିବେ ବେଲି ମୁଁ ଭାବି ନଥିଲି ମି. ମୂର୍ତ୍ତି । ଅଳକାର ନିଶ୍ଚୟ ଖୁବ ବଡ଼ ପଲିସି ଥିଲା ?

 

ଜୀବନ ବୀମା କମ୍ପାନିର ଏରିଆ ସୁପରଭାଇଜର ମି. ରାମମୂର୍ତ୍ତି ଭବାନୀବାବୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ– ଆପଣ କ’ଣ ମୋତେ ଚିହ୍ନନ୍ତି ! ମୁଁ ତ ଏଠାରେ ରହେନାହିଁ । ପୁରୀ ହେଉଛି ମୋର ହେଡ କ୍ଵାଟର୍ସ । ମୁଁ ଆଦୌ ବୁଝିପାରୁନାହିଁ ଯେ ଆପଣ ମୋତେ ଚିହ୍ନିଲେ କିପରି– ଆଉ ମୁଁ ଯେ ଅଳକା ଦେବୀଙ୍କର ଇନ୍‌ସୁରେନ୍‌ସରେ ପଲିସ ବିଷୟରେ ଏଠାକୁ ଆସିଛି, ତାହା ଆପଣ ଜାଣିଲେ କିପରି !!

 

ସାମାନ୍ୟ ଟିକିଏ ରହସ୍ୟମୟ ହସ ହସି ଭବାନୀବାବୁ କହିଲେ– ନା’ ନା’ ମି ରାମମୂର୍ତ୍ତି ଆପଣ ଏହିପରି ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ଏହା ଆଦୌ ଇନ୍ଦ୍ରଜାଲ ନୁହେଁ । ଏହାହିଁ ମୋର ପେଷା । ସୁତରାଂ ଆମର ଆଖି ଓ ମନ ଏ ସବୁ ବିଷୟରେ ଅତିଶୟ ସଚେତନ । ଆପଣଙ୍କ ପୋର୍ଟ ଫୋଲିଓ ବ୍ୟାଗ ଦେହରେ ଆପଣଙ୍କ ନା’ ଲେଖା କାର୍ଡ଼ ବ୍ୟାଗ ଦେହରେ ଆପଣଙ୍କ ନା’ ଲେଖା କାର୍ଡ଼ ଲାଗିଛି । ତା’ ଛଡ଼ା ଗତରାତିରେ ଅଳକାର ହାତ ବ୍ୟାଗ୍ ଭିତରେ ଆପଣଙ୍କ କମ୍ପାନିର ମୁଁ ମନି ରସିଟ୍ ଦେଖିଥିଲି । ମୋର ମନେ ହେଉଛି, ମାତ୍ର ଗତ କାଲି ଅଳକା ତା’ର ଗୋଟିଏ ପ୍ରିମିୟମ ଦେଇ ରସିଦ ନେଇଥିଲା ।

 

ଆପଣ ଠିକ୍ କହିଛନ୍ତି ସାର୍ । ଅଳକା ଦେବୀ ଦୁଇଲକ୍ଷ ଟଙ୍କାର ଗୋଟିଏ ପଲିସି କରିଥିଲେ । ଏଥି ପୂର୍ବରୁ ମାତ୍ର ଗୋଟିଏ ପ୍ରିମିୟମ ଦେଇଛନ୍ତି । ଗତକାଲି ତାଙ୍କର ଦ୍ଵିତୀୟ ପ୍ରିମିୟମ ଦାଖଲ କରିବାର ଶେଷ ତାରିଖ । ଅପରାହ୍ନ ଦୁଇଟା ବେଳେ ସେ ତାଙ୍କର ପ୍ରିମିୟମ ଦାଖଲ କଲେ । ଯେପରିକି ସେ ଜାଣି ପାରିଥିଲେ ଯେ ସେ ମରିବାକୁ ଯାଉଛନ୍ତି । ଆହୁରି ବିଚିତ୍ର କଥା ହେଉଛି– ଅଳକା ଦେବୀଙ୍କର ମୃତ୍ୟର ଚବିଶ ଘଣ୍ଟା ନ ପୁରୁଣୁ ତାଙ୍କର ଉତ୍ତରାଧିକାରୀ ଟଙ୍କାଟା ଅତିଶୀଘ୍ର ଦେଇଦେବା ପାଇଁ ଆଜି ସକାଳ ଦଶଟା ବେଳେ ଆମକୁ ଓକିଲ ନୋଟିସ ଦେଇଛନ୍ତି । ଆପଣତ ଜାଣନ୍ତି ସାର, କାଳବିଳମ୍ବ ନ କରି ପାର୍ଟିର ଦାବୀ ବା ଦେୟ ଫଇସଲା କରିବା ଆମର ଘୋଷିତ ନୀତି । ସେଥିଯୋଗୁ ମୁଁ ଆପଣଙ୍କୁ ଟିକିଏ ବିରକ୍ତ କରିବାକୁ ବାଧ୍ୟ ହେଲି । ଅଳକା ଦେବୀଙ୍କର ଖଣ୍ଡିଏ ଡେଥ ସାର୍ଟିଫିକେଟ ଆମର ପ୍ରୟୋଜନ ସେ ଖଣ୍ଡି ନ ପାଇଲେ ଆମେ ସେଟେଲମେଣ୍ଟ କରି ପାରୁନାହିଁ ।

 

ସବୁ ଶୁଣି ସାରି ଭବାନୀବାବୁ ବହୁକ୍ଷଣ ନିରବରେ ବସି ରହିଲେ । ତା’ପରେ ରାମମୂର୍ତ୍ତିଙ୍କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ– ପ୍ରିମିୟମର ଟଙ୍କାଟା କ’ଣ ଅଳକା ଦେବୀ ନିଜେ ଯାଇ ଆପଣଙ୍କୁ ଅଫିସରେ ଦାଖଲ କରିଥିଲେ ନା’ ଅନ୍ୟ କେହି ତାଙ୍କ ପାଇଁ ଦାଖଲ କରିବାକୁ ଯାଇଥିଲେ ?

 

ମୁଁ ଏହିକ୍ଷଣି ବୁଝି ନେଇ କହୁଛି ସାର୍ । ଏହା କହି ମି. ରାମମୂର୍ତ୍ତି ଭବାନୀ ବାବୁଙ୍କ ଟେଲିଫୋନ ଉଠାଇ ତାଙ୍କ ଅଫିସ ସଂଯୋଗ ସ୍ଥାପନ କଲେ । କିଛିକ୍ଷଣ ନିମ୍ନ ସ୍ଵରରେ କଥାବାର୍ତ୍ତା ହୋଇସାରି କହିଲେ ନାଇଁ ସାର୍ ଅଳକା ଦେବୀ ନିଜେ ଯାଇ ନାହାନ୍ତି । ଆଉ ଜଣେ ଅଚିହ୍ନା ଭଦ୍ରଲୋକ ଯାଇଥିଲେ । ତାଙ୍କର ନାମ ବା ଠିକଣା ଜଣାନାହିଁ । ଟଙ୍କାଟା କାହାପାଇଁ ଦାଖଲ କରାହେଲା, ତାହାହିଁ କେବଳ ଆମ ରେକର୍ଡରେ ରଖାହୁଏ । କିଏ ନେଇ ଦାଖଲ କଲା, ତାହା ଜାଣି ରଖିବା ଆମର ନିୟମନୁହେ ଆମର ସିନିୟର କ୍ୟାସିୟାର ଦାମୋଦର ବାବୁ ଟଙ୍କାଟା ଗ୍ରହଣ କରି ରସିଦ ଦେଇଛନ୍ତି ।

 

ଭବାନୀବାବୁ ନୀରବରେ ସବୁ ଶୁଣିଲେ । ତା’ ପରେ ପୁଣି ପଚାରିଲେ– ଅଳକା ଦେବୀ କାହାକୁ ତାଙ୍କର ଉତ୍ତରାଧିକାରୀ କରି ଯାଇଛନ୍ତି ? ମୁଁ ତ ଜାଣେ ଯେ ତାଙ୍କର ବିଧବା ମା’ ଗୋଟିଏ ସାନ ଭଉଣୀ ଓ ଗୋଟିଏ ସାନ ଭାଇ ଅଛି । ସେଇ ଭାଇ ଭଉଣୀମାନେ ତ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବା ସ୍ଵାଭାବିକ ।

 

ଉଚ୍ଚାଙ୍ଗର ଟିକିଏ ହସ ହସି ରାମ ମୂର୍ତ୍ତି କହିଲେ– ଏ ଜଗତରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟଧାରା ସମ୍ପୂର୍ଣ୍ଣ ଅସ୍ଵାଭାବିକ ସାର୍ । ଅଳକା ଦେବୀ ସେଇମାନଙ୍କୁ ଭିତରୁ ବୋଧହୁଏ ଜଣେ ଥିଲେ । ନିଜ ଭାଇ ଭଉଣୀଙ୍କୁ ଡାକି ସମ୍ପତ୍ତିର ଉତ୍ତରାଧିକାରୀ ନ କରି ସେ ସମ୍ପୂର୍ଣ୍ଣ ଜଣେ ଭିନ୍ନ ବ୍ୟକ୍ତିକୁ କରି ଯାଇଛନ୍ତି । ତାଙ୍କର ଉତ୍ତରାଧିକାରୀ ହେଉଛନ୍ତି ଜଣେ ଯୁବତୀ ଲେଡ଼ି ଡାକ୍ତର । ଡାକ୍ତର ସଙ୍ଘମିତ୍ରା ଦାସ । ଖୁବ୍ କମ ଦିନ ହେଲା ସେ ଡାକ୍ତରୀ ପାସ୍ କରିଛନ୍ତି । ଏଇ ସହରର ତେଲଙ୍ଗା ବଜାରରେ ଖଣ୍ଡିଏ ସାନ ଭଡ଼ା ଘରେ ସେ ଏକା ରହି ପ୍ରାଇଭେଟ୍ ପ୍ରାକଟିସ କରନ୍ତି । ସେଇ ସଙ୍ଘମିତ୍ରା ଦାସ ବର୍ତ୍ତମାନ ଟଙ୍କାଟା ଦାବି କରିଛନ୍ତି ।

 

ଭବାନୀ ବାବୁ ସବୁ ଶୁଣିଲେ । ତାପରେ କହିଲେ– ଦେଖନ୍ତୁ ମି. ରାମମୂର୍ତ୍ତି, ଅଳକା ଦେବୀକୁ ଯେ ହତ୍ୟା କରାହୋଇଛି ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ମୁଁ ଏ ପର୍ଯ୍ୟନ୍ତ ପାଇନାହିଁ । ଦୁଇଦିନ ପରେ ମୁଁ ଅଳକା ଦେବୀଙ୍କର ଡେଥ୍ ସାର୍ଟିଫିକେଟ୍ ଦେବାକୁ ସକ୍ଷମ ହେବି ।

 

ମି: ରାମମୂର୍ତ୍ତି ଧନ୍ୟବାଦ ଜଣାଇ ବିଦାୟ ନେଲେ ।

 

ତିନି

 

ପୁଲିସ ମାଲଖାନା ଭିତରେ ରଖା ହୋଇଥିବା ଅଳକାର ହାତ ବ୍ୟାଗଟି ଭିତରେ ଥିବା ଇନ୍‌ସୁରେନ୍‌ସ କମ୍ପାନିର ରସିଦଟିକୁ ଭବାନୀ ବାବୁ ନେଇଆସି ତାଙ୍କର ନିଜସ୍ଵ ଲବୋରେଟେରୀ ଭିତରେ ପଶିଲେ । ଚାରିଭାଙ୍ଗ ହୋଇ ମସୃଣ କାଗଜ ଖଣ୍ଡିକ ରଖା ହୋଇଛି । ଲେବୋରେଟରୀର ଉଜ୍ଵଳ ଆଲୋକରେ ଶକ୍ତିଶାଳୀ ଲେନ୍‌ସ ତଳେ ବହୁକ୍ଷଣ ପର୍ଯ୍ୟନ୍ତ ସେ କାଗଜ ଖଣ୍ଡିକ ଭବାନୀ ବାବୁ ପରୀକ୍ଷା କଲେ । ତାଙ୍କର ମୁଖ ଉଜ୍ଵଳ ହୋଇ ଉଠିଲା । ସେ ଯାହା ଆଶାକରୁଥିଲେ ତାହାହିଁ ଅଛି । ମସୃଣ କାଗଜଟି ଉପରେ କେତୋଟି ଅତି ଅସ୍ପଷ୍ଟ ଆଙ୍ଗୁଳି ଚିହ୍ନ ରହିଛି । “ଗ୍ରେ ପାଉଡର” ଦେଇ ଅତି ଯତ୍ନରେ ଭବାନୀ ବାବୁ ସେ ଅଷ୍ପଷ୍ଟ ଚାପ ଗୁଡ଼ିକ ଡେଭେଲପ କଲେ । ଧୀରେ ଧୀରେ ସେଗୁଡ଼ିକ ସ୍ପଷ୍ଟ ହୋଇ ଉଠିଲା । ତା’ପରେ ଗୋଟିଏ ଅତି ଶକ୍ତିଶାଳୀ ଜାପାନୀ କ୍ୟାମେରା ବାହାର କରି ସେ ସେହି ଆଙ୍ଗୁଳି ଚିହ୍ନ ଗୁଡ଼ିକର ଫଟ ଉଠାଇଲେ । ଫିଲ୍ମଟି ତା’ପରେ ଡେଭେଲପ କରି ସେ ପୁଣି ବିଜୁଳି ଆଲୁଅ ଜଳାଇ ଫିଲିମ୍‌ଟିକୁ ମେଲାଇ ଦେଖିଲେ । ମନ ତାଙ୍କର ଖୁସି ହାଇଉଠିଲା । ଗୋଟିଏ ଆଙ୍ଗୁଳି ଚିହ୍ନ ଅତି ପରିଷ୍କାର ଉଠିଛି । ମେଗନିଫାଇଙ୍ଗ ଗ୍ଲାସ ତଳେ ଯାହା ଅଷ୍ପଷ୍ଟ ଦେଖା ଯାଉଥିଲା ଶକ୍ତିଶାଳୀ କାମେରାର ଲେନସ୍‌ରେ ତାହା ଅତି ସୁଷ୍ପଷ୍ଟ ହୋଇ ଉଠିଛି । ନେଗେଟିଭଟିରୁ ଦୁଇଖଣ୍ଡି ବଡ଼ ଜବି ପ୍ରସ୍ତୁତ କରି ମୃତ ଅଳକାର ଟିପ ଚିହ୍ନ ସହିତ ତାହା ମିଳାଇଲେ । ସେ ମନେ ମନେ ଖୁସି ହୋଇ ଉଠିଲେ । ଅଳକାର ଟିପ ଚିହ୍ନ ସହିତ ତାହା ସିଳିଲା ନାହିଁ । ଆଉ ଗୋଟିଏ ମାତ୍ର ସନ୍ଦେହ ଅଛି । ଇନସୁରେନ୍‌ସ କମ୍ପାନିର ସିନିଅର କ୍ୟାସିୟାର ଦାମୋଦର ବାବୁ ଏହା ପ୍ରସ୍ତୁତ କରଥିଲେ । ରସିଦରେ ଥିବା ଅଙ୍ଗୁଳି ଚିହ୍ନଟି ତାଙ୍କର ମଧ୍ୟ ହୋଇପାରେ । ଦାମୋଦର ବାବୁଙ୍କର ନମୁନା ଅଙ୍ଗୁଳି ଚିହ୍ନ ଆଣିବା ପାଇଁ ଭବାନୀ ବାବୁ ତାଙ୍କର ବିଶ୍ୱସ୍ତ କର୍ମଚାରୀ ୟୁସୁଫକୁ ପଠାଇଛନ୍ତି-। ଅଳ୍ପକାଳ ପରେ ୟୁସୁଫ ଫେରି ଆସିବ । ତା’ପରେ ସେ ଜାଣି ପାରିବେ ଯେ ପୂର୍ବପରି ଘୋର ଅନ୍ଧକାର ଭିତରେ ଘୁରି ବୁଲୁଛନ୍ତି କି ଟିକିଏ ଆଲୋକ ପାଇଛନ୍ତି ।

 

ଅଙ୍ଗୁଳି ଚିହ୍ନର ଫଟଗ୍ରାଫଗୁଡ଼ିକ ଯତ୍ନ ସହକାରେ ଖଣ୍ଡିଏ ଲଫାପା ଭିତରେ ପୁରାଇ ସେ ନିଜର ବୈଠକ ଖାନାକୁ ଆସିଲେ । ସେତେବେଳକୁ ରାତି ହୋଇ ଗଲାଣି । ରଘୁ ଟେବୁଲ ଉପରେ ଚାହା କପେ ରଖି ଦେଇଗଲା । ଚାହା ଖାଉ ଖାଉ ସେ ପୁଣି କେତେ କ’ଣ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ୟୁସୁଫ ଘର ଭିତରେ ପଶିଲା । ସୁନ୍ଦରକାନ୍ତି ବଳବାନ ଯୁବକ । ଭବାନୀ ବାବୁଙ୍କର ଅତି ପ୍ରିୟ ଓ ବିଶ୍ୱାସୀ । –ଦାମୋଦର ବାବୁଙ୍କର ନମୁନା ଅଙ୍ଗୁଳି ଛାପ (Specimen print) ସଂଗ୍ରହ କରିଛି ୟୁସୁଫ ?

 

ହସ ହସ ମୁହଁରେ ୟୁସୁଫ କହିଲା– ହଁ ସାର୍‌ କେବଳ ଦାମୋଦର ସାହୁଙ୍କର ନୁହେଁ– ଅଫିସର ହେଡ଼୍‌କ୍ଲର୍କ ସୁରେନ୍ଦ୍ର ବାବୁଙ୍କର ମଧ୍ୟ ଗୋଟାଏ ସେଟ୍‌ ଆଣିଛି । ଦାମୋଦର ବାବୁ ରସିଦଟି ପ୍ରସ୍ତୁତ କରି ସୁରେନ୍ଦ୍ର ବାବୁଙ୍କୁ ଦସ୍ତଖତ କରିବା ପାଇଁ ଦେଇଥିଲେ । ସେ ସେଥିରେ ଦସ୍ତଖତ କରିଥିଲେ !

 

ଭବାନୀ ବାବୁ ଖୁସି ହୋଇ କହିଲେ– ଖୁବ ଭଲକାମ କରିଛ । ଏବେ ତୁମେ ମୋ ଲବୋରେଟରୀ ଭିତରକୁ ଯାଅ ।

 

ସେଇ ଦୁଇ ସେଟ୍ ଟିପ ଏଇ ଫଟୋ ପ୍ରିଣ୍ଟ ସହିତ ମିଳାଇ ଦିଅ । ନିର୍ଭୁଲ ଭାବରେ ମିଳାଇବ । ଏହା କହି ଭବାନୀ ବାବୁ ଲଫାପା ଖଣ୍ଡିକ ୟୁସୁଫ ହାତକୁ ବଢ଼ାଇ ଦେଲେ । ୟୁସୁଫ ଚାଲିଗଲା ।

 

କିଛିକ୍ଷଣ ପରେ ଟେବୁଲ ଫୋନଟା ବାଜି ଉଠିଲା । ଭବାନି ବାବୁ ରିସିଭର କାନରେ ଲଗାଇ ଶୁଣିଲେ । ଏସ୍. ପି କହୁଛନ୍ତି । ଆଉ କୌଣସି ନୂଆ ସୂତ୍ର ଆବିଷ୍କାର କରି ପାରିଲେ କି ଭବାନୀ ବାବୁ ? ଏ ବିପଦ ବେଳେ ଆପଣଙ୍କର ବୁଦ୍ଧି ଓ ଶକ୍ତି ଉପରେ ମୁଁ ଭରସା ରଖି ବସିଛି । ଆଜି ଦିନସାରା ଡକ୍ଟର ସିହ୍ନା ତାଙ୍କର ନିଜସ୍ଵ ଲେବୋରାଟେରୀରେ ଜବତ୍ ହୋଇଥିବା ହୀରା ହାରଟିକୁ ପରୀକ୍ଷା କରି କିଛି ସମୟ ପୂର୍ବରୁ ତାହା ମୋତେ ଫେରାଇ ଦେଇଥିଲେ ! କିଛି ପାଇଲେ ନାହିଁ । ଦିନସାରା ଅଭୁକ୍ତ ରହି ସେ ପରିଶ୍ରମ କରିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ହତାଶ ହୋଇଛନ୍ତି ।

 

ଭବାନୀ ବାବୁ କହିଲେ– ନାଇଁ ମି. ଦାସ, ମୁଁ ଏ ପର୍ଯ୍ୟନ୍ତ କୌଣସି ମୂଲ୍ୟବାନ ସୂତ୍ର ଆବିଷ୍କାର କରି ପାରିନାହିଁ । ମୋର ତ ତଦନ୍ତ ପଦ୍ଧତି ଆପଣ ଜାଣନ୍ତି । ମୁଁ ପ୍ରଥମେ ଗଭୀର ପାଣିରେ ଯାଇ ଜାଲ ପକାଏ । ତା’ପରେ ଯେତେବେଳେ ମୁଁ ଜାଣିପାରେ ଯେ ମାଛ ଜାଲ ଭିତରେ ପଶିଛି, ସେତେବେଳେ ଯାଇ ମୁଁ ଜାଲ ଟାଣେ । ଏ ପର୍ଯ୍ୟନ୍ତ କୌଣସି ମାଛ ନ ପାଇଥିଲେ ସୁଦ୍ଧା ମୋର ଦୃଢ଼ ବିଶ୍ୱାସ ଯେ ଖୁବ୍ ଅଳ୍ପକାଳ ଭିତରେ ଆମେ କୃତକାର୍ଯ୍ୟ ହେବା । ଆପଣ ଥୟ ଧରନ୍ତୁ-

 

ତା’ପରେ ଏସ୍. ପି: କହିଲେ– ହଁ ଆଉ ଗୋଟିଏ କଥା । ଧୂର୍ଜଟୀ ଶର୍ମାର ଅନ୍ତର୍ଦ୍ଧାନ ବିଷୟରେ ଆଇ: ଜି: ଅତିଶୟ ଅସନ୍ତୁଷ୍ଟ ହୋଇଛନ୍ତି । କେତେକ ସମ୍ବାଦପତ୍ର ମଧ୍ୟ ପୁଲିସର ଅପାରଗତା ନେଇ ଅତି କଟୁ ମନ୍ତବ୍ୟ କରୁଛନ୍ତି । ଆଇ. ଜି. କହୁଛନ୍ତି ଧୂର୍ଜଟୀ ଗୋଟିଏ ପୁରୁଣା ଡକାଏତ । ସେ ନିଜେ ଯେ ଏ ହତ୍ୟାକାଣ୍ଡ କରିନାହିଁ ତାହା ବା କିଏ କହିବ । ତା’ରି ଘର ଭିତରୁ ମୃତ ଦେହଟି ବାହାରିଲା । ପୁଣି ତା’ରି ଘରର ମାଟି ତଳୁ ଚୋରା ହୀରା ମାଳ ବାହାରିଲା । ଏପରି କ୍ଷେତ୍ରରେ ବିନା ପ୍ରମାଣରେ ତାକୁ ନିର୍ଦ୍ଦୋଷ ବୋଲି ଭାବିବା ଠିକ୍ ନୁହେଁ । ତା’ଛଡା ତା’ର ଏପରି ଭାବରେ ଅନ୍ତର୍ଦ୍ଧାନ ହୋଇଯିବା ଦ୍ଵାରା ସେ ଯେ ଦୋଷୀ ଏ ପ୍ରମାଣ ଅଧିକ ଦୃଢ଼ ହେଉଛି । ଆଇ. ଜି. ଏ ବିଷୟରେ ମିଶ୍ର ସାହେବଙ୍କଠାରୁ ରିପୋର୍ଟ ପାଇ ଅତିଶୟ ଅସନ୍ତୁଷ୍ଟ ହୋଇଛନ୍ତି । ଆଜି ଦିନସାରା ପୁଲିସ ଏ ସହରର ସବୁ ଗଳି କନ୍ଦି ଖୋଜିଛନ୍ତି । କିନ୍ତୁ ତା’ର କୌଣସି ସନ୍ଧାନ ପାଇ ନାହାନ୍ତି ।

 

ଭବାନୀ ବାବୁ କହିଲେ– ଧୂର୍ଜଟୀ କେଉଁଆଡେ ପଳାଇ ଯାଇ ପାରିବ ନାହିଁ । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଓ ଦେଉଛି ଯେ ମୁଁ ନିଜେ ତାକୁ ଧରି ଆଣି ହାଜର କରାଇବି । ସେ ଯଦି ଦୋଷୀ ବୋଲି ପ୍ରମାଣିତ ହୁଏ, ତେବେ ସେ ନିଶ୍ଚୟ ଦଣ୍ଡ ଭୋଗ କରିବ ।

 

ଭବାନୀ ବାବୁଙ୍କ କଥା ଶୁଣି ଏସ୍. ପି. ଆଶ୍ୱସ୍ତ ହେଲେ । ତା ପରେ କହିଲେ– ଆପଣ ପୁଣି ଆନନ୍ଦିତ ହେବେ ଯେ ଯେ କୌଣସି ଭାବରେ ହେଉ ପଛେ, ସୁଲତାନ ନନ୍ଦିନୀ ସାୟରାବାନୁର ଅପହୃତ ହୀରା ହାରଟି ଯେ ଆମେ ଉଦ୍ଧାର କରି ପାରିଛୁ, ସେ ସମ୍ବାଦ ପାଇ ଦିଲ୍ଲୀର କର୍ତ୍ତାମାନେ ମଧ୍ୟ ଖୁସି ହୋଇଛନ୍ତି । ସୁଲତାନ ସପରିବାରରେ ଶିକାର କରିବା ପାଇଁ ରାମପୁର ବଙ୍ଗଳାକୁ ଯାଇଛନ୍ତି । ତାଙ୍କ ନିକକୁଟ ଏ ସମ୍ବାଦ ପଠାଇ ଦିଆ ହୋଇଛି । ସେ ଆଜି ରାତିରେ କଟକ ଫେରି ଆସୁଛଛି । ଆସନ୍ତା କାଲି ଏ ବହୁ ମୂଲ୍ୟ ହାର ଆଇ. ଜି. ନିଜେ ନେଇ ସୁଲତାନ ନନ୍ଦିନୀକୁ ଦେବେ । ଆଚ୍ଛା, ରହିଲି । ଶୁଭରାତ୍ରି । ଏସ୍. ପି. ଫୋନ ଛାଡ଼ି ଦେଲେ ।

 

କିଛିକ୍ଷଣ ପରେ ପୁଣି ଟେଲିଫୋନ ବାଜି ଉଠିଲା । ଭବାନୀ ବାବୁ ରିସିଭର ଉଠାଇ ନେଲେ । ଏଥର ଗୋଇନ୍ଦା ବିଭାଗ ଏସ. ପି. ମିଶ୍ର ସାହେବ କଥା କହୁଛନ୍ତି । ତାଙ୍କର ସ୍ଵଭାବ ସୁଲଭ ଉଦ୍ଧତ କଣ୍ଠରେ ସେ କହିଲେ– ଭବାନୀ ବାବୁ, ଅଳକାକୁ ଯେ ଖୁନ୍ କରାହୋଇଛି, ଏଥିରେ କଣ ଏ ପର୍ଯ୍ୟନ୍ତ ଆପଣଙ୍କର କୌଣସି ସନ୍ଦେହ ଅଛି ।

 

ଏପରି ପ୍ରଶ୍ନରେ ଭବାନୀ ବାବୁ ମନେ ମନେ ବିରକ୍ତ ହେଲେ । କହିଲେ– ନା, ନା, ସେଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ମୋତେ ଏତେଦୂର ନିର୍ବୋଧ ମନେ କରିବା ମଧ୍ୟ ଉଚିତ ନୁହେଁ ।

 

–ନା, ନା, ମୁଁ ଆପଣଙ୍କୁ ଅତିଶୟ ବୁଦ୍ଧିମାନ ବୋଲି ଜାଣେ । କିନ୍ତୁ ମୁଁ ଜାଣିବାକୁ ଚାହେଁ ଯେ ମି ରାମମୂର୍ତ୍ତିଙ୍କୁ ଆପଣ ଅଳକାର ଡେଥ୍‌ ସାର୍ଟିଫିକେଟ୍‌ଟା ନ ଦେଲେ କାର୍ହିଁକି ?

 

ଲୋକଟାର କଣ୍ଠସ୍ଵର ଓ କହିବା ଭଙ୍ଗିରେ ଭବାନୀ ବାବୁ ଅତିଶୟ ବିରକ୍ତ ହେଲେ । ଗୁରୁ ଗମ୍ଭୀର କଣ୍ଠରେ ସେ କହିଲେ ଦେଖନ୍ତୁ ମି. ମିଶ୍ର ମୁଁ ବର୍ତ୍ତମାନ ଏଇ କେସ୍‌ଟି ତଦନ୍ତ କରୁଛି । ଆପଣ ନିଶ୍ଚୟ ଜାଣନ୍ତି ଯେ ତଦନ୍ତ କରୁଥିବା ବେଳେ ତଦନ୍ତକାରୀ ପୁଲିସ କର୍ମଚାରୀକୁ ଆଇନ କେତେଗୁଡ଼ିଏ ବିଶେଷ କ୍ଷମତା ଦିଏ । ତା’ ମଧ୍ୟରେ ଯେ କୌଣସି ବ୍ୟକ୍ତିର– ଏପରିକି ସେ ବ୍ୟକ୍ତି ଆପଣଙ୍କ ପରି ଜଣେ ଉଚ୍ଚ ପୁଲିସ କର୍ମଚାରୀ ହୋଇଥିଲେ ମଧ୍ୟ ଜମାନବନ୍ଦି ନେବାର କ୍ଷମତା ଅନ୍ୟତମ । ସେଇ କ୍ଷମତା ବଳରେ ମୁଁ ଆପଣଙ୍କୁ ପଚାରୁଛି । ମୁଁ ଡେଥ ସାର୍ଟିଫିକେଟ୍ ଦେଲି ନାହିଁ ବୋଲି ମି. ରାମମୂର୍ତ୍ତି ଆପଣଙ୍କ ନିକଟରେ ଅଭିଯୋଗ କରୁଛନ୍ତି– କିମ୍ବା ଲେଡ଼ି ଡାକ୍ତର ସଙ୍ଘମିତ୍ରା ଦେବୀ ଏପରି ଅଭିଯୋଗ କରିଛନ୍ତି ।

 

ଭବାନୀବାବୁଙ୍କର ଏପରି ଗମ୍ଭୀର ଓ ଦୃଢ଼ ପ୍ରଶ୍ନରେ ମିଶ୍ର ସାହେବ ଦବିଗଲେ । ଭବାନୀ ବାବୁଙ୍କୁ ସେ ଭଲକରି ଚିହ୍ନନ୍ତି । ସାରା ଭାରତବର୍ଷରେ ତାଙ୍କର ସୁନାମ ରହିଛି । ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି । ଅପେକ୍ଷାକୃତ କୋମଳ କଣ୍ଠରେ ମିଶ୍ର ସାହେବ କହିଲେ କ୍ଷମା କରିବେ ଭବାନୀ ବାବୁ, ମୁଁ କୌଣସି ଉଦ୍ଦେଶ୍ୟ ରଖି ଏକଥା ପଚାରି ନାହିଁ । ସଂଙ୍ଘମିତ୍ରା ମୋର ପରିଚିତ । ସେ ଧନୀ ନୁହେଁ । ଅଳକା ଯେ ତାର ଜୀବନବୀମା ପଲିସିରେ ତାକୁ ଉତ୍ତରାଧିକାରୀ କରିଯାଇଛି ସେ କଥା ସେ ଜାଣି ପାରି ଟଙ୍କାଟା ପାଇବା ପାଇଁ କିଞ୍ଚିତ ବ୍ୟଗ୍ର ହୋଇଉଠିଛି । ସେଇ ଟଙ୍କାରେ ସେ ଗୋଟାଏ କ୍ଲିନିକ କରି ସ୍ଵାଧୀନ ଭାବରେ ଡାକ୍ତରୀ ବ୍ୟବସାୟ କରିବ । ସେଥିଯୋଗୁ ମୁଁ ଆପଣଙ୍କୁ ଏ କଥା ପଚାରୁଥିଲି । ଆଉ କୌଣସି ଉଦ୍ଦେଶ୍ୟ ନାହିଁ ।

 

ଅପେକ୍ଷାକୃତ କୋମଳ କଣ୍ଠରେ ଏଥର ଭବାନୀବାବୁ କହିଲେ, ମି: ରାମମୂର୍ତ୍ତି ମୋ ନିକଟକୁ ଯେତେବେଳେ ଆସିଥିଲେ ସେତେବେଳେ ମୁଁ ପୋଷ୍ଟମଟମ ରିପୋର୍ଟଟି ମଧ୍ୟ ପାଇ ନ ଥିଲି । ସେଥିଯୋଗୁ ଡେଥ୍ ସାର୍ଟିଫିକେଟ ଦେଇ ପାରିଲେନାହିଁ । ମୋର ଅନ୍ୟ କଛି ଉଦ୍ଦେଶ୍ୟ ନଥିଲା । ଏବେ ଯେ କୌଣସି ସମୟରେ ମୁଁ ଦେଇ ଦେବାକୁ ପ୍ରସ୍ତୁତ ଅଛି ।

 

ମିଶ୍ର ସାହେବ ଫୋନ ଛାଡ଼ିଦେଲେ । ଭବାନୀବାବୁ ନୀରବରେ ବସିରହି ବହୁକଥା ଚିନ୍ତା କରିବାକୁ ଲାଗିଲେ । ମୂଳରୁ ଏ ପର୍ଯ୍ୟନ୍ତ ମିଶ୍ର ସାହେବଙ୍କର ଭୂମିକା ବଡ଼ ରହସ୍ୟ ଜନକ । କେଉଁଠାରେ ଯେ ଏହାର ଶେଷ ସେ କଥା କିଏ କହିବ । ଏଇ ଇନ୍‌ସୁରେନ୍‌ସ ରହସ୍ୟଟିକୁ ତାଙ୍କୁ ପ୍ରଥମେ ଉଦ୍‌ଘାଟନ କରିବାକୁ ପଡ଼ିବ ।

 

ଘର୍ମାକ୍ତ କଳେବରରେ ୟୁସୁଫ ଆସି ପହଞ୍ଚିଲା । ଦୁଃଖିତ କଣ୍ଠରେ କହିଲା ନାହିଁ ସାର୍, ମିଳିଲା ନାହିଁ । ମୁଁ ବହୁ ଯତ୍ନରେ ପରୀକ୍ଷା କରିଛି । ଟିପ ଚିହ୍ନର ଫଟଗ୍ରାଫଟି ସହିତ ମୁଁ ଆଣିଥିବା ଟିପ ଚିହ୍ନ ମିଳିଲା ନାହିଁ ।

 

ଭବାନୀ ବାବୁ ଖୁସି ହୋଇ ଉଠିଲେ । ଟିପ ଚିହ୍ନ ଗୁଡ଼ିକ ଫଟ ସହିତ ନ ମିଳିବା ଯେ ଏ ରହସ୍ୟର ସବୁଠାରୁ ବଡ଼ ସୂତ୍ର । ଏ କଥା ୟୁସୁଫ ଜାଣି ନ ଥିଲା । ବର୍ତ୍ତମାନ ଇନ୍‌ସୁରେନ୍‌ସ ରସିଦ ଉପରେ ଯେଉଁ ଅଙ୍ଗୁଳି ଛାପଟି ଅଛି ସେଇଟି ଯେ ହତ୍ୟାକାରୀର, ଏଥିରେ କୌଣସି ସନ୍ଦେହ ନାହିଁ-। ଏତେଦିନ ପରେ ଗୋଟିଏ ଅତି ଅକାଟ୍ୟ ପ୍ରମାଣ ସେ ପାଇଛନ୍ତି । ଏବେ ତାଙ୍କୁ ନିପୁଣ ହସ୍ତରେ ଜାଲଟି ପ୍ରସାରିତ କରିବାକୁ ହେବ । ତା’ ପରେ ଯଥା ସମୟରେ ସେ ଜାଲ ଟାଣିବେ ।

 

ଭବାନୀବାବୁ କାନ୍ଥ ଘଡ଼ିକୁ ଚାହିଁଲେ । ରାତି ପ୍ରାୟ ନ’ଟା ହେଲାଣି । ଜଟିଆର ଆସିବାପାଇଁ ଆହୁରି ବିଳମ୍ବ ଅଛି । ପୁରାତନ ଭୃତ୍ୟ ରଘୁନାଥ ଆଉ ଦୁଇକପ୍ ଚାହା ଦେଇଗଲା । ୟୁସୁଫ ଅତିଶୟ କ୍ଲାନ୍ତ ହୋଇଥିଲା । ପରମ ତୃପ୍ତିରେ ଚାହା ପାନ କରିବାକୁ ଲାଗିଲା ।

 

ଏହି ସମୟରେ ପୁଲିସି ବିଜ୍ଞାନାଗାରର ଅଧ୍ୟକ୍ଷ ଡକ୍ଟର ସିହ୍ନା ଆସି ପହଞ୍ଚିଲେ । ଗୋଟିଏ ଅମାୟିକ ହସ ହସି କହିଲେ ନମସ୍କାର ଭବାନୀବାବୁ, ଆଜି ଦିନସାରା ମୁଁ ଏତେ କ୍ଲାନ୍ତ ଯେ ଟିକିଏ ମୁକ୍ତ ପବନରେ ବୁଲିବା ପ୍ରୟୋଜନ ହେଲା । ଏଇବାଟେ ଯାଉ ଯାଉ ଭାବିଲି ଥରେ ଆପଣଙ୍କ ସଙ୍ଗେ ଦେଖା କରିଯାଏ । ଆପଣଙ୍କ ପରି ବହୁଦର୍ଶୀ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କଲେ ମୁଁ ଅତିଶୟ ଆନନ୍ଦ ଲାଭ କରେ ।

 

ଭବାନୀବାବୁ ସ୍ମିତ ମୁଖରେ ଡକ୍ଟର ସିହ୍ନାଙ୍କୁ ବସିବାକୁ ଅନୁରୋଧ କଲେ । କହିଲେ– ଚାହା ନା କଫି କ’ଣ ଆଣିବାକୁ କହିବି ?

 

ପ୍ରଚଣ୍ଡ ଆପତ୍ତି କରି ଡକ୍ଟର ସିହ୍ନା କହିଲେ– ନା ନା ଭବାନୀ ବାବୁ । ଚାହା ବା କଫିର ପ୍ରୟୋଜନ ନାହିଁ । ବରଂ ଗିଲାସେ ଥଣ୍ଡା ପାଣି ଆଣିବାକୁ କହନ୍ତୁ । ଦିନ ସାରା ମୁଁ ଆଜି ମୋ ଲେବୋରାଟେରୀ ଭିତରେ ବନ୍ଦ ହୋଇଛି । ହୀରା ହାରଟାକୁ ମୁଁ ବହୁ ଭାବରେ ପରୀକ୍ଷା କଲି । କିନ୍ତୁ କିଛି ପାଇଲି ନାହିଁ । ଏପରିକି ସାମାନ୍ୟ ଟିକିଏ ଅଙ୍ଗୁଳି ଚିହ୍ନ ମଧ୍ୟ ନାହିଁ । କିନ୍ତୁ ଗୋଟିଏ ଜିନିଷ ଦେଖି ମୁଁ ମୁଗ୍‌ଧ ହେଲି । ହୀରାଗୁଡ଼ିକ ଅତିଶୟ ଖାଣ୍ଟି ଓ ମୂଲ୍ୟବାନ । ସେପରି ହୀରା ବର୍ତ୍ତମାନ ଆଉ ଦେଖିବାକୁ ମିଳେନାହିଁ । ଆପଣ ହୁଏତ ଜାଣନ୍ତି ନାହିଁ ମୁଁ ଜୀବନରେ ହୀରା ବିଷୟରେ ବହୁ ଗବେଷଣା କରିଛି । କେବଳ ମଧ୍ୟ-ପ୍ରାଚ୍ୟର କେତେକ ରାଜବଂଶ ଗନ୍ତାଘର ଛଡ଼ା ପୃଥିବୀର ଆଉ କୌଣସି ଦେଶରେ ଏପରି ମୂଲ୍ୟବାନ ହୀରା ଦେଖିବାକୁ ମିଳେ ନାହିଁ । “ସନ୍ନିବଲ,’ “ବ୍ଲୁ ନାଇଟ୍” “ପିକକ୍” “କୋହିନୁର” ପ୍ରଭୃତି ପୃଥିବୀର ଅତି ବିଖ୍ୟାତ ହୀରା ଖଣ୍ଡ ପରି ଏ ନେକ୍‌ଲେସ୍‌ର ହୀରା ଗୁଡ଼ିକ ମୂଲ୍ୟବାନ ଓ ଦୁର୍ଲଭ ।

 

ତା’ପରେ ବହୁ ଦେଶର ବହୁ କଥା ପଡ଼ିଲା । ଡକ୍ଟର ସିହ୍ନା ପ୍ରକୃତରେ ଜଣେ ବହୁଦର୍ଶି ବ୍ୟକ୍ତି । ଭବାନୀ ବାବୁଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନବୋଧ ମଧ୍ୟ ଅତିଶୟ ପ୍ରଗାଢ଼ । ରଘୁ ଗୋଟିଏ କାଚ ଗିଲାସରେ ପାଣି ଆଣି ଦେଲା । ଡକ୍‌ଟର ସିହ୍ନା ଥଣ୍ଡା ପାଣି ପିଇ ତୃପ୍ତ ହେଲେ । ଆଉ କିଛି କ୍ଷଣ ଗଳ୍ପକଲେ । ସମୟ ପାଇଲେ ପରେ ଆସିବେ ବୋଲି କହି ସେ ଆସନ ତ୍ୟାଗ କଲେ । ଗଲା ବେଳକୁ କହିଲେ– ଏ କେସ ଗୁଡ଼ିକରେ ଅପରାଧୀକୁ ଆପଣ ସେ ନିଶ୍ଚୟ ଧରି ପାରିବେ ଏଥିରେ ମୋ’ର ତିଳେ ସୁଦ୍ଧା ସନ୍ଦେହ ନାହିଁ । ଆପଣଙ୍କର ସୁନାମ ମୁଁ ଏ ଦେଶକୁ ଆସିବା ପୂର୍ବରୁ ମଧ୍ୟ ଶୁଣିଛି । ମୁଁ କିନ୍ତୁ ଯାହା ସନ୍ଦେହ କରୁଛି ତାହା ମିଥ୍ୟା ହେଉ, ଏହାହିଁ ମୋର କାମନା ।

 

ଡକ୍ଟର ସିହ୍ନା ବିଦାୟ ନେଲେ । ୟୁସୁଫ ମଧ୍ୟ ଚାଲିଗଲା । ନିର୍ଜନ ଘର ଭିତରେ ଭବାନୀ ବାବୁ ପୁଣି ଧ୍ୟାନମଗ୍ନ ହୋଇ ବସି ରହିଲେ । ସଞ୍ଜବେଳୁ ଆକାଶରେ ମେଘ ଜମୁଥିଲା । ହଠାତ୍‌ ବର୍ଷା ପଡ଼ିବାକୁ ଲାଗିଲା । ଭବାନୀବାବୁ ଉଠିଯାଇ ଘରର ଝରକା ଗୁଡ଼ାକ ବନ୍ଦ କରିଦେଲେ । ଫେରି ଆସ ପୁଣି ନିଜ ଚୌକିରେ ବସୁ ବସୁ କାନ୍ଥ ଘଡ଼ିରେ ଏଗାରଟା ବାଜିଲା । ଆଉ ଠିକ୍ ସେତିକିବେଳେ ଗୋଟିଏ କୃଷ୍ଣକାୟ ବଳବାନ ବ୍ୟକ୍ତି ନିଶବ୍ଦ ପଦକ୍ଷେପରେ ଘର ଭିତରେ ପ୍ରବେଶ କଲା ଓ ଟେବୁଲ ତଳେ ଗଳିଯାଇ ଭବାନୀ ବାବୁଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଯାଇ ତାଙ୍କର ପଦଧୂଳି ଦେଇ ଜିଭରେ ଓ ମୁଣ୍ଡରେ ଲଗାଇଲା । ତାପରେ ଭବାନୀ ବାବୁଙ୍କ ଗୋଡ଼ ନିକଟରେ ହନୁମାନ ପରି ବସି କହିଲା ଜଟିଆ ଆସିଗଲା ହଜୁର !

 

ଭବାନୀ ବାବୁ ତାକୁ ଚାହିଁ ସାମାନ୍ୟ ହସିଲେ । ଜଟିଆ ସାମଲ ଜଣେ ଅତି କ୍ଷିପ୍ର ବଳବାନ ଓ ଦୁଃସାହସୀ ଦସ୍ୟୁ । ତିନିମହଲା କୋଠା ଉପରେ ପାଣିପାଇପ ଧରି ସେ ଅନାୟାସରେ ଚଢ଼ିଯାଇପାରେ । ଝରକାର ମୋଟା ଲୁହା ରେଲିଂ ସେ ଅଦ୍ଭୁତ ଉପାତ୍ପରେ ବଙ୍କାଇ ଦେଇପାରେ । ଏ ବିଶାଳ ସହରରେ ସେ ପାତାଳ ପୁରୀ Under groundର ନେତା । ଏ ନଗରରେ ଏପରି କେହି ନାମଜାଦା ଅପରାଧୀ ନାହିଁ ଯାହାକୁ କି ଜଟିଆ ନ ଚିହ୍ନେ । କିନ୍ତୁ ଭବାନୀ ବାବୁଙ୍କ ଶକ୍ତି ଓ ବୁଦ୍ଧି ନିକଟରେ ସେ ନିଜକୁ ଅତିଶୟ କ୍ଷୁଦ୍ର ମନେକରେ । ଏହି ଅତି ଧୂର୍ତ୍ତ ଦସ୍ୟୁଟି ଭବାନୀ ବାବୁଙ୍କୁ ଅତିଶୟ ବିଶ୍ୱାସ ଓ ସମ୍ମାନ କରେ । ବହୁ ବଡ଼ ବଡ଼ ଅପରାଧୀଙ୍କୁ ଧରିବା ପାଇଁ ସେ ବହୁଥର ଭବାନୀ ବାବୁଙ୍କୁ ସାହାଯ୍ୟ କରିଛି । ବହୁ ଅର୍ଥ ମଧ୍ୟ ଲାଭ କରିଛି । ଜଟିଆକୁ ଚାହିଁ ଭବାନୀ ବାବୁ କହିଲେ– କିଛି କରି ପାରିଲୁ ଜଟାଧାରୀ ?

 

ଟିକିଏ ବେପରେୟା ହସ ହସି ଜଟିଆ କହିଲା– ହଜୁରଙ୍କ କାମ ଜଟାଧାରୀ ଯଦି ନ କରି ପାରିବ ତେବେ ସେ ବଡ଼ ବୁରୁଜରୁ ଡେଇଁ ନ ପଡ଼ି ପୁଣି ବଞ୍ଚିରହିବ କାହିଁକି ? ଏ ସବୁ ଆମ ଲାଇନ ନୁହେଁ ବଡ଼ ବାବୁ । କୋଟ ପେଣ୍ଟ ପିନ୍ଧା ଚିଡ଼ିଆ ଏ ସବୁ କାମ ଧରିଛନ୍ତି । ଆମ ମକବୁଲ ଗୁଣ୍ଡାଟା ବି ତାଙ୍କ ସଙ୍ଗେ ଜୁଟ ଯାଇଛି । ଆଜି ସଞ୍ଜବେଳେ ତାକୁ ମାଲପାଣି ପିଆଇ ତା’ରି ମୁହଁରୁ କଥାଟା ବାହାର କରିନେଲି । ଟଙ୍କା ଦଶଟା ଆଜି ମୋ ପାକିଟରୁ ବାଜି ଯାଇଛି ।

 

ଜଟିଆର ଇଙ୍ଗିତ ଭବାନୀବାବୁ ବୁଝି ପାରିଲେ । ମନିବ୍ୟାଗରୁ ଦୁଇଖଣ୍ଡି ଦଶଟଙ୍କିଆ ନୋଟ୍ କାଢ଼ି ତା ସାମନାରେ ଧରିଲେ । ନୋଟ ଦୁଇଖଣ୍ଡିକୁ ଝାମ୍ପି ନେଇ ସେ ପକେଟରେ ରଖି ଦେଲା । ତାପରେ ଅମ୍ଳାନ ହସି ହସି କହିଲା– ହଜୁରଙ୍କ ସଙ୍ଗେ କାମକଲେ ମଜା ଅଛି । ଗରିବଙ୍କର ପେଟ ପାଟଣା କଥା ଆପାଣଙ୍କ ପରି ଆଉ କେହି ବୁଝି ପାରିବେ ନାହିଁ । ଆପଣ ଯଦି ଆମ ଲାଇନରେ ଥାନ୍ତେ ବଡ଼ବାବୁ ତେବେ ବର୍ଷ ପାଞ୍ଚଟା ଭିତରେ ଆପଣ ଗୁଲ ବନିଯାନ୍ତେ ।

 

ତା ପରେ ବହୁକ୍ଷଣ ପର୍ଯ୍ୟନ୍ତ ଜଟିଆ ସହିତ ଭବାନୀ ବାବୁ କେତେ କ’ଣ ଗୁପ୍ତ ଆଲୋଚନା କଲେ । ସବୁ ଶୁଣିସାରି ଜଟିଆ କହିଲା– କିଛି ପରେୟା ନାହିଁ ହଜୁର ! ଏ କାମ ଜଟାଧାରୀ ହାତକୁ ନେଲା । ସେ ଗ୍ରହଣଖଣ୍ଡ ଡ଼ାକ୍ତରାଣୀଟାକୁ ବି ମୁଁ ଚିହ୍ନେ । ହେଲେ ହଜୁର ଏ ସବୁ କାମରେ ଖର୍ଚ୍ଚ ବାର୍ଚ୍ଚ ଟିକିଏ ବେଶୀ ହୁଏ, ଆଉ ପାଞ୍ଚଜଣକୁ ବି କାମରେ ଲଗାଇବାକୁ ହେବ । ଆପଣତ ସବୁ ଜାଣନ୍ତି ମକବୁଲଟାକୁ ମୁଁ ରେକ୍‍ସାରେ ଲଦି ଆଜି ରାତିରେ ଏଠାକୁ ନେଇ ଆସିବି । କେହି ଜାଣିବେ ନାହିଁ । ହେଲେ ହଜୁର ମୁଁ କହୁଥିଲି– ଆଉ ସେ ରେଜା କାରବାର ନ କରି ଖଣ୍ଡିଏ ବାଘମୁଣ୍ଡିଆ ଫର୍ଦ୍ଧି ଛାଡ଼ନ୍ତୁ ।

 

ମନବ୍ୟାଗ୍ ଖୋଲି ଭବାନୀବାବୁ ଗୋଛାଏ ନୋଟ ଜଟିଆ ହାତକୁ ବଢ଼ାଇ ଦେଲେ, ପରମ ଭକ୍ତିରେ ନୋଟ ବିଡ଼ାଟି ମୁଣ୍ଡରେ ଛୁଆଇଁ ଜଟିଆ ପକେଟରେ ରଖିଲା । ତା’ପରେ କହିଲା– ଜଟିଆ ଏବେ ଚାଲିଲା ହଜୁର । ଦୁଆର ଖୋଲା ରଖିଥିବେ ।

 

ଜଟିଆ ଚାଲିଗଲା । ଭବାନୀବାବୁ ସେହିଠାରେ ବସି ରହିଲେ । ମନେ ମନେ ବହୁ ଯୋଜନା ସେ କରିବାକୁ ଲାଗିଲେ । ବାହାରେ ବର୍ଷା ପବନ ବଢ଼ିବାକୁ ଲାଗିଲା । କିପରି ଶୀତ ଲାଗୁଛି, ଦୁଇଦିନ ହେଲା ତାଙ୍କର ଆହାର ନାହିଁ କି ନିଦ୍ରା ନାହିଁ । କିନ୍ତୁ ସେ କାନ୍ତି ଅନୁଭବ କଲେ ନାହିଁ । ତାଙ୍କର ସ୍ନାୟୁ ଓ ପେଷୀ ଇସ୍ପାତ୍ ଠାରୁ ମଧ୍ୟ ଶକ୍ତ । ମନବଳ ମଧ୍ୟ ତାଙ୍କର ଅସୀମ ।

 

ରାତି ଗୋଟାଏ ବାଜିଲା । ତାର କିଛି ସମୟ ପରେ ବର୍ଷା ପାଣିରେ ଜୁଡ଼ୁ ବୁଡ଼ୁ ଣୋଇ ଜଟିଆ ଦୁଆର ଠେଲି ଘରଭିତରେ ପଶିଲା । ତା’ କାନ୍ଧରେ ପ୍ରକାଣ୍ଡ ଗୋଟାଏ ଗଣ୍ଡିରା । –ମକବୁଲ ଗୁଣ୍ଡାଟାକୁ ନେଇ ଆସିଛି ବଡ଼ ବାବୁ । ପୁରା ବେଚେତା ହୋଇ ମୀନା କସବୀ ପିଣ୍ଡାରେ ପଡ଼ିଥିଲା । ଏହା କହି ଗଣ୍ଡିରାଟିକୁ ସେ ତଳେ ରଖିଦେଲା । ଭବାନୀ ବାବୁ ସେଥିପାଇଁ ପ୍ରସ୍ତୁତ ଥିଲେ । ଚୈତନ୍ୟ ହୀନ ମକବୁଲକୁ ପାଖ ଘରକୁ ଟେକି ନେଲେ । ତା’ ପରେ ଜଟିଆକୁ ବିଦାୟ ଦେଇ ଘର ଦୁଆରକୁ ଭିତରୁ ବନ୍ଦ କରିଦେଲେ ।

 

ନିର୍ଜନ ଘର ଭିତରେ ଏକା ବସି ଭବାନୀ ବାବୁ ମକ୍‌ବୁଲକୁ ଚିକିତ୍ସା କରିବାକୁ ଲାଗିଲେ-। ଏ ଲୋକଟିକୁ ଭବାନୀ ବାବୁ ଭଲ ଭାବେ ଜାଣନ୍ତି ଅତି ଦୁର୍ଦ୍ଧଷ ଗୁଣ୍ଡା । କଥା କଥାକେ ଛୁରୀ ଚଳେଇବା ପାଇଁ ଅଭ୍ୟସ୍ତ । କେତୋଟି ମାମଲରେ ସେ ବର୍ତ୍ତମାନ ଫେରାର ଅଛି । ଭବାନୀ ବାବୁ ତାର ସନ୍ଧାନ ପାଉ ନ ଥିଲେ । ଏତେଦିନ ପରେ ତାକୁ ସେ ପାଇଛନ୍ତି ।

 

ବହୁକ୍ଷଣ ପରେ ଧୀରେ ଧୀର ତାର ଜ୍ଞାନ ଫେରିଲା । ହାତରେ ହାତକଡ଼ା ପିନ୍ଧା ହୋଇଛି । ପ୍ରଥମେ ସେ କିଛି ବୁଝି ପାରିଲା ନାହିଁ । ତା’ପରେ ହଠାତ୍ ତା’ ସାମନାରେ ଭବାନୀ ବାବୁଙ୍କୁ ଦେଖି ତାର ସବୁ ନିଶା କ୍ଷଣିକ ଭିତରେ କଟିଗଲା । ସାମନାରେ ଉତଫେଣ ସାପ ଦେଖିଲା ପରି ସେ ଚମକି ଉଠିଲା । ରହସ୍ୟମୟ ଟିକିଏ ହସ ହସି ଭବାନୀବାବୁ କହିଲେ– ତୁମ୍ଭମାନଙ୍କର ସବୁ ଲୀଳା ଶେଷ ହୋଇଛି ମକବୁଲ । ସବୁ କଥା ମୁଁ ଜାଣି ସାରିଛି । ମାତାଲ ଅବସ୍ଥାରେ ତୁମେ ନିଜେ ମଧ୍ୟ ମୋତେ ସବୁ କହିଛ । ଫାଶୀ ମଞ୍ଚରେ ଝୁଲି ମରିବାକୁ ଇଚ୍ଛା ନ ଥିଲେ ସବୁ କଥା ସତ କହ । କ’ଣ କହିବ ? ତା’ ହେଲେ ମୁଁ ତୁମକୁ ରାଜସାକ୍ଷୀ କରି କ୍ଷମା ଦେବି-

 

ଭୟ ବିହ୍ଵଳ କଣ୍ଠରେ ମକବୁଲ କହିଲା– କିନ୍ତୁ ମୁଁ ବା ଆଉ କେହି ତାଙ୍କୁ କେବେହେଲେ ଦେଖି ନାହିଁ । ମୁଁ ଯେତିକି ଜାଣିଛି ଆଉ ଯାହା କରିଛି, ସବୁ କହିବି । ମୋତେ ବଞ୍ଚାନ୍ତୁ । ଫାଶୀ ଦଉଡ଼ାରେ ଝୁଲି ମରିବାକୁ ମୋର ଆଦୌ ଇଚ୍ଛା ନାହିଁ ।

 

ଚାରି

 

ସବୁକାମ ଶେଷକରି ଓ ମକବୁଲର ଜମାନବନ୍ଦୀଙ୍କୁ ଟେପ ରେକଡ଼ିଂ କରିସାରି ଶେଷ ରାତିକୁ ଭବାନୀ ବାବୁ ବିଛଣା ଧରିଲେ ପ୍ରଚଣ୍ଡ କ୍ଲାନ୍ତି ଯୋଗୁ ଅତି ବିଳମ୍ବରେ ସେ ଗଭୀର ନିଦ୍ରାରେ ଶୋଇଗଲେ । ତାଙ୍କ ଭାଷାରେ କହିବାକୁ ହେଲେ ସେ ବର୍ତ୍ତମାନ ଜାଲ ପକାଇଛନ୍ତି । କିନ୍ତୁ ତାକୁ ଆହୁରି ବିସ୍ତାରିତ କରିବାକୁ ହେବ । ଅତି ଗୋପନରେ ଆହୁରି ବ୍ୟାପକ ତଦନ୍ତ କରିବାକୁ ହେବ । ଆଉ ସେ ତଦନ୍ତରେ ଯେତେଦୂର ସମ୍ଭବ ଖୁବ କ୍ଵଚିତ ପୁଲିସର ସାହାଯ୍ୟ ନେବାକୁ ହେବ ।

 

ଗୋଟିଏ ସ୍ଵପ୍ନହୀନ ଗଭୀର ନିଦ୍ରା ପରେ ଟେଲିଫୋନର ନିରବଚ୍ଛିନ୍ନ ଓ କର୍କଶ ସ୍ଵରରେ ତାଙ୍କର ନିଦ ଭାଙ୍ଗିଗଲା । କାନ୍ଥ ଘଡ଼ିକୁ ଚାହିଁ ଦେଖିଲେ– ନ’ଟା ବାଜି ଗଲାଣି । ଧଡ଼ ପଡ଼ କରି ବିଛଣାରୁ ଉଠିପଡ଼ି ସେ ରିସିଭରଟା ଉଠାଇ ନେଲେ । ଏସ୍ ପି ଫୋନ ଧରଛନ୍ତି । କଣ୍ଠସ୍ଵର ତାଙ୍କର ଅତିଶୟ ଉତ୍ତେଜିତ ଓ ବିବ୍ରତ । ଭବାନୀ ବାବୁ, ସର୍ବନାଶ ଘଟିଛି ! ମୋର ମାନସମ୍ମାନ ସବୁ ଧୂଳିସାତ ହୋଇଯାଇଛି ! ଦୟାକରି ଆପଣ ଥରେ ଶୀଘ୍ର ଏଠାକୁ ଆସନ୍ତୁ । ଆଇ, ଜି, ବର୍ତ୍ତମାନ ଏଠାକୁ ଆସୁଛନ୍ତି ।

 

ଭବାନୀ ବାବୁ କିଛି ବୁଝି ପାରିଲେ ନାହିଁ । କହିଲେ– କିନ୍ତୁ କ’ଣ ହୋଇଛୁ ମି: ଦାସ ! ଆପଣ ଏପରି ବିବ୍ରତ ହୋଇପଡ଼ିଛନ୍ତି କାହିଁକି ?

 

ଅତି କରୁଣ କଣ୍ଠରେ ଏସ୍. ପି. କହିଲେ– ସାୟରାବାନୁର ହୀରା ହାରଟି କାଲି ରାତିରେ ମୁଁ ମୋ ନିଜ ଲୁହା ସିନ୍ଦୁକରେ ରଖିଥିଲି । ଆଇ. ଜି. ସାହେବ କହୁଥିବା ସତ୍ତ୍ୱେ ନିରାପତ୍ତା ଦୃଷ୍ଟିରୁ ମୁଁ ତାହା ପୁଲିସ ମାଲଖାନାରେ ରଖିଲି ନାହିଁ । ଆଜି ସକାଳ ସାତଟାବେଳେ ମୁଁ ସଶସ୍ତ୍ର ପୁଲିସ ହେପାଜତରେ ହୀରା ହାର ଥିବା ବାକସଟି ଯଥୋଚିତ ସିଲ୍ କରି ଆଇ. ଜି. ଙ୍କ ନିକଟକୁ ପଠାଇ ଦେଲି । ଆଜି ସକାଳ ଆଠଟା ବେଳେ ଅତିଥି ଭବନରେ ଆଇ. ଜି. ନିଜେ ସେ ହାରଟି ସାୟରାବାନୁ ଫେରାଇ ଦେବାର କଥା । ଘଟଣାଟିକୁ ସେ ସାନ ଗୋଟିଏ ଉତ୍ସବର ରୂପ ଦେବା ଉଦ୍ଦେଶ୍ୟରେ ସଙ୍ଗରେ କେତେଜଣ ପ୍ରେସ ରିପୋର୍ଟରେ ଓ ଫଟଗ୍ରାଫର ନେଇ ଯାଇଥିଲେ । ଆଇ. ଜି. ଙ୍କ ହାତରୁ ସାୟରାବାନୁ ହାରଟି ଗ୍ରହଣ କରିବା ସମୟରେ ଫଟ ଉଠିଥାନ୍ତା । ଆଉ ସାରା ପୃଥିବୀରେ ସେ ଚିତ୍ର ସମ୍ବାଦପତ୍ର ମାନଙ୍କରେ ବାହାରି ଥାନ୍ତା । ଓଡ଼ିଶା ପୋଲିସର ଗୌରବମୟ କୃତିତ୍ଵ ସାରା ବିଶ୍ୱରେ ପ୍ରଚାର ଲାଭ କରିଥାନ୍ତା ।

 

ଏସ୍. ପି. ନୀରବ ହେଲେ । ଭବାନୀ ବାବୁ ପଚାରିଲେ– କିନ୍ତୁ କ’ଣ ପୁଣି ହେଲା ! ଅବଶେଷରେ କ’ଣ ଫଟ କାମରାରେ କୌଣସି ବିଭ୍ରାଟ ଦେଖାଗଲା ?

 

ଏଥର ପ୍ରାୟ କାନ୍ଦିବା ପରି କଣ୍ଠରେ ଏସ୍. ପି. କହିଲେ– ନା ସେଥିରେ କୌଣସି ବିଭ୍ରାଟ ଦେଖାଯାଇନାହିଁ । ଶିକ୍ଷିତ ଫଟଗ୍ରାଫରମାନେ ଫଟ ଉଠାଇଲେ । ଅତିଶୟ ଖୁସି ହୋଇ ସାୟୁରାବାନୁ ଆଇ. ଜି.ଙ୍କ ହାତରୁ ହାରଟି ଗ୍ରହଣ କରି ନିଜ ଗଳାରେ ଝୁଲାଇ ଦେଲା । ତା’ ପରେ କ’ଣ ଜାଣିପାରି କେଜାଣି ହାରଟି ବେକରୁ କାଢ଼ି ପକାଇ ଆଇ. ଜି.ଙ୍କ ହାତକୁ ଫେରାଇ ଦେଉ ଦେଉ ମୁହଁ ଶୁଖାଇ କହିଲା– ଏଇଟି ମୋ’ର ନୁହେଁ । ଏଥିରେ ହୀରା ନାହିଁ । ସବୁ ଗୁଡ଼ିକ ମୂଲ୍ୟହୀନ କାଚ । ମୋ’ରି ହାରର ଗୋଟିଏ ମୂଲ୍ୟହୀନ ଇମିଟେସନ ।

 

ଏପରି ଅଦ୍ଭୁତ କଥା ଶୁଣି ଭବାନୀବାବୁ ଏକାବେଳେ ସ୍ତମ୍ଭିତ ହୋଇଗଲେ । ସେ କିଛି ବୁଝି ପାରିଲେ ନାହିଁ । ଏସ୍. ପି. ଏଥର ବ୍ୟାକୁଳ କଣ୍ଠରେ କହିଲେ– ମୋର ମାନ, ସମ୍ମାନ ଆପଣ ବଞ୍ଚାନ୍ତୁ ଭବାନୀବାବୁ । ଆପଣ ଶକ୍ତିମାନ । ଆପଣଙ୍କ ଛଡ଼ା ମୋର ବର୍ତ୍ତମାନ ଆଉ କୌଣସି ଭରସା ନାହିଁ । ମୋର ମନେ ହେଉଛି ଯେ ଏହା ମିଶ୍ର ସାହେବଙ୍କର ଚକ୍ରାନ୍ତ । ସେଇ ବୋଧହୁଏ ଏ ଷଡ଼ଯନ୍ତ୍ରର ପୁରୋଧା । ଆଉ କିଛିକ୍ଷଣପରେ ଆଇ. ଜି. ଓ ଜିଲା ମାଜିଷ୍ଟ୍ରେଟ ଏଠାକୁ ଆସିବେ । ଆପଣ ଦୟାକରି ଅତିଶୀଘ୍ର ଆସନ୍ତୁ । ମୁଁ ଡକ୍ଟର ସିହ୍ନାଙ୍କୁ ମଧ୍ୟ ଅନୁରୋଧ କରିଛି । ସେ ଶୀଘ୍ର ଆସିବେ ବୋଲି କହୁଛନ୍ତି ।

 

ଭବାନୀ ବାବୁ କହିଲେ– ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ମି. ଦାସ । ମୁଁ ଏହିକ୍ଷଣି ଯାଉଛି । ମୋତେ ଆପଣ ବିଶ୍ୱାସ କରନ୍ତୁ । ଏ ରହସ୍ୟର ସମାଧାନ ମୁଁ ନିଶ୍ଚୟ କରିବି ।

 

ରିସିଭର ରଖି ଦେଇ ଭବାନୀ ବାବୁ ନୀରବରେ ବସି ରହିଲେ । ସେ ଅତି ଦ୍ରୂତ ଚିନ୍ତା କରିବାକୁ ଲାଗିଲେ । ମନେ ମନେ ସେ ଏକ ଶପଥ ଉଚ୍ଚାରଣ କଲେ । –ମିଶ୍ର ସାହେବ ହୁଅନ୍ତୁ ବା ଆଇ. ଜି. ସାହେବ ନିଜେ ହୁଅନ୍ତୁ, ଭବାନୀ ବାବୁ କାହାକୁ ଛାଡ଼ିବେ ନାହିଁ । ପ୍ରକୃତ ଅପରାଧୀକୁ ସେ ନିଶ୍ଚୟ ଆଇନ ହାତରେ ସମର୍ପି ଦେବେ ।

 

ଏସ୍. ପି. ଙ୍କର ଘରେ ଭବାନୀବାବୁ ପହଞ୍ଚିବା ସଙ୍ଗେ ସଙ୍ଗେ ଡକ୍ଟର ସିହ୍ନା ମଧ୍ୟ ତାଙ୍କ କାର୍‌ରେ ପହଞ୍ଚିଗଲେ । ଡକ୍ଟର ସିହ୍ନାଙ୍କୁ ଏସ୍. ପି. ଟେଲିଫୋନରେ ଅସଲ କଥା କହି ନ ଥିଲେ । କେବଳ ଅତିଶୀଘ୍ର ଆସିବା ପାଇଁ ଅନୁରୋଧ କରିଥିଲେ । ଏସ୍. ପି. ଙ୍କ ଠାରୁ ପ୍ରକୃତ ଘଟଣା ଶୁଣି ସେ ସ୍ତମ୍ଭିତ ହୋଇଗଲେ । ନିର୍ବାକ ହୋଇ ବହୁକ୍ଷଣ ପର୍ଯ୍ୟନ୍ତ ବସି ରହିଲେ । ତା’ ପରେ ଧୀରେ ଧୀରେ ଅନୁଚ୍ଚ କଣ୍ଠରେ କହିଲେ– ହାରଟିର ପ୍ରତି ହୀରାଖଣ୍ଡ ମୁଁ ପରୀକ୍ଷା କରି ଦେଖିଛି । ସବୁଗୁଡ଼ିକ ଅତି ଉତ୍‌କୃଷ୍ଟ ଓ ଦୁର୍ଲ୍ଲଭ । ପାଞ୍ଚଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ମୂଲ୍ୟ ହେବ ।

 

କିଛିକ୍ଷଣ ପରେ ଆଇ. ଜି. ସାହେବ ଆସି ପହଞ୍ଚିଲେ । ଦୀର୍ଘ ଦେହ– ପୌଢ଼ ବ୍ୟକ୍ତି । ସାଧୁତା ଓ ନ୍ୟାୟ ନ୍ୟାୟପରାୟଣତାର ଯେପରି ଜୀବନ୍ତ ପ୍ରତୀକ । ଗମ୍ଭୀର ଓ ଜ୍ଞାନୋଜ୍ଜ୍ଵଳ ମୁଖ ମଣ୍ଡଳ । ତାଙ୍କ ସଙ୍ଗରେ ଆସିଲେ ଗୋଇନ୍ଦା ବିଭାଗର କର୍ତ୍ତା ମିଶ୍ର ସାହେବ । ଜିଲା କଲେକ୍ଟର ମି. ସୁନ୍ଦରନ୍ ଓ ଆଉ ଦୁଇଜଣ ଗୋଇନ୍ଦା ବିଭାଗ ଇନସପେକ୍ଟର । ଖଣ୍ଡିଏ ଚୌକିରେ କିଛିକ୍ଷଣ ପର୍ଯ୍ୟନ୍ତ ନିରବରେ ବସିରହ ଆଇ. ଜି. ଗମ୍ଭୀର କଣ୍ଠରେ ଏସ୍. ପି. ଙ୍କୁ ଚାହିଁ କହିଲେ– ମି. ଦାସ ଗୋଟିଏ ଅତି ଅପ୍ରୀତିକର କର୍ତ୍ତବ୍ୟ ସାଧନ କରିବା ପାଇଁ ମୁଁ ଏଠାକୁ ଆସିଛି । କେବଳ ଅପ୍ରୀତିକର ନୁହେଁ– ରାଜ୍ୟରି ସମଗ୍ର ପୁଲିସ ବିଭାଗ ପ୍ରତି ଏହା ଅତି ଲଜ୍ଜ୍ୟା ଓ ଅସମ୍ମାନଜନକ ।

 

କିଛିକ୍ଷଣ ନୀରବ ରହି ଆଇ. ଜି. ପୁଣି କହିଲେ– ଏଇ ଭୟାବହ ହତ୍ୟାକାଣ୍ଡ ଓ ଚୋରି ଗୁଡ଼ିକର ତଦନ୍ତ ଭାର ଆପଣଙ୍କ ଉପରେ ନ୍ୟସ୍ତ ଥିଲା । କିନ୍ତୁ ମୁଁ କେତେକ ବିଶ୍ଵାସଯୋଗ୍ୟ ରିପୋର୍ଟ ପାଇଛି ଯେ ଆପଣ ନିଜେ ଏସବୁ କାଣ୍ଡର କର୍ଣ୍ଣଧାର ହେବା ଅସମ୍ଭବ ନୁହେଁ । ଧୂର୍ଜଟୀ ଶର୍ମା ଟୋଟାଏ ସାଂଘାତିକ ଡକାୟତ । ଏ କଥା ଆପଣ ଭଲଭାବରେ ଜାଣନ୍ତି କାରଣ ଆପଣଙ୍କର ନିଜ ରିପୋର୍ଟରୁ ମୁଁ ଏକଥା ଜାଣି ପାରୁଛି । ସେହି ଡକାୟତର ଘର ଭିତରେ ଅଳକା ଖୁନ୍ ହେଲା । ପୁଣି ତା’ରି ଘର ଭିତରେ ମାଟିତଳୁ ପୁଲିସ କୁକୁର ସାହାଯ୍ୟରେ ସାୟରାବାନୁର ଅପହୃତ ହୀରା ମାଳଟି ମିଳିଲା । ଅଥଚ ଘଟଣା ସ୍ଥଳରେ ଆପଣ ନିଜେ ଥାଇ ସୁଦ୍ଧା ସେ ଡକାୟତ– ଯେ କି ଏ ମାମଲାର ମୁଖ୍ୟ ଆସାମି ବୋଲି ସନ୍ଦେହ କରିବାର ଯଥେଷ୍ଟ କାରଣ ଅଛି, ସେ ଅଦୃଶ୍ୟ ହୋଇ ଯାଇ ପାରିଲା !!

 

–କିନ୍ତୁ ସାର୍.......

 

ଏସ୍. ପି. କ’ଣ କହିବାକୁ ଯାଉଥିଲେ । କିନ୍ତୁ ହାତ ଇଙ୍ଗିତରେ ତାଙ୍କୁ ନୀରବ ହେବାକୁ ନିର୍ଦ୍ଦେଶ ଦେଇ ଆଇ. ଜି. କହିଲେ– ନିଜ ପାଖରେ ନ ରଖି ପୁଲିସ ମାଲଖାନାରେ ସେ ବହୁମୂଲ୍ୟ ହୀରା ମାଳ ରଖିଦେବା ପାଇଁ ମୁଁ ଆପଣଙ୍କୁ ନିର୍ଦ୍ଦେଶ ଦେବା ସତ୍ଵେ ଆପଣ ରାତିରେ ତାହା ନିଜ ପାଖରେ ରଖିଲେ ଓ ସକାଳେ ସେ ହୀରା ମାଳ ପରିବର୍ତ୍ତରେ ମୋ ନିକଟକୁ ଗୋଟିଏ ମୂଲ୍ୟହୀନ କାଚ ମାଳ ପଠାଇ ଦେଲେ !! କେବଳ ମୋତେ ନୁହେଁ– ସମଗ୍ର ଭାରତବର୍ଷର ପୁଲିସ ବିଭାଗକୁ ଆପଣ ହାସ୍ୟାସ୍ପଦ କରାଇଲେ । ଏଇ ସବୁ ଘଟଣାବଳୀ ବିଚାର କରି ମୁଁ ଆଦେଶ ଦେଉଛି ଯେ, ଏ ମାମଲା ଗୁଡ଼ିକର ତଦନ୍ତ ଭାର ଏଇ ମୂହୁର୍ତ୍ତରୁ ମି: ମିଶ୍ର ଗ୍ରହଣ କରିବେ । ଆପଣଙ୍କୁ ଏ ଦାୟିତ୍ଵ ଦେବା ଆଉ ନିରାପଦ ନୁହେଁ ।

 

ଆଇ. ଜି. ନୀରବ ହେଲେ । ପ୍ରଚଣ୍ଡ ଲଜ୍ଜ୍ୟା ଓ ଅପମାନରେ ଏସ. ପି. ଙ୍କ ଆଖି ଦୁଇଟି ଅଶ୍ରୁ ସଜଳ ହୋଇ ଉଠିଲା । ସେ କୌଣସି କଥା କହି ପାରିଲେ ନାହିଁ । ଏହି ସମୟରେ ଆଇ. ଜି.ଙ୍କ କାନ ନିକଟରେ ମୁହଁ ଲଗାଇ ମିଶ୍ର ସାହେବ ଗମ୍ଭୀର କଣ୍ଠରେ ପୁଣି କହିଲେ– ବଡ଼ ଦୁଃଖର ସହିତ ଆଉ ଗୋଟିଏ କଥା ଜଣାଇବାକୁ ମୁଁ ବାଧ୍ୟ ହେଉଛି ମି: ଦାସ । ଆପଣଙ୍କର ଘରଟି ଖାନତଲାସ କରିବା ପ୍ରୟୋଜନ ହେଉଛି । ଅବଶ୍ୟ ବାହାରର କୌଣସି ସାକ୍ଷୀ ବାକି ଘଟଣାଟିକୁ ବହୁଳ ଭାବରେ ବିଜ୍ଞାପିତ ନ କରି କଲେକ୍ଟର ମି: ସୁନ୍ଦରନ୍ ନିଜେ ଉପସ୍ଥିତ ରହି ତାହା କରିବେ । ମି. ମିଶ୍ର ଖାନତଲସ କରିବେ ।

 

ତା’ ପରେ ମିଶ୍ର ସାହେବଙ୍କୁ ଚାହିଁ ଆଦେଶ ଦେଲେ ଆପଣ ମାନେ ମି: ଦାସଙ୍କୁ ସଙ୍ଗରେ ନେଇ କାମ ଆରମ୍ଭ କରନ୍ତୁ ମି: ମିଶ୍ର । ମୁଁ ସୁନ୍ଦରନ୍ ଆପଣ ମଧ୍ୟ ଦୟାକରି ଯା’ନ୍ତୁ । ଖାନତଲାସର ଫଳାଫଳ ଦେଖି ମୁଁ ଏ ସ୍ଥାନ ଛାଡ଼ିବି ।

 

ଘର ତଲାସିର ସବୁ ଆଇନଗତ ନିୟମ ପାଳନ ପରେ ଅଫିସରମାନେ ଘରଭିତରେ ପଶିଲେ । ଯନ୍ତ୍ର ଚାଳିତ ପରି ଏସ୍. ପି. ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ । ମିଶ୍ର ସାହେବକୁ ସାହାଯ୍ୟ କରିବା ପାଇଁ ତାଙ୍କର ଗୋଇନ୍ଦା ଇନ୍‍ସପେକ୍ଟର ଦୁଇଜଣ ମଧ୍ୟ ଭିତରକୁ ଗଲେ । ଅଫିସ ଘରଭିତରେ କେବଳ ଆଇ. ଜି. ଭବାନୀବାବୁ ଓ ଡକ୍ଟର ସିହ୍ନା ବସି ରହିଲେ ।

 

ବର୍ଷଣୋନ୍ମୁଖ ମେଘ ପରି ଆଇ: ଜି: ଙ୍କ ମୁଖ ଗମ୍ଭୀର । ମୁହଁରେ ପାଇପ୍ ଲଗାଇ ସେ ନୀରବରେ ବସି ରହିଲେ । ଏଇ ମହାଜ୍ଞାନୀ ଓ କର୍ତ୍ତବ୍ୟନିଷ୍ଠ ଶ୍ରୌଢ଼ଙ୍କୁ ଭବାନୀ ବାବୁ ଭଲଭାବରେ ଜାଣନ୍ତି । ଅନ୍ତର ତାଙ୍କର ଅତି କୋମଳ ହେଲେ ମଧ୍ୟ କର୍ତ୍ତବ୍ୟ ସାଧନ ପାଇଁ ସେ ବଜ୍ରଠାରୁ ମଧ୍ୟ କଠୋର ହୋଇପାରନ୍ତି । ଏସ୍. ପି. ମି. ଦାସଙ୍କୁ ସେ ଅତିଶୟ ସ୍ନେହ ଏବଂ ବିଶ୍ଵାସ କରୁଥିଲେ । ଭବାନୀବାବୁ ଭଲଭାବରେ ଜାଣନ୍ତି ଯେ ଏସ୍: ପି: ସଂପୂର୍ଣ୍ଣ ନିର୍ଦ୍ଦୋଷ । ଅତି ବିଭତ୍ସ ଗୋଟିଏ ଷଡଯନ୍ତ୍ରର ସେ ବର୍ତ୍ତମାନ ଶୀକାର ହୋଇଛନ୍ତି । ତାଙ୍କ ଘରେ ସେ ହୀରା ମାଳଟି ନାହିଁ ଏ କଥା ଆଇ: ଜି. ଅବିଳମ୍ବେ ବୁଝି ପାରିବେ । ମି: ଦାସଙ୍କ ପ୍ରତି ତାଙ୍କର ସ୍ନେହ ଓ ବିଶ୍ୱାସ ପୁଣି ଫେରି ଆସିବ ।

 

ଏସ୍. ପି: ଙ୍କର ବିଶାଳ ସରକାରୀ ଭବନଟି ସର୍ଚ୍ଚ କରିବା ପାଇଁ ବହୁକ୍ଷଣ କଟିଗଲା । ଅବଶେଷରେ କାହିଁକି କେଜାଣି ଘର ଭିତରେ କଳରବ ଶୁଣାଗଲା । ଅଳ୍ପକ୍ଷଣ ପରେ ଆନନ୍ଦ କଳରବ କରୁକରୁ ମିଶ୍ର ସାହେବ ଦୌଡ଼ି ଆସିଲେ । –ମିଳିଛି, ମିଳିଛି ସାର୍ ! କିନ୍ତୁ ସାୟରାବାନୁର ହୀରାମାଳ ନୁହେଁ । ସେଠପୋପତ୍ ଲାଲର ଚୋରି ହୋଇଥିବା ଦୁଇଖଣ୍ଡ ମୂଲ୍ୟବାନ ହୀରା । ମି: ଦାସଙ୍କର ପୋଷାକ ଆଲମାରୀ ଭିତରେ ଲୁଚା ହୋଇଥିଲା ।

 

ଦୁଇଖଣ୍ଡି ଉଜ୍ଜ୍ଵଳ ହୀରା ଆଇ. ଜି: ଙ୍କ ଟେବୁଲ ଉପରେ ମିଶ୍ର ସାହେବ ରଖିଦେଲେ । ଭବାନୀ ବାବୁ ଓ ଡକ୍ଟର ସିହ୍ନା ମଧ୍ୟ ହୀରା ଦୁଇଖଣ୍ଡି ଦେଖିଲେ । ସେମାନଙ୍କର ମୁଖ ମଣ୍ଡଳ ଗମ୍ଭୀର ହୋଇଉଠିଲା । ମି. ଦାସଙ୍କୁ ସଙ୍ଗରେ ନେଇ କଲେକ୍ଟର ଓ ଅନ୍ୟମାନେ ଘରଭିତରୁ ବାହାରକୁ ଆସିଲେ । ମି: ଦାସ ଯେପରି ସମ୍ପୂର୍ଣ୍ଣ ବଜ୍ରାହତ । ତାଙ୍କର ମନ ଓ ଚିନ୍ତାଶକ୍ତି ଯେପରି ସମ୍ପୂର୍ଣ୍ଣ ରୂପେ ପଙ୍ଗୁ ହୋଇ ଯାଇଛି ।

 

ଆଇ: ଜି. ବହୁକ୍ଷଣ ପର୍ଯ୍ୟନ୍ତ ନୀରବରେ ପାଇପ୍‍ଟା କାମୁଡ଼ି ବସି ରହଲେ । ତା’ ପରେ ଧୀର ଅଥଚ ଦୃଢ଼ କଣ୍ଠରେ କହିଲେ– ଘଟଣାଟି ଏପର ଗତି ନେବ ବୋଲି ମୁଁ ଆଦୌ ଚିନ୍ତାକରି ନଥିଲି । ସେ ଯାହା ହେଉ ଆଇନ ତାର ନିଜ ଗତିରେ ଚାଲିବ । ମି. ଦାସ, ବର୍ତ୍ତମାନ ଆପଣଙ୍କ ଗିରଫ କରିବାର ପ୍ରୟୋଜନ ହେଉଛି । ଏଇ ଦୁଇଖଣ୍ଡି ଚୋରି ସହିତ ଶେଠ୍ ପୋପତ ଲାଲଙ୍କ ହତ୍ୟା କରିବା ଘଟଣାଟି ମଧ୍ୟ ଜଡ଼ିତ । ଅନ୍ୟ କେହି ଆସାମି ହେଲେ ତାକୁ ଏପରି କ୍ଷେତ୍ରରେ ଜାମିନ ଦେବା ଅସଙ୍ଗତ ହୁଅନ୍ତା; କିନ୍ତୁ ଆପଣଙ୍କ କଥା ମୁଁ ସ୍ଵତନ୍ତ୍ର ଭାବରେ ବିଚାର କରିବି । ଆପଣଙ୍କୁ ବର୍ତ୍ତମାନ ଗିରଫ କରାହେବ । ଆପଣ ଉପଯୁକ୍ତ ଜାମିନଦାର ଆଣିଲେ ଜାମିନ ମଞ୍ଜୁର କରାହେବ ।

 

ଡକ୍ଟର ସିହ୍ନା ଏ ପର୍ଯ୍ୟନ୍ତ ପଦେହେଲେ କଥା କହିନଥିଲେ । ହଠାତ୍ ଚୌକିରୁ ଉଠିପଡ଼ି ସେ କହିଲେ– ସାର୍ ମୁଁ ଜଣେ ବୈଜ୍ଞାନିକ । ପୁଲିସର ତଦନ୍ତ ପ୍ରଣାଳୀ ମୁଁ ହୁଏତ ଭଲକରି ଜାଣେ ନାହିଁ । କିନ୍ତୁ କାହିଁକି କେଜାଣି ମୋର ଦୃଢ଼ ବିଶ୍ଵାସ ହୋଇଛି ଯେ ମି: ଦାସ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଗୋଟିଏ ଅତି କୁତ୍ସିତ ଷଡ଼ଯନ୍ତ୍ରର ସେ ଶିକାର ହୋଇଛନ୍ତି । ମୁଁ ତାଙ୍କର ଜାମିନଦାର ହେବାକୁ ପ୍ରସ୍ତୁତ ଅଛି । ଯଦି ମି. ମିଶ୍ରଙ୍କର ଆପତ୍ତି ନ ଥାଏ ତ; ସେ ଜାମିନ ନାମା ପ୍ରସ୍ତୁତ କରନ୍ତୁ । ମୁଁ ଦସ୍ତଖତ କରିବି ।

 

ଅଦ୍ଭୁତ ଏକ କୃତଜ୍ଞ ଚାହାଣୀରେ ଡକ୍ଟର ସିହ୍ନାଙ୍କ ମୁହଁକୁ ଏସ୍. ପି. ଚାହିଁଲେ । ତା’ ପରେ ଭବାନୀ ବାବୁଙ୍କ ଆଡ଼େ ଚାହିଁ ଆଇ. ଜି. ପୁଣି କହିଲେ– ଆପଙ୍କର ବୁଦ୍ଧି ଓ ଶକ୍ତି ଉପରେ କେବଳ ମୋ’ର ନୁହେଁ ସର୍କାରଙ୍କର ମଧ୍ୟ ପୂର୍ଣ୍ଣ ବିଶ୍ଵାସ ରହିଛି । ଆପଣ ଏ ମାମଲା ଗୁଡ଼ିକ ତଦନ୍ତ କରୁଛନ୍ତି । ଅବଶ୍ୟ ମି. ଦାସ ଥିଲେ ସେ ତଦନ୍ତର ଭାରପ୍ରାପ୍ତ ନିର୍ଦ୍ଦେଶକ ମାତ୍ର । ଆଜିଠାରୁ ମି: ମିଶ୍ର ସେ ନିର୍ଦ୍ଦେଶ ଦେବେ । କିନ୍ତୁ ଅସଲ ତଦନ୍ତର ଭାର ଆପଣଙ୍କ ଉପରେ ରହିବ ।

 

ଏହିଠାରେ ମିଶ୍ର ସାହେବ କ’ଣ ଯେପରି ଆପତ୍ତି କରିବାକୁ ଯାଉଥିଲେ । କିନ୍ତୁ ଆଇ: କି ହସ୍ତ ଇଙ୍ଗିତରେ ତାଙ୍କୁ ନୀରବ ହେବାକୁ ନିର୍ଦ୍ଦେଶ ଦେଇ କହିଚାଲିଲେ– ମୋର ଦୃଢ଼ ବିଶ୍ୱାସ ଯେ ପୂର୍ବଥର ପରି ଏଥର ମଧ୍ୟ ଏ ଗଭୀର ରହସ୍ୟ ଭେଦ କରିବାକୁ ଆପଣ ସମର୍ଥ ହେବେ । ଆପଣ ସାଧାରଣତଃ ଯାହା ଚାହାନ୍ତି ତାହାର୍ହିଁ ହେବ । ତଦନ୍ତରେ ଆପଣଙ୍କର ସମ୍ପୂର୍ଣ୍ଣ ସ୍ଵାଧୀନତା ରହିବ । ପ୍ରୟୋଜନ ହେଲେ ରାଜ୍ୟର ସମଗ୍ର ପୁଲିସ ବାହିନୀ ଆପଣଙ୍କ ପଛରେ ରହିବ । ସୁଲତାନ ଓ ସାୟରାବାନୁ ମୋ ଅନୁରୋଧରେ ଆଉ ସାତଦିନ ଏଠାରେ ରହିବେ । ମୋର ବିଶ୍ଵାସ ଅପହୃତ ହୀରା ମାଳଟି ଏଇ ସମୟ ଭିତରେ ଉଦ୍ଧାର କରିବାକୁ ଆପଣ ସମର୍ଥ ହେବେ ।

 

ଗଭୀର ଚିନ୍ତାକୁଳ ଚିତ୍ତରେ ଭବାନୀ ବାବୁ ଫେରିଲେ । ଆଉ ବେଶୀ ବିଳମ୍ବ କରିବା ଉଚିତ ନୁହେଁ । ଆଇ ଜି ସାହେବ ତାଙ୍କୁ ମାତ୍ର ସାତଦିନ ସମୟ ଦେଇଛନ୍ତି । ଏଇ ଅଳ୍ପ ସମୟ ଭିତରେ ତାଙ୍କୁ ଜାଲ ଟାଣିବାକୁ ହେବ । କେବଳ ସାୟରାବାନୁ ହୀରାମାଳ ନୁହେଁ, ସବୁ ଅପହୃତ ହୀରା ଓ ଜହରତ ଉଦ୍ଧାର କରିବାକୁ ହେବ । ସମୟ ଅତି ଅଳ୍ପ ।
 

ବହୁ ସ୍ଥାନରେ ନାନା ତଦନ୍ତ ଶେଷ କରି ଅବଶେଷରେ ସେ ଇନ୍‌ସୁରେନ୍‌ସ୍‌ କମ୍ପାନୀର ଏରିଆ ସୁପରଭାଇଜର ମି: ରାମମୂର୍ତ୍ତିଙ୍କ ନିକଟରେ ପହଞ୍ଚିଲେ । ଭବାନୀ ବାବୁଙ୍କୁ ଅତିଶୟ ସମ୍ମାନ ଦେଖାଇ ରାମମୂର୍ତ୍ତି କହିଲେ– କୁହନ୍ତୁ ସାର୍, ମୁଁ ଆପଣଙ୍କର କ’ଣ କରିପାରେ !

 

ଭବାନୀ ବାବୁ କହିଲେ– ମୁଁ ଅଳକା ଦେବୀଙ୍କର ଡେଥ୍ ସାର୍ଟିଫିକେଟ୍‌ଟି ଆପଣଙ୍କୁ ଦେବା ପାଇଁ ଆସିଛି । କିନ୍ତୁ ମୋର ଗୋଟିଏ ଅନୁରୋଧ ଅଛି ।

 

–କୁହନ୍ତୁ ସାର୍, ମୁଁ ନିଶ୍ଚୟ ପାଳନ କରିବି ।

 

ସାମାନ୍ୟ ହସି ଭବାନୀ ବାବୁ କହିଲେ– ଆପଣ ଆଜିଠାରୁ ଦୁଇଦିନ ପରେ ଟଙ୍କାଟା ଲେଡ଼ି ଡାକ୍ତର ସଂଙ୍ଘମିତ୍ରାଙ୍କୁ ଦେବେ । ଆଉ ସବୁ ଗୁଡ଼ିକ ଶହେ ଟଙ୍କିଆ ନୋଟ୍ ଦେଇ ସେ ନୋଟ ଗୁଡ଼ିକର ନମ୍ବର ମୋତେ ଦେବେ । ସବୁଠାରୁ ବଡ଼ କଥା ହେଉଛି ଏସବୁ କଥା ଅତିଶୟ ଗୋପନ ରଖିବେ ।

 

ମି. ରାମମୂର୍ତ୍ତି କହିଲେ– ଆପଣଙ୍କ ଆଦେଶ ମୁଁ ଆଦେଶ ମୁଁ ଅବଶ୍ୟ ପାଳନ କରିବି ସାର୍ । କିନ୍ତୁ ଟିକିଏ ଅସୁବିଧା ହେଉଛି ନୋଟ ଗୁଡ଼ିକର ନମ୍ବର ରଖିବାରେ । ଏ ସବୁ ଟଙ୍କା ଆମେ ନଗଦ ନ ଦେଇ ଚେକ ଆକାରରେ ଦେଉ । କିନ୍ତୁ ଆପଣ ଯେତେବେଳେ ଚାହୁଛନ୍ତି, ମୁଁ ଏ କ୍ଷେତ୍ରରେ ପାର୍ଟିକୁ ନଗଦ ଟଙ୍କା ଦେବି ଓ ଆପଣଙ୍କୁ ନିକଟକୁ ନମ୍ବର ଗୁଡ଼ିକ ପଠାଇ ଦେବି ।

 

ମି: ମୂର୍ତ୍ତିଙ୍କୁ ଧନ୍ୟବାଦ ଜଣାଇ ଭବାନୀ ବାବୁ ବିଦାୟ ନେଲେ । ସହରର ବହୁ ସ୍ଥାନରେ ବହୁ ତଦନ୍ତ ଶେଷକରି ଅପରାହ୍ନ ବେଳକୁ ସେ ଘରକୁ ଫେରିଲେ । ୟୁଫସୁ ତାଙ୍କ ପାଇଁ ଘରଭିତରେ ଏକା ଅପେକ୍ଷା କରୁଥିଲା । ଭବାନୀ ବାବୁଙ୍କୁ ଦେଖି ଚୌକିରୁ ଉଠିପଡ଼ି ଖୁସି ହୋଇ କହିଲା– ପାଇଛି ସାର୍, ମିଶ୍ର ସାହେବଙ୍କର ଅଙ୍ଗୁଳି ଚିହ୍ନର ଜୋଗାଡ଼ କରି ପାରିଛି । ଗୋଟିଏ କାଚଗିଲାସରେ ସାମାନ୍ୟ ତେଲ ମଖାଇ ତାଙ୍କୁ ପିଇବା ପାଇଁ ପାଣି ଦିଆହେଲା । କିଛି ସନ୍ଦେହ ନ କରି ସେ ଗିଲାସଟା ଧରି ପାଣି ପିଇଲେ । ଗିଲାସ ଉପରେ ପରିଷ୍କାର ଭାବରେ ହାତ ପାପୁଲିର ଚିହ୍ନ ରହି ଯାଇଛି ।

 

ଗିଲାସଟି ୟୁସୁଫ ହାତରୁ ନେଇ ଭବାନୀ ବାବୁ ପରୀକ୍ଷା କଲେ । ତା’ ପରେ ଖୁସି ହୋଇ କହିଲେ– ହଁ, ଖୁବ ଭଲ ଚିହ୍ନ ଉଠିଛି । ତୁମ ବର୍ତ୍ତମାନ ଯାଇ ପାର ୟୁସୁଫ । ମୁଁ ଯାହା କରିବାକୁ କହିଛି କରିବ । ଆଉ ଜି ପି ଓର ପୋଷ୍ଟ ମାଷ୍ଟରଙ୍କ ସହିତ ବରାବର ସଂଯୋଗ ରକ୍ଷା କରିବ । ମୋର ବିଶ୍ଵାସ ଆଜି ବା କାଲି ଭିତରେ ପାର୍ଶଲେଟା ପୋଷ୍ଟ ଅଫିସକୁ ଆସିବ । ମକବୁଲ ଠାରୁ ମୁଁ ଜାଣି ପାରିଛି ଯେ ପର୍ଶଲେ ଗୁଡ଼ିକ ବମ୍ବେକୁ ପଠାହେଉଛି । କିନ୍ତୁ କେଉଁ ଠିକଣାରେ ପଠା ହେଉଛି ତା’ ସେ କହି ପାରୁନାହିଁ ।

 

ୟୁସୁଫ ବିଦାୟ ନେଲା । ଭବାନୀ ବାବୁ ତଳ ମହଲାକୁ ଯାଇ ଯେଉଁ କୋଠରୀ ଭିତରେ ମକବୁଲ ବନ୍ଦୀ ହୋଇ ରହିଛି ସେଇ ଘରର ତାଲା ଖୋଲି ପଶିଲେ । ଅତି ଗୋପନରେ ଏଇ ଘର ଭିତରେ ମକବୁଲକୁ ସେ ଲୁଚାଇ ରଖିଛନ୍ତି । କେବଳ ତାଙ୍କର ସହବାରୀ ୟୁସୁଫ ଓ ଜଟାଧାରୀ ଛଡ଼ା ଅନ୍ୟ କେହି ତାହା ଜାଣନ୍ତି ନାହିଁ । ମକବଲକୁ ବହୁଭାବରେ ସେ ପୁଣି ପ୍ରଶ୍ନ କଲେ । ତା’ର ସେଇ ଏକା କଥା । ସେମାନଙ୍କର ନେତାକୁ ସେମାନେ କେବେ ହେଲେ ଦେଖି ନାହାନ୍ତି । ସେ ଯାହା କାମ କରିଛି ସେଥିପାଇଁ ଟଙ୍କା ଆକାରରେ ପାରିଶ୍ରମିକ ପାଇଛି । ସବୁ ମାଲ ମାଲିକ ନେଇ ଯାଇଛନ୍ତି । ଖାନ ନଗରର ଗୋଟିଏ ଭଙ୍ଗା ଘର ଭିତରେ ପୂର୍ବ ନିର୍ଦ୍ଧାରିତ ମତେ ଆମେମାନେ ରାତିରେ ଏକତ୍ରିତ ହେଉ । ସେହିଠାରେ ଆମେ ମାଲିକଙ୍କ ଠାରୁ ଆଦେଶ ପାଉ । ସେ ଘରେ ଗୋଟାଏ ମାଇକ୍ରୋଫୋନ ଖଞ୍ଜା ହୋଇଛି । ମାଲିକ କେଉଁଠାରୁ କଥା କହନ୍ତି କେଜାଣି, ଆମେ ତାଙ୍କ କଥା ସେଇ ମାଇକ୍ରୋଫୋନରେ ଶୁଣୁ ।

 

ମକବୁଲକୁ ଏକା ରଖି ଭବାନୀ ବାବୁ ବାହାରିଲେ । ତା’ ପରେ ବହୁକ୍ଷଣ ପର୍ଯ୍ୟନ୍ତ ନିଜର ଲାବୋରେଟରୀରେ କ’ଣ ସବୁ ପରୀକ୍ଷା କଲେ । ଅବଶେଷରେ ନିଜର ଅଫିସ କୋଠରୀକୁ ଫେରି ଆସି ବହୁତ ରାତି ପର୍ଯ୍ୟନ୍ତ କ’ଣ ସବୁ ଲେଖିବାକୁ ଲାଗିଲେ । ଏଇ ମାମଲାର ମିଳିଥିବା ସବୁ ଘଟଣାବଳୀ ସେ ଭଲଭାବରେ ସଜାଇ ଲିପିବଦ୍ଧ କଲେ ।

 

ରାତି ଗଭୀର ହେଲା । ରାଜପଥ ନୀରବ ହେଲା । ଭବାନୀବାବୁ ଲେଖା ଶେଷକରି ଘଡ଼ିକୁ ଚାହିଁ ଦେଖିଲେ ରାତି ଦୁଇଟା ବାଜିଲାଣି । ଏହି ସମୟରେ ବାହାର କବାଟରେ ଗୋଟିଏ ବିଶେଷ ଶବ୍ଦ ହେଲା । ଭବାନୀ ବାବୁ ବୁଝିଲେ– ଜଟିଆ ଆସିଛି । ଗଭୀର ରାତିରେ ଜଟିଆ ଆସିବ ବୋଲି ସେ ଜାଣିଥିଲେ । ଚଉକିରୁ ଉଠି ଯାଇ ଦୁଆର ଫିଟାଇ ଦେଲେ ।

 

ହସ ହସ ମୁହଁରେ ଜଟିଆ ଘରେ ପଶିଲା । କଳା ଓ ପେଶୀ ବହୁଳ ଦେହଟା ତା’ର ତେଲ ବୋଳା ହୋଇ ଚକ୍ ଚକ୍ ଦେଖା ଯାଉଛି । ଚୋରି କରିବାକୁ କାହାଘରେ ପଶିବାକୁ ହେଲେ ସେ ସର୍ବାଙ୍ଗରେ ତେଲ ବୋଳି ହୋଇ ଯାଏ ତା’ ହେଲେ’ କେହି ଧରି ପକାଇଲେ ସେ ଅନାୟାସରେ ଖସି ଯାଇପାରିବ । କଳାଦେହକୁ ସାନ ଖଣ୍ଡିଏ କଳା ପ୍ୟାଣ୍ଟ । ଅନ୍ଧକାରରେ ଲୁଚି ରହିବାର ଅତି ସୁନ୍ଦର ପୋଷାକ । ଜଟିଆ ହସ ହସ ମୁହଁରେ କହିଲା– ସେ ଗ୍ରହଣ ଖଣ୍ଡୀ ଡାକ୍ତରାଣୀ ଘରୁ ସବୁ କାଗଜ ପତ୍ର ଉଠାଇ ଆଣିଛି ହଜୁର । ଏହାକହି ଗୋଟିଏ ସାନ ପୁଟୁଳି ସେ ଭବାନୀ ବାବୁଙ୍କ ଟେବୁଲ ଉପରେ ରଖିଲା ।

 

–ଆଉ କୌଣସି ଗୋଳମାଳ ହୋଇ ତାହଁ ! –କାଗଜ ପୁଡ଼ିଆଟି ଖୋଲୁ ଖୋଲୁ ଭବାନୀ ବାବୁ ପଚାରିଲେ ।

 

ବେପରେୟା ଟିକିଏ ହସ ହସି ଜଟିଆ କହିଲା –ବିଲକୁଲୁ ଚୁପ୍‌ଚାପ । ହଜରୁଙ୍କ କାମ ମୁଁ ଖଇଚା କରିବି ! ଗ୍ରହଣ ଖଣ୍ଡୀ ଡାକ୍ତରାଣୀ ଖଟ ଉପରେ ନିଘୋଡ଼ ନିଦରେ ଶୋଇଥିଲା । ମୁଁ ପାଖରେ ଯାଇ ଛିଡ଼ା ହେଲି । ତା’ ନାକ ପୁଡ଼ାରେ ଖଣ୍ଡିଏ କାଗଜ ପୁରାଇଦେଲି । ଛିଙ୍କି ଦେଇ ନିଦ ଭାଙ୍ଗିଗଲା । ତା’ପରେ ମୁଁ ତା ସାମନାରେ ଛୁରୀ ଉଠାଇ ଛିଡ଼ା ହୋଇଛି ଦେଖି ତା’ ମୁହଁଟା ଯେମିତି ହୋଇଗଲା, ଆପଣ ତା, ଦେଖିଥିଲେ ହସି ହସି ପରିସ୍ରା କରି ପକାଇ ଥାନ୍ତେ ବଡ଼ବାବୁ ! ମୁଁ ତା’ ମୁହଁ ଭିତରେ ଲୁଗା ଗୁରାଇ ଭଲକରି ବାନ୍ଧି ଦେଲି । ଡାକ୍ତରାଣୀକୁ ତା’ ଖଟ ସଙ୍ଗେ ବାନ୍ଧି ରଖି ଆସିଛି । ତା’ ପରେ ଟ୍ରଙ୍କ ବାକ୍‌ସ ଭାଙ୍ଗି ସବୁ କାଗଜ ଗୋଟିଏ ପୁଡ଼ିଆରେ ଧରି ଆସିଲି । ଘରେ ଆଉ କିଛି ଧନରତ୍ନ ନାହିଁ । ଖାଲି ଶହେଟି ଟଙ୍କା ଥିଲା । ମୋ ଫିସ ବାବତକୁ ତାହା ନେଇ ଆସିଲି-। ଆପଣଙ୍କଠୁ ଆଉ ନେବି ନାହିଁ ।

 

କାଗଜ ଗୁଡ଼ିକ ଭବାନୀ ବାବୁ ପରୀକ୍ଷା କରି ଦେଖିଲେ । ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ସେ ଯାହା ଆଶା କରୁଥିଲେ ତାହା ପାଇଛନ୍ତି । କାଗଜ ଗୁଡ଼ିକ ଭିତରେ ଅନେକ ଗୁଡ଼ିଏ ଚିଠି ରହିଛି । ସୁନ୍ଦର ନେଳୀ ରଙ୍ଗର କାଗଜରେ କେତେକ ପ୍ରେମ ପତ୍ର । ଲେଖକର ନାମ ମଧ୍ୟ ରହିଛି । ଜଟିଆକୁ ବିଦାୟ ଦେଇ ଭବାନୀ ବାବୁ ଚିଠି ଗୁଡ଼ିକ ପଢ଼ିବାକୁ ଲାଗିଲେ । ଏଇ ରୂପହୀନା ତରୁଣୀଟିକୁ ଏଇ ଭଣ୍ଡ ପ୍ରେମିକ ଅନାୟାସରେ କରାୟତ୍ତ କରିପାରିଛି । କେତେ ଆଶା କେତେ ସ୍ଵପ୍ନ ଯେ ଏଇ ତରୁଣୀଟିର ବୁକୁ ଭିତରେ ଜଗାଇ ଦିଆ ହୋଇଛି ତା’ର ଅନ୍ତ ନାହିଁ । ଏଇ ଭଣ୍ଡ ପ୍ରେମିକ ନର୍ତ୍ତକୀ ଅଳକାନନ୍ଦାକୁ ମଧ୍ୟ ଏହିପରି ଏକ ମୋହରେ ଅନ୍ଧ କରି ନିଜର ଏକ ଶାଣିତ ଅସ୍ତ୍ରରୂପେ ବ୍ୟବହାର କରୁଥିଲା । ଅଳକା ନାମରେ ବଡ଼ ଏକ ଜୀବନବୀମା କରାଇ ସଂଘ ମିତ୍ରାଙ୍କୁ ସେ ଅର୍ଥର ଉତ୍ତରାଧିକାରୀ କରାଇ ଥିଲା । ହୁଏତ ସଂଙ୍ଘମିତ୍ରାକୁ ଅଳକା ଆଦୌ ଚିହ୍ନେ ନାହିଁ । ଅବଶେଷରେ ସେହି ଅଳକା ହାତରେ ଅପୂର୍ବ କୌଶଳରେ ସେ ସାୟରାବାନୁର ହୀରା ମାଳ ଅପହରଣ କଲା । କିନ୍ତୁ ତା’ ପରେ ସେ ଅପୂର୍ବ ରତ୍ନହାରଟି ପ୍ରେମିକ ହାତରେ ସମର୍ପି ନ ଦେଇ ନିଜର ସମ୍ପତ୍ତି କରି ରଖିବାକୁ ଚାହିଁଲା । ସୁତରାଂ ସୁନ୍ଦରୀ ଅଳକାକୁ ମରିବାକୁ ହେଲା । ଯେଉଁଦିନ ଅଳକାକୁ ହତ୍ୟା କରିବ ବୋଲି ସେ ଭଣ୍ଡ ପ୍ରେମିକ ଠିକ୍ କରୁଥିଲା, ଠିକ ସେଇଦିନ ସେ ସ୍ଵୟଂ ଯାଇ ଅଳକାର ପ୍ରିମିୟମ ଟଙ୍କା ଦାଖଲ କରି ରସିଦ ନେଇ ଆସିଲା । ଅଳକା ଏ କଥା ଜାଣିଲା ନାହିଁ । ତା’ ପରେ ଅଳକାକୁ ନିର୍ମମ ଭାବରେ ହତ୍ୟାକରି ସାରିବା ପରେ ତା’ର ହାତବ୍ୟାଗ ଖୋଲି ସେଥିରେ ରସିଦଟି ରଖି ଦେଇ ଆସିଲା । କିନ୍ତୁ ଦୁର୍ଭାଗ୍ୟ କ୍ରମେ ସେ କାଗଜ ଖଣ୍ଡିକରେ ତା’ ଅଙ୍ଗୁଳି ରଖି ରହିଗଲା । ତାହାହିଁ ହେଲା ରହସ୍ୟର ଏ ଘନ ଅନ୍ଧକାର ଭିତରେ ଭବାନୀ ବାବୁଙ୍କର ପ୍ରଥମ ଅତି ନିର୍ଭର ଯୋଗ୍ୟ ସୂତ୍ର ।

 

ନାଲି ଭେଲଭେଟ୍ ଫିତାରେ ଚିଠିଗୁଡ଼ିକ ଅତି ଯତ୍ନରେ ବାନ୍ଧି ରଖାହୋଇଛି । ତରୁଣୀ ସଙ୍ଘମିତ୍ରାର ଅତି ଗୋପନ ଧନ । ଏଇ ପୁଡ଼ିଆଟି ଭିତରେ ତାର ତାରୁଣ୍ୟର ସବୁ ସ୍ଵପ୍ନ ଲୁଚି ରହିଛି-। ଝିଅଟିର ରୂପନାହିଁ । ସେଥିଯୋଗୁ ତାର ଅନ୍ତରର ଗୋପନ ହାରରେ ଏପର୍ଯ୍ୟନ୍ତ କୌଣସି ଅତିଥି ହୁଏତ କରଘାତ କରି ନଥିଲା । ସେଇ ଶୂନ୍ୟତାର ସୁବିଧା ନେଇ ଏଇ ପ୍ରତାରକଟା ତାର ଜୀବନ ଆକାଶରେ ଉଦୟ ହୋଇଛି । ପ୍ରଚଣ୍ଡ ବିଶ୍ୱାସରେ ଏ ଝିଅଟି ତାକୁ ନିଜର କରି ନେଇଛି । କିନ୍ତୁ ତାକୁ ମଧ୍ୟ ଅଳକା ପରି ମରିବାକୁ ହେବ । କାରଣ ଅଳକାର ଜୀବନବୀମାର ଦୁଇଲକ୍ଷ ଟଙ୍କା ଏଇ ପିଶାଚଟା ନେବା ପାଇଁ ଚାହିଁ ରହିଛି ।

 

ଭବାନୀ ବାବୁ ସବୁ ଜାଣିପାରିଥିଲେ ମଧ୍ୟ ବର୍ତ୍ତମାନ ଏ ସଇତାନଟାକୁ ଗିରଫ କରୁନାହାନ୍ତି । ତାହାହେଲେ ଅପହୃତ ହୀରା ଗୁଡ଼ିକ ଉଦ୍ଧାର କରିବା ସମ୍ଭବ ହେବନାହିଁ । ଆହୁରି କେତେଗୁଡ଼ିଏ ସୂତ୍ର ପାଇଁ ତାଙ୍କୁ ଅପେକ୍ଷା କରି ରହିବାକୁ ହେବ ।

 

ପାଞ୍ଚ

 

ତା ପରଦିନ ପ୍ରାୟ ନ’ ଟା ବେଳକୁ ଭବାନୀବାବୁଙ୍କର ଟେଲିଫୋନ ବାଜି ଉଠିଲା । ରିସିଭରଟି ଧରିବା ପୂର୍ବରୁ ତାଙ୍କ ମୁହଁରେ ଟିକିଏ ହସ ଫୁଟି ଉଠିଲା । କିଏ ଟେଲିଫୋନ କରୁଛି ତା’ ସେ ଅନାୟାସରେ ଅନ୍ଦାଜ କରି ପାରିଲେ । ରିସିଭରଟି କାନରେ ଲଗାଇ ସେ ଜାଣି ପାରିଲେ ସେ ତାଙ୍କର ଅନ୍ଦାଜ ଠିକ । ମିଶ୍ର ସାହେବ ଅତିଶୟ ଉତ୍ତେଜିତ ହୋଇ ଟେଲିଫୋନ କରୁଛନ୍ତି । ଭବାନୀବାବୁ, ଗତ ରାତିରେ ତେଲେଙ୍ଗା ବଜାରର ଲେଡିଡାକ୍ତର ସଂଙ୍ଘମିତ୍ରା ଦାସଙ୍କ ଘରେ ବଡ଼ ଧରଣର ଗୋଟାଏ “ରବରୀ” ହୋଇଯାଇଛି । ବାସ୍ତବିକ ଏ ସହରରେ ବଡ଼ ଭୟାବହ କାଣ୍ଡମାନ ଘଟି ଚାଲିଛି । କାହାରି ହେଲେ ଧନ ଜୀବନ ନିରାପଦ ନୁହେଁ । ତାଙ୍କ ଘରେ ସେ ଏକା ବାସ କରନ୍ତି । ଗତ ରାତିରେ କେତେକ ଦସ୍ୟୁ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରି ବାନ୍ଧି ପକାଇଲେ । ତା’ ପରେ ଟ୍ରଙ୍କ ବାକ୍‌ସ ସବୁ ଭାଙ୍ଗିଲେ । ଆପଣଙ୍କର ମନେ ଥିବ, ଯେ ଅଳକା ଦେବୀଙ୍କର ଜୀବନବୀମାର ଦୁଇଲକ୍ଷ ଟଙ୍କା ଡାକ୍ତର ସଙ୍ଘମିତ୍ରା ପାଇବାର କଥା । ଅଜ୍ଞାତ ଆତତାୟୀ ବୋଧହୁଏ ତାହା ଜାଣେ । ସେ ଟଙ୍କାଟା ପାଇସାରିଛନ୍ତି ବିଶ୍ୱାସ କରି ସେ ଆସିଥିଲା । କିନ୍ତୁ ହତାଶ ହୋଇଛି । ମାତ୍ର ଶହେ ବା ଦେଢ଼ଶହ ଟଙ୍କା ତାଙ୍କ ବାକସରେ ଥିଲା । ସେତିକି ନେଇ ଯାଇଛି । ସେ ଯାହାହେଉ ଏହା ଯେ ଗୋଟିଏ ଅତି ବଡ଼ ଘଟଣା ଏଥିରେ ସନ୍ଦେହ ନାହିଁ । ମୁଁ ନିଜେ ସେଠାକୁ ଯାଇଥିଲି । ସ୍ଥାନୀୟ ପୁଲିସ ଆସି ତଦନ୍ତ କରୁଛନ୍ତି । ତଦନ୍ତରେ ସାହାଯ୍ୟ କରିବାପାଇଁ ମୁଁ ପୁଲିସ କୁକୁର ପଠାଇ ଦେଇଛି । ଡକ୍ଟର ସିହ୍ନାକୁ ମଧ୍ୟ ସେଠାକୁ ଥରେ ଯିବାପାଇଁ ଅନୁରୋଧ କରିଛି । ଡାକ୍ତର ସଙ୍ଘମିତ୍ରା ଅତିଶୟ ନର୍ଭସ ହୋଇ ପଡ଼ିଛନ୍ତି । ସେ ଆପଣଙ୍କ ସଙ୍ଗେ ଥରେ ସାକ୍ଷାତ କରିବାକୁ ଚାହାଁନ୍ତି । ଆପଣଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି । ଆପଣ କ’ଣ ଥରେ ସେଠାକୁ ଯାଇ ପାରିବେ ?

 

ସବୁ ଶୁଣିସାରି ଭବାନୀବାବୁ କହିଲେ– ବଡ଼ ଦୁର୍ଭାଗ୍ୟ ଜନକ କଥା, ଏଥିରେ ସନ୍ଦେହ ନାହିଁ । ହଁ, ମୁଁ ସେଠାକୁ ଯିବି । କିନ୍ତୁ ସାମାନ୍ୟ ବିଳମ୍ବ ହେବ । ହାତରେ ଟିକିଏ ଜରୁରୀ କାମଅଛି । ସେତକ ଶେଷକରି ମୁଁ ନିଶ୍ଚୟ ଯିବି ।

 

ଭବାନୀ ବାବୁଙ୍କ ହାତରେ ପ୍ରକୃତରେ କୌଣସି ଜରୁରୀ କାମ ନଥିଲା । ସେ ଜାଣିଶୁଣି ବିଳମ୍ବ କଲେ । ଦିନ ପ୍ରାୟ ବାରଟା ବେଳେ ସେ ଜିପରେ ଯାଇ ସେଠାରେ ପହଞ୍ଚିଲେ । ସେତେବେଳକୁ ଡକ୍ଟର ସିହ୍ନା କାମ ସାରି ଫେରିଯିବା ପାଇଁ ତାଙ୍କ କାରରେ ବସିଥିଲେ । ଭବାନୀ ବାବୁଙ୍କୁ ଦେଖି ଗାଡ଼ିର ଷ୍ଟାଟ ବନ୍ଦ କରି ଓହ୍ଳାଇଲେ । –ମାତ୍ର କେତେକ ଟଙ୍କା ଛଡ଼ା ଆଉ କୌଣସି ଜିନିସ ଚୋରି ହୋଇନାହିଁ । ମୋର କହିବା କଥା ଏଠାରେ ବିଶେଷ କିଛି ନାହିଁ । ଏହା ଏକ ଅତି ସାଧାରଣ ଚୋରି । ମି: ମିଶ୍ରଙ୍କର ବିଶେଷ ଅନୁରୋଧକ୍ରମେ ମୁଁ ଏଠାକୁ ଆସିଥିଲି । ତା ଛଡ଼ା ମୋର ଆଉ ଟିକିଏ ଆଗ୍ରହ ମଧ୍ୟ ଥିଲା । ମୁଁ ଶୁଣିଥିଲି ଯେ ଅଳକା ଦେବୀଙ୍କର ଜୀବନ ବୀମାର ଦୁଇଲକ୍ଷ ଟଙ୍କା ଏଇଁ ଲେଡ଼ି ଡାକ୍ତର ପାଇବାର କଥା । ଏଇ ଭାଗ୍ୟବତୀ ମହିଳାଙ୍କୁ ଥରେ ଦେଖିବା ପାଇଁ ମୋର ବଡ଼ ଆଗ୍ରହ ହେଲା । ମୁଁ ଏବେ ଯାଉଛି ଭବାନୀ ବାବୁ । ଟିକିଏ ଜରୁରୀ କାମ ଅଛି ।

 

ସେତେବେଳକୁ ତଦନ୍ତକାରୀ ପୁଲିସ କର୍ମଚାରୀମାନେ ମଧ୍ୟ ଚାଲିଲଗଲେଣି । ବଡ଼ି ସହରରେ ଏହା ଏକ ଅତି ମାମୁଲି ଘଟଣା । ଜଣେ ମାତ୍ର କନଷ୍ଟେବଲ ବାହାରେ ଛିଡ଼ା ହୋଇଛି । ଭବାନୀବାବୁଙ୍କୁ ଅତିଶୟ ସମ୍ମାନର ସହିତ ସଂଙ୍ଘମିତ୍ରା ସ୍ଵାଗତ କଲା । ପୁରାତନ ଖଣ୍ଡିଏ ସାନ ଭଡ଼ାଘର, ମାତ୍ର ଦୁଇଟି ତୋଠରୀ, ଏଇ ଘରେ ସଂଙ୍ଘମିତ୍ରା ଆଜିକୁ ପ୍ରାୟ ଛ'ମାସ ହେଲା ଏକା ବାସ କରୁଛି । ପ୍ରାଇଭେଟ ପ୍ରାକ୍‍ଟିସ କରୁଛି । କିନ୍ତୁ ରୋଜଗାର ଯେ ଅଧିକ ନୁହେଁ, –ଏହା ଘରଟିର ଦୈନ୍ୟରୁ ଜଣାଯାଉଛି ।

 

ଚବିଶ ପଚିଶ ବର୍ଷର ଝିଅଟିଏ । ଶୀର୍ଣ୍ଣ ଅସ୍ଥିସାର ଦେହ, କଳା ରଙ୍ଗ । ଉପର ଓଠଟା କଟା । ସେଥିଯୋଗୁ ଜଟିଆ ତାକୁ ଗ୍ରହଣ ଖଣ୍ଡୀ ଡାକ୍ତରାଣୀ ବୋଲି କହେ, ଶ୍ରୀହୀନ ଏଇ ଯୌବନର ଗୁରୁଭାର ବହନ କରି ସେ ଏ ଦୁନିଆରେ ବଞ୍ଚିରହିଛି । ଭବାନୀ ବାବୁଙ୍କ ମନରେ କରୁଣ ହେଲା । ସଂଘମିତ୍ରା ଅତିଶୟ ଭଦ୍ର ଓ ନମ୍ର । ଭବାନୀବାବୁଙ୍କ ବ୍ୟକ୍ତିତ୍ଵର ପ୍ରଭାବରେ ତା’ ମନରୁ ଗତରାତିର ବିଭୀଷିକା ଛାଇ ଧୀରେ ଧୀରେ ମିଳାଇଗଲା, ଭବାନୀବାବୁଙ୍କ ନିକଟରେ ବସି ସେ ବହୁ ପ୍ରଶ୍ନର ଉତ୍ତର ଦେଲା । କଥା ମଝିରେ ସଂଘମିତ୍ରା ପ୍ରଶ୍ନକଲା–ସାର୍, ଜ୍ୟୋତିଷର ଭବିଷ୍ୟତବାଣୀରେ କଣ ବିଶ୍ୱାସ କରିବା ଉଚିତ ?

 

ସାମାନ୍ୟ ଟିକିଏ ହସି ଭବାନୀବାବୁ କହିଲେ– ଆପଣମାନେ ଏ ବିଜ୍ଞାନ ଯୁଗର ମଣିଷ ହୁଏତ ଆପଣ ତାହା ବିଶ୍ଵାସ କରିବେ ନାହିଁ । କିନ୍ତୁ ମୁଁ ବିଶ୍ଵାସ କରେ, କୋଟି କୋଟି ମାଇଲ ମହାକାଶ ଭିତରେ ରହି ଗ୍ରହମାନେ ଯେ ଆମମାନଙ୍କର ଭାଗ୍ୟ ନିୟନ୍ତ୍ରଣ କରୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ଏହାର ବହୁ ପ୍ରମାଣ ପାଇଛି । କିନ୍ତୁ ଆପଣ ଏକଥା ପଚାରୁଛନ୍ତି କାହିଁକି ?

 

ସଂଘମିତ୍ରା କହିଲା– ତେବେ ମୁଁ କ’ଣ କରିବି ସାର୍ ! ଆପଣ ଯଦି ବିଶ୍ୱାସ କରନ୍ତି ତେବେ ଜ୍ୟୋତିଷର ଭବିଷ୍ୟତବାଣୀ ନିୟୟ ସତ, ମୁଁ କ’ଣ କରିବି ?

 

–କିନ୍ତୁ କ’ଣ ହୋଇଛି ମୋତେ ଖୋଲି କହନ୍ତୁ । ଜ୍ୟୋତିଷର ଭବିଷ୍ୟତବାଣୀ ସତ ହେଲେ ମଧ୍ୟ ସେ ସବୁ ଅନାଗତ । ଦୁର୍ଭାଗ୍ୟରୁ ରକ୍ଷା ପାଇବାର ମଧ୍ୟ ଉପାୟ ଅଛି । ସେଇ କାରଣରୁ ମଣିଷ ଭବିଷ୍ୟତ ଜାଣିବାକୁ ଚାହେଁ ।

 

କିଛିକ୍ଷଣ ନୀରବ ରହି ସଂଘମିତ୍ରା କହିଲା– ଗତକାଲି ସଞ୍ଜବେଳେ ହଠାତ୍ ଜଣେ ଜ୍ୟୋତିଷ ମୋ ଘରକୁ ଆସିଲେ । ବହୁକ୍ଷଣ ପର୍ଯ୍ୟନ୍ତ ମୋର କର ରେଖା ପରୀକ୍ଷା କରି କହିଲେ– ଅସ୍ତ୍ରାଘାତରେ ତୁମର ଅପମୃତ୍ୟୁ ସୁନିଶ୍ଚିତ । ତା’ଛଡ଼ା ଆହୁରି ଅନେକ କଥା ସେ କହିଲେ । ମୁଁ ସେତେବେଳେ ତାହା ବିଶ୍ଵାସ କରି ନଥିଲି । କିନ୍ତୁ ତାଙ୍କର ଭବିଷ୍ୟତ ବାଣୀ ସେ ଏତେ ଶୀଘ୍ର ସଫଳ ହେବ, ତାହା ମଧ୍ୟ ମୁଁ ଜାଣି ନଥିଲି; ରାତିରେ ସେ ଡକାୟତଟା ଖଣ୍ଡେଛୁରୀ ଉଞ୍ଚାଇ ମୋତେ ମାରି ଦେବାକୁ ବସିଥିଲା, ପୁଣି ହୁଏତ ସେ ଆସିବ । ଏଥର ସେ ନିଶ୍ଚୟ ମୋତେ ମାରିଦେବ, ମୁଁ କ’ଣ କରିବି ? ମୋତେ ଆପଣ ବଞ୍ଚାନ୍ତୁ ।

 

ଭବାନୀବାବୁ ମନେ ମନେ ହସିଲେ । ତାଙ୍କର ନିର୍ଦ୍ଦେଶରେ ପଣ୍ଡିତ ଧୂର୍ଜଟୀ ଶର୍ମା ଗତ ସନ୍ଧ୍ୟାରେ ଏଠାରେ ଉଦୟ ହୋଇ ଉପରୋକ୍ତ ଭବିଷ୍ୟତ ବାଣୀଟି ଶୁଣାଇ ଏ ତରୁଣୀଟିକୁ ଉଦ୍‌ବେଗ କଣ୍ଟକିତ କରି ଧୀରସ୍ଥିର ଚିତ୍ତ କମଳରେ ନିଜର ଗୁପ୍ତ ରହଣି ସ୍ଥାନକୁ ପୁଣି ଫେରିଯାଇଛି-। କିନ୍ତୁ ମୁହଁରେ ଅତିଶୟ ଗାମ୍ଭୀର୍ଯ୍ୟ ଫୁଟାଇ ସେ ସଂଘମିତ୍ରାର କଥାଟି କିଛିକ୍ଷଣ ଚିନ୍ତା କଲେ । ତାପରେ କହିଲେ– ଆପଣ ଭୟ କରନ୍ତୁ ନାହିଁ ସଂଘମିତ୍ରା ଦେବୀ । ସେ ସବୁ ବ୍ୟବସ୍ଥା ମୁଁ କରିବି । ଆପଣଙ୍କର ଏ ଘରଟି ଦିନରାତି ମୋ ଲୋକ ଜଗି ରହିବେ । କିନ୍ତୁ ମୁଁ ଆପଣଙ୍କୁ ଆଉ ଗୋଟିଏ ଉପଦେଶ ଦେବାକୁ ଚାହେଁ । କଥାଟି ଅବଶ୍ୟ ପାଳନ କରିବେ ଓ ଅତିଶୟ ଗୋପନ । ରଖି ପାରିବେ ତ ?

 

ଭବାନୀବାବୁଙ୍କ ବ୍ୟକ୍ତତ୍ଵର ପ୍ରଭାବରେ ଓ କଥା କହିବାର ଭଙ୍ଗିରେ ସଂଘମିତ୍ରା ଯେପରି ସମ୍ପୂର୍ଣ୍ଣ ସମ୍ମୋହିତ ହୋଇଯାଇଛି । ଯନ୍ତ୍ରଚାଳିତ ପରି ସେ ଉତ୍ତର ଦେଲା– ନିଶ୍ଚୟ ପାରିବି ସାର୍ ।

 

ତେବେ ଶୁଣନ୍ତୁ, ଘଟଣା ଚକ୍ରରେ ଖୁବ ଶୀଘ୍ର ଆପଣ ବିପୁଳ ଅର୍ଥ ଲାଭ କରିବାକୁ ଯାଉଛନ୍ତି । ସେ ଟଙ୍କା ଯେପରି ଆପଣ ଏ ଘରେ ନ ରଖନ୍ତି । ଆପଣଙ୍କର ଯଦି କେହି ଅତି ବିଶ୍ଵାସ ନିଜର ଲୋକ ଥାନ୍ତି, ସେ ଟଙ୍କା ତାଙ୍କ ନିକଟରେ ଗଚ୍ଛିତ ରଖିବେ । ସେ ନିଜ ପାଖରେ ହେଉ ବା ବ୍ୟାଙ୍କରେ ହେଉ– ସେ ଟଙ୍କା ଗଚ୍ଛିତ ରଖିବେ । ଏପରି କେହି ବିଶ୍ଵାସୀ ଅଛନ୍ତି ତ ?

 

ଭବାନୀ ବାବୁ ଲକ୍ଷ୍ୟକଲେ ତାଙ୍କର ଶେଷ ପ୍ରଶ୍ନଟି ଶୁଣି । ସଂଘମିତ୍ରାର ମୁହଁଟିରେ ଏକ ସରମର ଅରୁଣ ଆଭା ଫୁଟିଉଠିଲା । ତଳକୁ ଦୃଷ୍ଟି ଅବନତ କରି ସେ ଧୀରେ ଧୀରେ କହିଲା– ଅଛନ୍ତି ।

 

ଖୁସି ହୋଇ ଭବାନୀ ବାବୁ କହିଲେ– ଆଚ୍ଛା, ଖୁବ ଭଲକଥା । ତା’ ହେଲେ ଆପଣ ମୋର ଉପଦେଶ ଭୁଲିବେ ନାହିଁ । ବାକି ସବୁ ନିରାପତ୍ତାର ବ୍ୟବସ୍ଥା ମୁଁ କରିବି । ଆଚ୍ଛା, ଅଳକା ଦେବୀ କ’ଣ ଆପଣଙ୍କର ଆତ୍ମୀୟା ଥିଲେ ? ନିଶ୍ଚୟ ଆପଣଙ୍କୁ ସେ ଅତିଶୟ ସ୍ନେହ କରୁଥିଲେ !

 

–କେଉଁ ଅଳକା ଦେବୀ !

 

ସଂଘମିତ୍ରା ବୋଧହୁଏ ଟିକିଏ ଅନ୍ୟମନସ୍କ ହୋଇ ପଡ଼ିଥିଲା । ହଠାତ୍ ଆତ୍ମସମ୍ବରଣ କରିନେଇ ସେ ପୁଣି କହିଲା– ହଁ, ସେ ମୋର– ମାନେ, ସେ ସବୁ ମୋର ବ୍ୟକ୍ତିଗତ କଥା ସାର୍ ।

 

ନିରୀହ ଟିକିଏ ହସ ହସି ଭବାନୀ ବାବୁ କହିଲେ– ଆଚ୍ଛା, ଠିକ ଅଛି । ସେ ସବୁ ବ୍ୟକ୍ତିଗତ କଥା ଜାଣିବା ପାଇଁ ମୋର ମଧ୍ୟ । କୌଣସି ଆଗ୍ରହ ନାହିଁ । ମୁଁ ଏବେ ଯାଉଛି ସଙ୍ଘମିତ୍ରା ଦେବୀ, ମୋର ଉପଦେଶ ଆପଣ ସ୍ମରଣ ରଖିବେ । କୌଣସି ଭୟ ନାହିଁ, ସବୁ ବ୍ୟବସ୍ଥା ମୁଁ କରିବି-

 

ସେଠାରୁ ବାହାରି ଭବାନୀବାବୁ ଆହୁରି ବହୁ ସ୍ଥାନକୁ ଗଲେ । ଯେପରି କୌଣସି ଅଭିଜ୍ଞ ସେନାଧ୍ୟକ୍ଷ ବଡ଼ ଗୋଟିଏ ଆକ୍ରମଣର ଯୋଜନା କରୁଛନ୍ତି । ସବୁ କାମ ଶେଷ କରି ସେ ଅପରାହ୍ନକୁ ନିଜଘରକୁ ଫେରି ଆସିଲେ । ମଧ୍ୟାହ୍ନ ଭୋଜନ ଶେଷକରି ନିଜର ବୈଠକ ଖାନାକୁ ଆସି ଖଣ୍ଡିଏ ଇଜି ଚେୟାରରେ ଆଖି ଦୁଇଟି ବୁଜି ବସି ରହିଲେ । ଅପରାହ୍ନ ପ୍ରାୟ ଚାରିଟା ବେଳକୁ ଡକ୍ଟର ଅନାଥବନ୍ଧୁ ସିହ୍ନା ଆଉ ଜଣେ ଭଦ୍ରଲୋକଙ୍କୁ ଧରି ଘରଭିତରେ ପଶିଲେ । ଏଇ ଅତି ବିଖ୍ୟାତ ଲୋକଟିକୁ ଡକ୍ଟର ସିହ୍ନା ଭଲଭାବରେ ଜାଣନ୍ତି । ତାଙ୍କୁ ଏପରି ଧ୍ୟାନମଗ୍ନ ଅବସ୍ଥାରେ ଦେଖି ଆଗନ୍ତୁକ ଦ୍ଵୟ ନୀରବରେ ଦୁଇଖଣ୍ଡ ଚୌକିରେ ବସି ରହିଲେ । ବହୁକ୍ଷଣ ପରେ ଭବାନୀ ବାବୁଙ୍କର ଧ୍ୟାନଭଙ୍ଗ ହେଲା । ଡକ୍ଟର ସିହ୍ନା ହସହସ ମୁହଁରେ କହିଲେ– ନମସ୍କାର ଭବାନୀ ବାବୁ, ଏ ହେଉଛନ୍ତି ମୋର ବନ୍ଧୁ ମିଷ୍ଟର ଆଇଜାକ୍ । ମୋଠାରୁ ଆପଣଙ୍କ ବିଷୟରେ ସେ ବହୁ କଥା ଶୁଣିଛନ୍ତି । ସେ ଜଣେ ଆପଣଙ୍କର ପରମ ଭକ୍ତ । ଆଜି ଆସି ମୋ ବସାରେ ପହଞ୍ଚିବା ମାତ୍ରେ ଆପଣଙ୍କୁ ଥରେ ଦେଖିବାପାଇଁ ଲଗାଇଛନ୍ତି ।

 

ଭବାନୀ ବାବୁ ସ୍ମିତ ମୁଖରେ ମି: ଆଇଜାକ୍‌ଙ୍କୁ ସ୍ଵାଗତ କଲେ । ଇଜି ଚେୟାର ଉପରୁ ଉଠିଆସି ନିଜ ବସିବା ଚୌକିରେ ବସିଲେ । କହିଲେ– ଚାହା ନା କଫି କ’ଣ ଆଣିବାକୁ କହିବି କହନ୍ତୁ ଡକ୍ଟର ଆଇଜାକ୍ ? ଆପଣ କ’ଣ ଆଜି ସକାଳ ଏକସ୍‍ପ୍ରେସରେ ଦିଲ୍ଲୀରୁ ଆସି ପହଞ୍ଚିଲେ-?

 

ଆଇଜାକ ଆଶ୍ଚର୍ଯ୍ୟ ହୋଇ ହୋଇ ଭବାନୀ ବାବୁଙ୍କୁ ଅନାଇ ରହିଲେ । ତାଙ୍କର ମନୋଭାବ ବୁଝିପାରି ଭବାନୀ ବାବୁ ହସି ହସି କହିଲେ –ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା ! ମୁଁ ଆହୁରି ଜାଣେ ସେ ଆପଣ ଦିଲ୍ଲୀର “ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଟ୍ରପିକେଲ ମେଡ଼ିସିନ୍‌” ଜଣେ ମେଡ଼ିକେଲ ରିପ୍ରେଜେଣ୍ଟେଟିଭ ।

 

–କିନ୍ତୁ ଆପଣ ଜାଣିଲେ କିପରି ? ଡକ୍ଟର ଆଇଜାକ ଚିତ୍କାର କରି ଉଠିଲେ ।

 

ଏଥର ଉଚ୍ଚ ଶବ୍ଦରେ ଭବାନୀ ବାବୁ ହସି ଉଠିଲେ ।

 

–ଆପଣ ଏତେଦୂର ଆଶ୍ଚର୍ଯ୍ୟ ହେଉଛନ୍ତି କାହିଁକି ? ଆପଣଙ୍କ ପୋର୍ଟ ଫୋଲିଓରେ ଆପଣର ନାମ ଓ ଠିକଣା ଲେଖାହୋଇଛି ବୋଲି କ’ଣ ଆପଣ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛନ୍ତି ।

 

ଡକ୍ଟର ଆଇଜାକ ଏଥର ଲଜ୍ଜିତ ହେଲେ । କହିଲେ– ଆପଣଙ୍କର ଦୃଷ୍ଟିଶକ୍ତିତ ଅତି ତୀକ୍ଷ୍‍ଣ ! ମୁଁ ଆପଣଙ୍କ କଥା ଶୁଣି ଏକାବେଳକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଆପଣଙ୍କ ବିଷୟରେ ମୁଁ ଡକ୍ଟର ସିହ୍ନାଙ୍କ ଠାରୁ ବହୁତ କଥା ଶୁଣି ସତ ! ତା’ଛଡ଼ା ବହୁ ପତ୍ର ପତ୍ରିକାରେ ମଧ୍ୟ ଆପଣଙ୍କ ଗୁଣାବଳୀ ମୁଁ ପଢିଛି । ଲୋକେ କହନ୍ତି –ଆପଣ ଆଖି ବନ୍ଦକରି ସବୁ ଜାଣି ପାରନ୍ତି । କୌଣସ ଅଚିହ୍ନା ଆଗନ୍ତୁକ ବିଷୟରେ ସବୁ କହି ଦେଇ ପାରନ୍ତି । ମୋ ବିଷୟରେ ସେହିପରି କିଛି କହନ୍ତୁ ନା ସାର୍ !

 

ସାମାନ୍ୟ ହସି ଭବାନୀ ବାବୁ କହିଲେ– ମୋ ବିଷୟରେ କିଏ ଅତିଶୟ ବଢ଼ାଇ ଆପଣଙ୍କ ନିକଟରେ କହିଛି ଡକ୍ଟର ଆଇଜାକ୍ । ସେପରି ଅଦ୍ଭୁତ ଦୈବୀ ଶକ୍ତି ମୋର ଆଦୌ ନାହିଁ-। ଅବଶ୍ୟ ଅବଜରଭେସନ୍ ଉପରେ ନିର୍ଭର କରି ଆମେମାନେ କିଛି କିଛି ଜାଣିପାରୁ । ଧରନ୍ତୁ, କୌଣସି ରୋଗୀକୁ ଦେଖିବା ମାତ୍ରେ ଆପଣ ଜଣେ ଅଭିଜ୍ଞ ଚିକିତ୍ସକ ହିସାବରେ ଯେପରି କହିଦେଇ ପାରିବେ ସେ ଏକୁ ଏନିମିଆ ହୋଇଛି– ବା ଏକୁ ଜଣ୍ଡିସ୍ ହୋଇଛି, ସେହିପରି କେତେଗୁଡ଼ିଏ ପଦାର୍ଥ ବା ଘଟଣା ପରେ ନିର୍ଭର କରି ଆମ୍ଭେମାନେ କେତେକ କଥା ଜାଣିପାରୁ । ପରନ୍ତୁ, ମୁଁ ଆପଣଙ୍କୁ ଦେଖି କହିପାରେ ଯେ ଆପଣ ପୋଷ୍ଟ ଅଫିସକୁ ଯାଇଥିଲେ । ସେଠାରେ କେତେଖଣ୍ଡି ଟେଲିଗ୍ରାମ କରିଛନ୍ତି ।

 

–କିନ୍ତୁ ଆପଣ ଏହା ଜାଣିଲେ କିପରି ? ଡକ୍ଟର ଆଇଜାକ୍ ଚିତ୍କାର କରି ଉଠିଲେ ।

 

ଗୋଟିଏ ବୌଦ୍ଧିକ ମୁଦ୍ରାରେ ହସ୍ତ ଉତ୍ତୋଳନ କରି ତାଙ୍କୁ ନୀରବ ହେବାପାଇଁ ଭବାନୀବାବୁ ଇଙ୍ଗିତ କଲେ । ତା’ ପରେ କହିଲେ– ମୁଁ ଆହୁରି ଜାଣି ପାରୁଛି ଯେ ଆପଣଙ୍କ ପୋର୍ଟଫୋଲିଓ ଭିତରେ ଗୋଟିଏ ସାନ ରିଭଲ୍‌ଭର ଅଛି । ତାର ଲାଇସେନସ ଅଛି କି ନାହିଁ ମୁଁ ଜାଣି ନାହିଁ । ଲାଇସେନସ ନିଶ୍ଚୟ ଥିବ । କିନ୍ତୁ ଆଉ ଗୋଟିଏ ମୁଁ ଦେଖି ପାରୁଛି । ସଡ଼କ ଉପରେ ଡକ୍ଟର ସିହ୍ନାଙ୍କ ଗାଡ଼ିରେ ଆପଣଙ୍କୁ ବାନ୍ଧବୀ ଏକାବସି ରହି ବିରକ୍ତ ହୋଇ ସାରିଲଣି । ଦୟାକରି ତାଙ୍କୁ ମଧ୍ୟ ଭିତରକୁ ଡାକି ଆଣନ୍ତୁ ।

 

ଡକ୍ଟର ଆଇଜାକ୍ ଏଥର ଆହୁରି ଆଶ୍ଚର୍ଯ୍ୟ ହେଲେ । ଆପଣ କିପରି ଏହା ଜାଣି ପାରିଲେ, ଆପଣଙ୍କୁ କହିବାକୁ ସାର୍ ? ସଡ଼କ’ତ ଏଠାକୁ ଦେଖାଯାଉ ନାହିଁ !!

 

ଭବାନୀ ବାବୁ ସାମାନ୍ୟ ହସି କହିଲେ– ଦେଖନ୍ତୁ ଡକ୍ଟର ଆଇଜାକ, ମୋ ସଙ୍ଗେ ଦେଖା କରିବାକୁ ଆପଣଙ୍କ ପରି ବନ୍ଧୁ ଅପରାଧୀମାନେ ମଧ୍ୟ କେବେ କେବେ ଏଠାରେ ଉଦୟ ହୁଅନ୍ତି । ମୋର ଏ ମୁଣ୍ଡଟି ଉପରେ ସେମାନଙ୍କର ବଡ଼ ଲୋଭ । ସେପରି ମହାପୁରୁଷ ଆସି ଯଦି ବାହାରେ ଅପେକ୍ଷା କରି ରହିଥାନ୍ତି, ତେବେ ତାଙ୍କର ଉପଯୁକ୍ତ ଅଭ୍ୟର୍ଥନା ପାଇଁ ଏଠାରେ କିଞ୍ଚିତ ପ୍ରସ୍ତୁତିର ପ୍ରୟୋଜନ । ସୁତରାଂ ଏ ଘରରୁ ଆରମ୍ଭ କରି ଘରର ବିଭିନ୍ନ ସ୍ଥାନରେ କେତେଗୁଡ଼ିଏ ଦର୍ପଣ ଲଗାଇ ରଖି ବାହାର ବସ୍ତୁକୁ ମୁଁ ଘର ଭିତରୁ ଦେଖିବାକୁ ପାଏ । କିନ୍ତୁ ଆପଣ ଆଉ ବିଳମ୍ବ କରନ୍ତୁ ନାହିଁ । ଭଦ୍ରମହିଳାଙ୍କୁ ଭିତରକୁ ନେଇ ଆସନ୍ତୁ ।

 

ଡକ୍ଟର ଆଇଜାକ୍ ବାହାରକୁ ଚାଲିଗଲେ ଏବଂ ଅଳ୍ପ ସମୟ ପରେ ଗୋଟିଏ ସୁନ୍ଦରୀ ତରୁଣୀ ସହିତ ଘର ଭିତରେ ପ୍ରବେଶ କଲେ । ରୂପର ଜ୍ୟୋତିରେ ଘରଟା ଯେପରି ଝଲକି ଉଠିଲା-। ଭବାନୀ ବାବୁ ଚୌକିରୁ ଉଠି ପଡ଼ି ତାଙ୍କୁ ଅଭ୍ୟର୍ଥନା କଲେ । ଡକ୍ଟର ଆଇଜାକ୍ ପରିଚୟ କରାଇ ଦେଲେ– ମୋ’ର ସ୍ତ୍ରୀ ଶ୍ରୀମତୀ ଫ୍ଲେମୀ । ଫ୍ଲେମୀ, ମି: ମହାପାତ୍ର ଜଣେ ଅତି ଅଦ୍ଭୁତ କର୍ମୀ ରହସ୍ୟଭେଦୀ । ସାରା ଭାରତବର୍ଷରେ ତାଙ୍କର ସୁନାମ ଅଛି ।

 

ଭୁବନ ମୋହିନୀ ହସ ହସି ତରୁଣୀ କହିଲା– ମୁଁ ମଧ୍ୟ ତାଙ୍କ ବିଷୟରେ ଅନେକ ଗଳ୍ପ ଶୁଣିଛି । ସାୟରାବାନୁ ହୀରାମାଳ ଚୋରି ମାମଲା ସେ ତଦନ୍ତ କରୁଛନ୍ତି । ମୁଁ ସମ୍ବାଦ ପତ୍ରରେ ପଡ଼ିଛି ! ସେ ବିଷୟରେ କିଛି କହନ୍ତୁ ନା ମି: ମହାପାତ୍ର । ମୁଁ ସେସବୁ ଗଳ୍ପ ଶୁଣିବାକୁ ଖୁବ୍ ଭଲପାଏ ।

 

ସାମାନ୍ୟ ହସି ଭବାନୀ ବାବୁ କହିଲେ– ବହିରେ ଆପଣମାନେ ଯାହା ପଢ଼ନ୍ତି, ପ୍ରକୃତ ଘଟଣା ସେପରି ଘଟେନାହିଁ । ପୁଣି କେବେ କେବେ ପ୍ରକୃତ ଘଟଣା ଯେପରି ଘଟିଯାଏ କୌଣସି ଔପନ୍ୟାସିକର କଳ୍ପନାରେ ମଧ୍ୟ ସେପରି ଅଦ୍ଭୁତ ଘଟଣା ସ୍ଥାନ ପାଇପାରେନାହିଁ । ବାସ୍ତବ କ୍ଷେତ୍ରରେ ବହୁ ସମୟରେ ତଦନ୍ତ କାରୀର ସବୁ ଚେଷ୍ଟା ବିଫଳ ହୁଏ । ଏ ହୀରା ଚୋରି ମାମଲାଗୁଡ଼ିକ ମଧ୍ୟ ଠିକ୍ ସେହିପରି । ଡକ୍ଟର ସିହ୍ନା ମଧ୍ୟ ଏ ସବୁ ତଦନ୍ତ ସହିତ ସଂପୃକ୍ତ । ଆମେମାନେ ଏଥିରେ ପାଦେ ହେଲେ ଆଗେଇ ପାରିନାହୁଁ । ଆପଣଙ୍କ ମୁଦିରେ ସେ ହୀରାଖଣ୍ଡ କ’ଣ କ୍ୟାଟ୍‍ସ ଆଇ !

 

ଅନ୍ୟ କଥା କହୁ କହୁ ତାଙ୍କର ହଠାତ୍ ଏପରି ପ୍ରଶ୍ନ ଶୁଣି ଶ୍ରୀମତୀ ଫ୍ଲେମୀ କୌଣସି ଉତ୍ତର ଦେଇପାରିଲେ ନାହିଁ । ଡକ୍ଟର ସିହ୍ନା ଉତ୍ତର ଦେଲେ– ନା ନା, “କ୍ୟାଟ୍‍ସଆଇ” ଠାରୁ ମଧ୍ୟ ସେ ହୀରାଟି ଆହୁରି ମୂଲ୍ୟବାନ । ତା’ର ନାମ ‘ଗ୍ରୀନ୍‍ଷ୍ଟାର ।” ରଘୁନାଥ ଚାହା ଦେଇଗଲା । ଚାହା ଖାଉ ଖାଉ ଭବାନୀ ବାବୁ ପଚାରିଲେ– ଏ ସହରରେ କେଉଁଠାରେ ଆପଣମାନେ ଉଠିଛନ୍ତି ? କୌଣସି ହୋଟେଲେ ନିଶ୍ଚୟ !

 

–ହଁ ସାର୍, ଡକ୍ଟର ଆଇଜାକ୍ ଉତ୍ତର ଦେଲେ –“ହୋଟେଲ ପାରାଡାଇଜ୍” ରେ ଆମ୍ଭେମାନେ ରହିଛୁ । ଏ ସହରକୁ ମୁଁ ପୂର୍ବରୁ ଆସିଛି; କିନ୍ତୁ ମୋର ସ୍ତ୍ରୀ ଫ୍ଲେମୀ ପ୍ରଥମଥର ପାଇଁ ଆସିଛନ୍ତି; କିନ୍ତୁ ଆପଣତ କହିଲେ ନାହିଁ– ମୁଁ କେତୋଟି ଟେଲିଗ୍ରାମ କରିଛି ବୋଲି ଆପଣ ଜାଣିଲେ କିପରି ।

 

ଭବାନୀ ବାବୁ ହସି ହସି କହିଲେ– ଅତି ସହଜରେ ଡକ୍ଟର ଆଇଜାକ୍ । ଆପଣଙ୍କ ଛାତି ପକେଟରେ ପତଳା କନା ତଳୁ ଟେଲିଗ୍ରାମର ରସିଦ ଗୁଡିକ ପରିଷ୍କାର ଦେଖାଯାଉଛି ।

 

ଡକ୍ଟର ସିହ୍ନା ଏତେବେଳ ପର୍ଯ୍ୟନ୍ତ ନୀରବରେ ବସି ସବୁ ଶୁଣୁଥିଲେ । ଏତେବେଳ ପରେ ସେ କହିଲେ– ଲେଡ଼ି ଡାକ୍ତରର ଚୋରିର କୌଣସି ସନ୍ଧାନ ପାଇଲେ କି ଭବାନୀ ବାବୁ ।

 

–ନା ଡକ୍ଟର ସିହ୍ନା କିଛି ସନ୍ଧାନ ପାଇଲି ନାହିଁ । ଡକ୍ଟର ସଂଘମିତ୍ରାଙ୍କୁ କ’ଣ ପୂର୍ବେ ଆପଣ କେବେହେଲେ ଦେଖି ନ ଥିଲେ ।

 

–ନା ଭବାନୀ ବାବୁ ! ମୁଁ ଓଡ଼ିଆ ପୁଅ ହେଲେ ମଧ୍ୟ ଚିରକାଳ ବାହାରେ ରହି କଟାଇଲି-। ଏ ସହରରେ ଖୁବ୍ କମ ଲୋକଙ୍କୁ ମୁଁ ଚିହ୍ନେ । ମି: ମିଶ୍ରଙ୍କର ଅନୁରୋଧରେ ମୁଁ ସେଠାକୁ ଯାଇଥିଲି ।

 

ଧନ୍ୟବାଦ ଜଣାଇ ଓ ଆଉ କେବେ ପୁଣି ଆସିବେ କହି ସମସ୍ତେ ବିଦାୟ ନେଲେ । ଭବାନୀ ବାବୁ ପୁଣି ଗଭୀର ଧାନମଗ୍ନ ହୋଇ ନିଜ ଚୌକି ଉପରେ ବସି ରହିଲେ ।

 

ଟେବୁଲ ଉପରର ଟେଲିଫୋନ୍‌ଟା ହଠାତ୍ ବାଜି ଉଠିଲା । ଭବାନୀ ବାବୁ ରିସିଭର୍ କାନରେ ଲଗାଇଲେ । ଭୁବନେଶ୍ୱର ଏରୋଡ଼ମରୁ ୟୁସୁଫ କଥା କହୁଛି । ସାର୍, ଏୟାର ମେଲରେ ଆଜି ଗୋଟିଏ ପାର୍ଶେଲ ବମ୍ବେର ସେଇ ଠିକଣାକୁ ଯାଉଛି । ଠିକଣା ଲେଖାଅଛି, “ସୁନ୍ଦରଭାଇ ଦେଶାଇ, ମାଲବାର ହିଲ୍‌ସ, ବମ୍ବେ–୨୭ ।” ପ୍ରେରକ ହେଉଛନ୍ତି, “ସେକ୍ରେଟେରୀ, କଂଗ୍ରେସ ଅଫିସ, କଟକ । ଆପଣ ଯଦି ଆଦେଶ ଦିଅନ୍ତି, ତେବେ ପାର୍ଶେଲଟି ଅଟକାଇବି । ରାତି ନ’ଟାର ଫ୍ଲାଇଟରେ ତାହା ବୁକ୍ ହୋଇଛି ।

 

–ବମ୍ବେକୁ ଆଉ କେତେବେଳେ ଫ୍ଲାଇଟ୍ ଅଛି ? ଭବାନୀ ବାବୁ ପ୍ରଶ୍ନ କଲେ ।

 

–କାଲି ସକାଳ ନ’ଟାରେ ଗୋଟାଏ ଡାଇରେକ୍ଟ ଫ୍ଲାଇଟ୍ ଅଛି ସାର୍ ।

 

କିଛି ସମୟ କ’ଣ ଚିନ୍ତା କରି ଭବାନୀ ବାବୁ କହିଲେ– ପାର୍ଶେଲଟି ଛାଡ଼ିଦିଅ । ଆଉ କାଲି ସକାଳର ଫ୍ଲାଇଟରେ ମୋ ପାଇଁ ଗୋଟିଏ ସିଟ୍ ରିଜର୍ଭ କରିଦିଅ । “ସର୍ଦ୍ଦାର ଗୁରୁନାମ ସିଂ, ଇଞ୍ଜିନିୟର” ଏଇ ଠିକଣାରେ ରିଜର୍ଭ କରିବ । ସବୁ କାମ ଶେଷ କରି ତୁମେ ଆସି ମୋ ସହିତ ଦେଖାକର ।

 

ତା’ପରେ ଭବାନୀ ବାବୁ ସାଙ୍କେତିକ ଭାଷାରେ ବମ୍ବେ ପୁଲିସ କମିଶନରଙ୍କ ନିକଟକୁ ପଠାଇବାପାଇଁ ଗୋଟିଏ ଦୀର୍ଘ ବେତାର ବାର୍ତ୍ତା ପ୍ରସ୍ତୁତ କଲେ । ବାର୍ତ୍ତାଟିକୁ “କ୍ରାସ ମେସେଜ” ଭାବରେ ତୁରନ୍ତ ପଠାଇ ଦେବା ପାଇଁ ଟେଲିଫୋନ୍ ଯୋଗେ ବେତାର ଷ୍ଟେସନକୁ ଅନୁରୋଧ କରି ସେ ଥରେ ଆଇ: ଜି. ଙ୍କ ସଙ୍ଗେ ଦେଖା କରିବାପାଇଁ ବାହାରିଲେ ।

 

ଛଅ

 

ନ’ଟା ବାଜିବାକୁ ଦଶ ମିନିଟ୍ ପୂର୍ବରୁ ବମ୍ବେ ଫ୍ଲାଇଟରେ ପାସେଞ୍ଜରମାନଙ୍କର ନାମ ମାଇକ୍‌ରେ ଘୋଷଣା କରାହେଲା । ପ୍ଲେନ ଭିତରେ ନିଜ ନିଜର ଆସନ ଗ୍ରହଣ କରିବା ପାଇଁ ଅନୁରୋଧ କରାହେଲା । ସର୍ଦ୍ଦାର ଗୁରୁନାମ ସିଂ କେଉଁଠାକୁ କ’ଣ ଟେଲିଫୋନ କରିବାକୁ ବ୍ୟସ୍ତଥିଲେ । ମାଇକ୍‌ରେ “ଲିଫ୍‌ଟିଂ”ର ଘୋଷଣା ଶୁଣି ଭିତରକୁ ଯାଇ ନିଜର ଆସନ ଗ୍ରହଣ କଲେ-। ଏୟାର ହୋଷ୍ଟେସ ଚିରାଚରିତ ରୀତିରେ ଆସି ମୁଣ୍ଡ ନୁଆଇଁ ଗୁରୁନାମ ସିଂଙ୍କୁ ଅଭିବାଦନ ଜଣାଇଁ ସ୍ମିତ ମୁଖରେ କହିଲା– ଆପଣ ଦେହ ଓ ମନ ସମ୍ପୂର୍ଣ୍ଣ ସୁସ୍ଥ ତ ସଦ୍ଦାରଜୀ ?

 

ଧନ୍ୟବାଦ ଜଣାଇ ଗୁରୁନାମ ସିଂ ଜଣାଇଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଯଥା ସମୟରେ ଘଣ୍ଟା ବାଜିଲା । ଘୋର ଗର୍ଜନ କରି ପ୍ରାଗ୍‌ଐତିହାସିକ ଯୁଗର ଗୋଟାଏ ଅତିକାୟ ପକ୍ଷୀପରି ପ୍ଳେନଟା ବାୟୁଲୋକ ଭେଦ କରି ମହାଶୂନ୍ୟକୁ ଉଠିଗଲା ।

 

ଗଭୀର ଧ୍ୟାନମଗ୍ନ ଗୁରୁନାମ ସିଂ ବସିରହିଲେ । ତାଙ୍କ ସାମନାରେ ବହୁ ଜରୁରୀ କାମ ରହିଛି । ଅତି ସୁଚାରୁ ଭାବରେ ସବୁଗୁଡ଼ିକ ସମ୍ପନ୍ନ କରିବାକୁ ପଡ଼ିବ । ସାମାନ୍ୟ ଟିକିଏ ଅବହେଳା ବା ଭୁଲ୍ ରହିଗଲେ ସବୁ ପଣ୍ଡ ହୋଇଯିବ । ଆଗାମୀ କାଲି କାର୍ଯ୍ୟକ୍ରମର ନକ୍‌ସା ସେ ମନେ ମନେ ଆଙ୍କିବାକୁ ଲାଗିଲେ । ମହାଶୂନ୍ୟରେ ଯାନ୍ତ୍ରିକ ବିମାନଟା ତୀବ୍ର ଗତିରେ ନିଜ ପଥରେ ଆଗେଇ ଚାଲିଲା । ବହୁକ୍ଷଣ ଏହିପରି କଟିଗଲା । ହଠାତ୍ ପାଇଲଟ୍‌ଙ୍କ କୋଠରୀ ଭିତରୁ ଗୋଟିଏ ଘୋଷଣା ଭାସି ଆସିଲା–ଭଦ୍ର ମହୋଦୟଗଣ, ବମ୍ବେ ଓ ଆଖପାଖ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ହେଉଛି । ଏରୋଡମର ରନ୍‌ଓୟେ ଗୁଡ଼ିକ ବର୍ତ୍ତମାନ ନିରାପଦ କି ନୁହେଁ, ତାହା ପରୀକ୍ଷା କରି ଜଣାଇବାପାଇଁ ମୁଁ ବେତାର ବାର୍ତ୍ତା ପଠାଇଛି । ଏଇ ସବୁ କାରଣରୁ ବମ୍ବେରେ ଅବତରଣ କରିବା ହୁଏତ ସାମାନ୍ୟ ବିଳମ୍ବ ହେବ । ମୁଁ ଆଶାକରେ ଯେ ଏ ଅସୁବିଧା ଯୋଗୁ ଆପଣମାନେ କ୍ଷମା କରିବେ ।

 

ଉଇଣ୍ଡସ୍କ୍ରିନ ଭିତରୁ ଗୁରୁନାମ ସିଂହ ତଳକୁ ଚାହିଁଲେ । ପଶ୍ଚିମ ଘାଟ ପର୍ବତ ମାଳା ଉପରେ ପ୍ଲେନଟି ଉଡ଼ିଯାଉଛି । ଘୋର କୃଷ୍ଣବର୍ଣ୍ଣର ମେଘମାଳା ପର୍ବତଚୂଡାକୁ ସମ୍ପୂର୍ଣ୍ଣ ରୂପେ ଚାପିବସିଛି । ନିଆଁର ତଳୁଆର ପରି ବିଜୁଳି ଚମକୁଛି । ଏକ ଅପରୂପ ଭୟାବହ ଦୃଶ୍ୟ । ମେଘାଲୋକର ବହୁ ଊର୍ଦ୍ଧ୍ଵରେ ପ୍ଲେନଟା ଉଠୁଛି ।

 

ସର୍ଦ୍ଦାର ଗୁରୁନାମ ସିଂହ ନିକଟ ଆସନରେ ଜଣେ ମଧ୍ୟବୟସ୍କା ପଞ୍ଜାବୀ ମହିଳା ବସିଥିଲେ । ସେ ମଧ୍ୟ ଏ ଭୟାବହ ଦୃଶ୍ୟଟି ଦେଖୁଥିଲେ । ହଠାତ୍ ଭୟ ବିହ୍ଵଳ କଣ୍ଠରେ ଗୁରୁନାମ ସିଂଙ୍କୁ ପଚାରିଲେ– ଆମ୍ଭମାନଙ୍କର କୌଣସି ଅନିଷ୍ଟ ହେବନାହିଁ ତ ?

 

ନିକଟରେ ଏୟାର ହୋଷ୍ଟେସ ଛିଡ଼ା ହୋଇଥିଲା । ମହିଳା ଯାତ୍ରୀଟି ଏପରି ଭୟ ପାଇଛନ୍ତି ଜାଣିପାରି ଏୟାର ହୋଷ୍ଟେସ୍ ତାଙ୍କୁ ସାନ୍ତ୍ୱନା ଦେବାକୁ ଲାଗିଲେ– ନା, ନା, ଏଇଟା ଗୋଟାଏ ଅତି ସାମାନ୍ୟ ଘଟଣା । ଏଥିରେ କୌଣସି ଦୁର୍ଘଟଣା ଘଟିବାର ଆଦୌ ଆଶଙ୍କା ନାହିଁ । ଆପଣ ସମ୍ପୂର୍ଣ୍ଣ ନିର୍ଭୟରେ ବସନ୍ତୁ ।

 

ନିର୍ଦ୍ଧାରିତ ସମୟର କିଛି ପରେ ପ୍ଳେନ୍‌ଟି ବମ୍ବେ ବିମାନ ବନ୍ଦରରେ ଅବତରଣ କଲା । ସୁଶିକ୍ଷିତ ପାଇଲଟ୍ ନିରାପଦରେ ବିମାନଟିକୁ ଘୋର ବର୍ଷା ପବନ ଭିତରେ ଓହ୍ଳାଇ ଆଣିଲେ । ଯାତ୍ରୀମାନଙ୍କ ସହିତ ସର୍ଦ୍ଦାର ଗୁରୁନାମ ସିଂ ମଧ୍ୟ ଓହ୍ଳାଇଲେ । ଝଡ଼ ବର୍ଷା ଯୋଗୁଁ ବିମାନ ବନ୍ଦରଟି ଜନହୀନ । ବାହାରେ କେତେ ଗୁଡ଼ିଏ ଟ୍ୟାକ୍‌ସି ଧାଡ଼ିବାନ୍ଧି ଛିଡ଼ା ହୋଇଛି । ଗୁରୁନାମ ସିଂ ଚାରିଆଡ଼କୁ ଚାହିଁ ଯେପରି କଣ ଖୋଜିଲେ । ତା’ପରେ ବ୍ୟାଗ୍‌ଟି ହାତରେ ଝୁଲାଇ ଟ୍ୟାକ୍‌ସି ଷ୍ଟାଣ୍ଡ ଆଡ଼େ ଆଗେଇଲେ । ହଠାତ୍ ଗୋଟିଏ ମୁଲିଆ ଶ୍ରେଣୀର ଲୋକ ଗୁର୍‌ନାମ ସିଂଙ୍କ ସାମନାକୁ ଆସି କହିଲା– ପୋର୍ଟର ପ୍ରୟୋଜନ ହେବ କି ସର୍ଦ୍ଧାର ଜୀ ? ଏହା କହି ନିଜର ବାମ ଗାଲଟିକୁ କେତେଥର କୁଣ୍ଡାଇ ହେଲା । ଏ ସଂକେତ ଗୁରନାମ ସିଂ ବୁଝିପାରିଲେ ଓ ସେ ମଧ୍ୟ ସେହିପରି କଲେ । ଏହା ଦେଖି ଆଗନ୍ତୁକ ପୋର୍ଟରଟି ଖୁସି ହେବାପରି ଜଣାଗଲା । ନିମ୍ନ କଣ୍ଠରେ କହିଲା– ମୁଁ ଡିଟେକ୍‌ଟିଭ ସର୍ଜେଣ୍ଟ ହିତ୍ ପ୍ରକାଶ । ଆମର ଡେପୁଟି କମିସନର ବେନେଟ ସାହେବ ଆପଣଙ୍କୁ ବିମାନ ଘାଟିରୁ ସିଧା ତାଙ୍କ ଘରକୁ ନେଇଯିବାପାଇଁ ପଠାଇଛନ୍ତି । ଆପଣ ସେହିଠାରେ ରହିବେ ।

 

ଗୁର୍‌ନାମ ସିଂ ସର୍ଜେଣ୍ଟ ସହିତ କରମର୍ଦ୍ଦନ କହିଲେ– ଧନ୍ୟବାଦ ମି: ହିତପ୍ରକାଶ । ବେନେଟ ସାହେବ କୁଶଳରେ ଅଛନ୍ତି ?

 

–ହଁ ସାର୍, ସେ ଖୁବ୍ ଭଲରେ ଅଛନ୍ତି ? ଆପଣଙ୍କ ପାଇଁ ସେ ଅପେକ୍ଷା କରି ବସିଛନ୍ତି ।

 

ସର୍ଦ୍ଦାର ଗୁର୍‌ନାମ ସିଂଙ୍କୁ ଦେଖି ବେନେଟ୍ ସାହେବ ଅତିଶୟ ଆନନ୍ଦିତ ହେଲେ । ସାମନ୍ୟ ହସି କହିଲେ– ଛଦ୍ମବେଶଟି ଅତି ନିର୍ଭୁଲ ହୋଇଛି ଭବାନୀ ବାବୁ । ଆପଣ ଏହି ଛଦ୍ମବେଶରେ ଏଠାରେ କାମ କରିବେ ନା ସ୍ଵରୂପକୁ ଫେରି ଆସିବେ ।

 

ସାମାନ୍ୟ ହସି ଭବାନୀ ବାବୁ କହିଲେ– ନା, ମି: ବେନେଟ୍ । ମୁଁ ଏଠାରେ ମଧ୍ୟ ଛଦ୍ମବେଶରେ ରହିବାକୁ ଚାହେଁ । ଆମମାନଙ୍କର ପ୍ରକୃତ “ସୋ ଡାଉନ” ପୂର୍ବରୁ ଏ ସହରର କେତେକ ବିଭିନ୍ନ ସ୍ଥାନକୁ ଯାଇ କେତେକ ବନ୍ଦୋବସ୍ତ କରିବାକୁ ହେବ । ଆପଣ ତ ଜାଣନ୍ତି ଏଠାକାର “ପାତାଳ ପୂରୀ” ମହଲରେ ମୁଁ ଅତିଶୟ ପରିଚିତ । ନିରାପତ୍ତା ଦୃଷ୍ଟିରୁ ମୋର ବର୍ତ୍ତମାନ ଚିହ୍ନା ପଡ଼ିବା ଉଚିତ ନୁହେଁ ।

 

ମଧ୍ୟାହ୍ନ ଭୋଜନ ପରେ ଭବାନୀ ବାବୁ ଓ ବେନେଟ୍ ସାହେବ ଅତି ଗୋପନରେ ଆଲୋଚନା କରିବାକୁ ଲାଗିଲେ । ପୂର୍ବରୁ କେତେକ ସମ୍ବାଦ ସାଙ୍କେତିକ ଭାଷାରେ ବେତାର ଯୋଗେ ଭବାନୀବାବୁଙ୍କ ଠାରୁ ବେନେଟ୍ ସାହେବ ପାଇଥିଲେ । ମି: ବେନେଟ୍ ଜଣେ ଅତି ବହୁଦର୍ଶୀ ଓ ବିଚକ୍ଷଣ ପୁଲିସ କର୍ମଚାରୀ । ଭବାନୀ ବାବୁଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ । ଦୁଇଜଣଯାକ ମିଶି ପୂର୍ବେ ଦୁର୍ଭେଦ୍ୟ ରହସ୍ୟରେ ସମାଧାନ କରିଛନ୍ତି । କେତେ ବିପଦର ସମ୍ମୁଖୀନ ହୋଇଛନ୍ତି । ଭବାନୀବାବୁଙ୍କ ଠାରୁ ବେତାର ବାର୍ତ୍ତା ପାଇ ବେନେଟ ପ୍ରସ୍ତୁତ କରି ରଖିଛନ୍ତି । ବମ୍ବେ ଗୋଇନ୍ଦା ବିଭାଗର ବିରାଟ ଯନ୍ତ୍ରଟିକୁ ସେ ଏଥିପାଇଁ ନିୟୋଜିତ କରିଛନ୍ତି । ବେନେଟ୍ କହିଲେ– ଏଇ ସୁନ୍ଦରଭାଇ ଦେଶାଇ ଜଣେ ଅତି ସାଂଘାତିକ ଚୋରା ବ୍ୟବସାୟୀ । ଲୋକଟା ଯେପରି ନିର୍ମମ ଓ ଭୟାନକ ସେହିପରି ଧୂର୍ତ୍ତ । ବର୍ତ୍ତମାନ ସେ ଜଣେ ବଡ଼ ନେତା ହୋଇପଡ଼ିଛି । ଏଥର ବମ୍ବେ କରପୋରେସନର ସେ ମେୟର ହେବାର ସମ୍ଭାବନା ରହିଛି । କିନ୍ତୁ ଆମେମାନେ ଜାଣୁ ଯେ ଏଇ ଜନ-ନେତୃତ୍ଵର ଆଭରଣ ତଳେ ସେ ଗୋଟିଏ ପ୍ରକାଣ୍ଡ ସଇତାନ । ତା’ ନା’ରେ କେତେଗୁଡ଼ିଏ ମାମଲା ଥିଲା । କିନ୍ତୁ ରାଜନୈତିକ ପ୍ରଭାବ ପକାଇ ସେ ସବୁ ମାମଲାଗୁଡିକୁ ସେ ପ୍ରତ୍ୟାହାର କରାଇ ନେଇପାରିଛି । ସହରର ସବୁ ଆଡ଼େ ମୋର ଅତି ବିଶ୍ୱାସୀ ଅନୁଚରମାନେ ସଜାଗ ଅଛନ୍ତି । ସୁନ୍ଦରଭାଇ ବିମାନ ବନ୍ଦରର ପାର୍ଶେଲ ଅଫିସରୁ ପାର୍ଶେଲଟି ଡେଲିଭରି ନେବା ମାତ୍ରେ ଆମେ ଜାଣି ପାରିବା । କିନ୍ତୁ ସଞ୍ଜ ପୂର୍ବରୁ ବୋଧହୁଏ ତାର ସମ୍ଭାବନା ନାହିଁ । ସେତେବେଳ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରି ରହିବାକୁ ହେବ ।

 

ଭବାନୀ ବାବୁ କହିଲେ– ହୁଁ ଆଉ ଗୋଟିଏ କଥା । ଆପଣଙ୍କୁ ଗୋଟିଏ ଚିତ୍ର ଦେଖାଇବା ପାଇଁ ଆଣିଛି । ଭଲ କରି ଦେଖି କହନ୍ତୁ, ତା ବିଷୟରେ ଆପଣ କ’ଣ ଜାଣନ୍ତି ।

 

ଏହାକବି ନିଜ ବ୍ୟାଗ ଭିତରୁ ଖଣ୍ଡିଏ ପୁରୁଣା “ଇଲଷ୍ଟ୍ରେଟେଡ଼ ଉଇକ୍‌ଲି” କାଢ଼ିଲେ । ତା’ ପରେ ଗୋଟିଏ ବିଶେଷ ପୃଷ୍ଠା ଓଲଟାଇ ମି: ବେନେଟଙ୍କ ସାମନାରେ ଟେବୁଲ ଉପରେ ପକାଇ ଦେଲେ ।

 

ଅଳ୍ପକ୍ଷଣ ପର୍ଯ୍ୟନ୍ତ ରଙ୍ଗିନ୍ ଛବିଟିକୁ ଦେଖି ବେନେଟ୍ ସାହେବ ସାମାନ୍ୟ ହସି କହିଲେ– ୧୯୬୭ ମସିହାର “ମିସ୍ ଇଣ୍ଡିଆ” କୁ ଆଉ କିଏ ନ ଚିହ୍ନେ କହନ୍ତୁ । ତା’ର ପ୍ରକୃତ ନାମ ହେଉଛି ଭେରୋନିକା ସାମୁଏଲ । ସେ କେରଳର ଗୋଟିଏ ଆଙ୍ଗ୍‌ଲୋ ଇଣ୍ଡିଆନ ପାଦ୍ରୀର କନ୍ୟା । ଇଣ୍ଡିଆନ ଏୟାର ଡ଼ିୟେଜରେ ଏୟାର ହୋଷ୍ଟେସ ଥିଲା । ଜଣେ ଅତି ଉଚ୍ଚ କୋଟୀର ନର୍ତ୍ତକୀ ଭାବରେ ସେ ସାରା ପୃଥିବୀ ବୁଲିଥିଲା । କିନ୍ତୁ ବର୍ତ୍ତମାନ “ଇଣ୍ଟର ପୋଲ” ତାକୁ ଅତି ବ୍ୟାକୁଳ ଭାବରେ ଖୋଜି ବୁଲୁଛନ୍ତି । ବିମାନ ବନ୍ଦରରେ ଜଣେ ଉଚ୍ଚପଦସ୍ଥ କଷ୍ଟମ ଅଫିସରଙ୍କୁ ସେ ରିଭଲଭର ଗୁଳିରେ ହତ୍ୟାକରି ଖଣ୍ଡିଏ ହେଲିକପ୍‌ଟରରେ ପଳାଇ ଗଲା । ତା’ ବିଷୟରେ ଆଉ ସବୁକଥା ମୁଁ କଷ୍ଟମ ବିଭାଗରୁ ବୁଝି ଆପଣଙ୍କୁ କହିପାରେ ।

 

ତା’ ପରେ ଭବାନୀ ବାବୁ ସେଇ “ସର୍ଦ୍ଦାର ଜୀ”ର ଛଦ୍ମବେଶରେ ବମ୍ବେର ବହୁ ସ୍ଥାନକୁ ଗଲେ । ବହୁ ତଦନ୍ତ ଶେଷକରି ସେ ସଞ୍ଜବେଳକୁ ବେନେଟ୍ ସାହେବଙ୍କ ଘରକୁ ଫେରି ଆସିଲେ ।

 

ବର୍ଷା ଆହୁରି ବେଗରେ ପଡ଼ୁଛି । ପବନ ଆହୁରି ତୀବ୍ର ହୋଇଛି । ଏଇ ସଞ୍ଜବେଳୁ ରାଜପଥ ଜନଶୂନ୍ୟ ହୋଇ ଆସିଲାଣି । ଭବାନୀବାବୁ ପହଞ୍ଚିବା ସଙ୍ଗେ ସଙ୍ଗେ ଗୋଟାଏ ବଡ଼ ଗାଡ଼ିରେ ଦଳେ ସଶସ୍ତ୍ର ପୁଲିସ ଆସି ସେଠାରେ ପହଞ୍ଚିଲେ । ଭବାନୀବାବୁ ଘର ଭିତରକୁ ପଶି ଦେଖିଲେ ଯେ ବେନେଟ୍ ସାହେବ ଟେଲିଫୋନ ଧରି କାହା ସହିତ କଥାବାର୍ତ୍ତା ହେଉଛନ୍ତି । ଆହୁରି ଚାରିଜଣ ବ୍ୟକ୍ତି ବସିଛନ୍ତି । ସେମାନେ ଯେ ସାଦା ପୋଷାକ ଧାରୀ ପୁଲିସ କର୍ମଚାରୀ ଏକଥା ଭବାନୀ ବାବୁ ଅନାୟାସରେ ବୁଝି ପାରିଲେ ।

 

ଟେଲିଫୋନ ରଖିଦେଇ ବେନେଟ କହିଲେ– ମାତ୍ର କେତେକ ମିନିଟ ପୂର୍ବେ ସୁନ୍ଦରଭାଇ ଦେଶାଇ ନିଜେ ଯାଇ ବିମାନ ବନ୍ଦରରୁ ପ୍ୟାକେଟଟି ରିଲିଜ କରିଛନ୍ତି । ମୋର ଲୋକମାନେ ପଛେ ପଛେ ରହିଛନ୍ତି । ସେ ଯଦି ସିଧା ଘରକୁ ନ ଫେରି ଅନ୍ୟ କେଉଁସ୍ଥାନକୁ ଯାଇ ପ୍ୟାକେଟଟି ହସ୍ତାନ୍ତର କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରି ପ୍ୟାକେଟ୍‌ଟି ଜବତ କରିବେ । ନୁହେତ, ସୁନ୍ଦରଭାଇ ଘରକୁ ଫେରିବା ମାତ୍ରେ ମୋର ଲୋକମାନେ ଘର ଘେରାଉ କରି ରଖିବେ ଓ ସଙ୍ଗେ ସଙ୍ଗେ ମୋତେ ଟେଲିଫୋନ କରି ଜଣାଇବେ । ଏ ପଟେ ଆମେ ପ୍ରସ୍ତୁତ ରହିଛୁ । ଘର ତଲାସିର ପରୱାନା ମଧ୍ୟ ମୁଁ ଆଣି ରଖିଛି । ସଙ୍ଗେ ସଙ୍ଗେ ସମସ୍ତେ ବାହାରିଯିବୁ । ଆପଣ ପ୍ରସ୍ତୁତ ଅଛନ୍ତି ?

 

–ହ, ମୁଁ ପ୍ରସ୍ତୁତ ଅଛି । ଭବାନୀ ବାବୁ କହିଲେ ।

 

କିଛିକ୍ଷଣ ପରେ ଟେଲିଫୋନ ପୁଣି ବାଜି ଉଠିଲା । ବେନେଟ୍ ରିସିଭର କାନରେ କିଛିକ୍ଷଣ ଶୁଣିଲେ । ତା’ ପରେ କହିଲେ– ଠିକ୍ । ତୁମେମାନେ ଘର ଘେରାଉ କରି ରଖ । ଆମେମାନେ ଯାଉଛୁ ।

 

ତା ପରେ ଭବାନୀ ବାବୁଙ୍କୁ ଚାହିଁ କହିଲେ– ଉଠନ୍ତୁ ଭବାନୀ ବାବୁ । ସବୁ ପ୍ରସ୍ତୁତ । ସୁନ୍ଦରଭାଇ ପ୍ୟାକେଟଟି ନେଇ ଘରକୁ ଫେରିଛି ।

 

ବେଆଇନ ଗତିରେ କେତୋଟି ପୁଲିସ ଗାଡ଼ି ଧାଇଁଲା । ପ୍ରବଳ ବର୍ଷା ପଡ଼ୁଛି । ରାଜପଥ ଜନଶୂନ୍ୟ । ବେନେଟ ସାହେବ ଗୋଟିଏ ଅତି ଟାଣୁଆ ପୁଲିସ ବାହିନୀ ନେଉଛନ୍ତି । ସୁନ୍ଦରଭାଇ ଯେ ଗୋଟାଏ ଅତି ଦୁର୍ଦ୍ଦର୍ଷ ଓ ଦୁଃସାହସୀ ବ୍ୟକ୍ତି ଏ କଥା ସେ ଭଲଭାବରେ ଅବଗତ ଅଛନ୍ତି ।

 

ଏ ବର୍ଷା ସଞ୍ଜରେ ମେରାଇନ୍‌ ଡ୍ରାଇଭଟା ସମ୍ପୂର୍ଣ୍ଣ ଜନଶୂନ୍ୟ । ପୁଲିସ କନଭୟକୁ କେହି ଲକ୍ଷ୍ୟକଲେ ନାହିଁ । ସୁଦୀଘ ମେରାଇନ ଡ୍ରାଇଭ ଅତିକ୍ରମ କରି ପୁଲିସ ଗାଡ଼ି ଗୁଡ଼ିକ ଆସି ମାଲବାର ହିଲସରେ ପହଞ୍ଚିଲା । ବିଶାଳ ରାଜଭବନ ପଛପଟେ ଗୋଟିଏ ନିଘଞ୍ଚ ଝାଉଁବଣ । ସେହିଠାରେ ଗାଡ଼ି ଗୁଡିକ ରଖି ପୋଲିସ ଦଳ ଓହ୍ଳାଇଲେ । ଅନ୍ଧକାର ଭିତରୁ ଗୋଟିଏ ଛାୟା ମୂର୍ତ୍ତି ବାହାରି ଆସିଲା । ଜଣେ ସାଦା ପୋଷାକଧାରୀ ପୁଲିସ କର୍ମଚାରୀ । ବେନେଟ ସାହେବଙ୍କ ନିକଟକୁ ଆସି ନିମ୍ନ କଣ୍ଠରେ ଜଣାଇଲା– ସବୁ ଠିକ ଅଛି ସାର୍ । ସମୁଦ୍ର କୂଳରେ ଥିବା ସେଇ ଘରଟି ହେଉଛି ସୁନ୍ଦରଭାଇଙ୍କର । ସେ ବର୍ତ୍ତମାନ ଘରଭିତରେ ଅଛି ।

 

ଅନ୍ଧକାର ଭିତରେ ପୁଲିସ ଦଳ ଆଗେଇ ଚାଲିଲେ । ସ୍ଥାନଟି ସମ୍ପୂର୍ଣ୍ଣ ନିର୍ଜନ । କେହି ପଡ଼ିଶା ନାହିଁ । ବେନେଟ ସାହେବ ପ୍ରଥମେ ଘରଟି ଘେରାଉ କରି ପକାଇଲେ । ତା’ ପରେ ଭବାନୀବାବୁ ସହିତ ଘରର ପ୍ରଧାନ ଫାଟକ ନିକଟରେ ପହଞ୍ଚିଲେ । ଫାଟକଟି ଭିତରୁ ତାଲାବନ୍ଦ ରହିଛି । ଭବାନୀ ବାବୁ ଓ ବେନେଟ ସାହେବ ଲୁହା ଫାଟକଟି ଡେଇଁ ଘରଭିତରେ ପଶିଲେ ।

 

ତା’ପରେ କ’ଣ କରିବେ ବୋଲି ଭାବୁଛନ୍ତି, ଏଇ ସମୟରେ ହଠାତ୍ ଦୁଆର ଖୋଲିଗଲା । ଜଣେ ଲୋକ ବୋଧହୁଏ ବାହାରକୁ ଯାଉଥିଲା । ଦୁଆର ସାମନାରେ ବେନେଟ୍ ସାହେବ ଓ ଭବାନୀ ବାବୁଙ୍କୁ ଦେଖି ଥମକି ଛିଡ଼ା ହୋଇଗଲା । ବେନେଟ୍ ସାହେବ ଲେକକୁ ଚଉଁ ପାରିଲେ । ସେ ସୁନ୍ଦର ଘଇ ଦେଶାଇ । ବେନେଟ୍ ସାହେବ ନିଜର ପରିଚୟ ଦେଇ ବିନା ଭୂମିକାରେ ଜଣାଇଲେ ଯେ ସେମାନେ ଘରଟି ଖାନତଲାସ କରିବାକୁ ଚାହାଁନ୍ତି । ସେମାନଙ୍କ ନିକଟରେ ଯଥାବିଧି ପରଓ୍ୟାନା ଅଛି ।

 

ସୁନ୍ଦରଭାଇ କିଛିକ୍ଷଣ ପର୍ଯ୍ୟନ୍ତ ନୀରବରେ ଛିଡ଼ା ହୋଇ ରହିଲା । ତା’ ପରେ କହିଲା– ଆସନ୍ତୁ । ମୋ ସଙ୍ଗେ ଭିତରକୁ ଆସନ୍ତୁ ।

 

ବିଶାଳ ଘର । ସୁନ୍ଦରଭାଇର ପଛେ ପଛେ କୋଠରୀ ପରେ କୋଠରୀ ପାରିହୋଇ ସେମାନେ ଭିତରକୁ ଚାଲିଲେ । ଅବଶେଷରେ ଗୋଟିଏ ସାନ କୋଠରୀ ଭିତରେ ତିନିଜଣ ଜାକ ପଶିଲେ । ସୁନ୍ଦର ଭାଇ ସୁଇଚ ଚିପି ଆଲୁଅ ଜଳାଇ ଦେଲା । ଘର ଭିତରେ କେତେଖଣ୍ଡି ଚୌକି ପଡ଼ିଛି । ବେନେଟ ସାହେବ ଓ ଭବାନୀ ବାବୁଙ୍କୁ ବସିବାକୁ ଇଙ୍ଗିତକରି ସୁନ୍ଦରଭାଇ ନିଜେ ଖଣ୍ଡିଏ ଚୌକିରେ ବସିଲା । ତା’ପରେ ସାମାନ୍ୟ ହସି କହିଲା ଦେଖନ୍ତୁ, ଆଇନ ଆପଣମାନଙ୍କୁ ଯେତେ କ୍ଷମତା ଦେଇଥିଲେ ମଧ୍ୟ ଆପଣମାନେ ସାମାନ୍ୟ ଚାକିରିଆ । ମୋ ସହିତ ଶତ୍ରୁତା କରିବା ଆପଣମାନଙ୍କ ପକ୍ଷରେ ଆଦୌ ନିରାପଦ ନୁହେଁ । ଅପର ପକ୍ଷରେ ମୋ ସହିତ ସଦଭାବ ରଖିଲେ ଆପଣମାନେ ସବୁ ଭାବରେ ଲାଭବାନ ହେବେ । ସର୍କାରୀ କ୍ଷେତ୍ରରେ ପଦୋନ୍ନତି ହେବ । ଆଉ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଚୁର ଲାଭବାନ ହେବେ । ଏବେ କହନ୍ତୁ କେତେ ହେଲେ ଚଳିବ । ପନ୍ଦର ହଜାର ! କୋଡ଼ିଏ ହଜାର ! କେତେ, କହନ୍ତୁ ।

 

ଏଥର ଭବାନୀବାବୁ କଥା କହିଲେ । –ଆପଣ ଅକାରଣ ସମୟ ନଷ୍ଟ କରୁଛନ୍ତି ସୁନ୍ଦରଭାଇ ବାବୁ । ଟଙ୍କା ବଳରେ ଆଇନକୁ ଆପଣ କଦାପି କିଣି ନେଇ ପାରିବେ ନାହିଁ । ଆପଣଙ୍କର ସେପରି ଚେଷ୍ଟା ସମ୍ପୂର୍ଣ୍ଣ ବୃଥା । ଆମେମାନେ ନିଶ୍ଚୟ ଆପଣଙ୍କ ଘର ଖାନତଲାସ କରିବୁ ।

 

ଏଥର ସୁନ୍ଦରଭାଇ ଉଚ୍ଚ ଶବ୍ଦରେ ହସି ଉଠିଲେ । –ସର୍ଦ୍ଦାର ଜୀ, ଆପଣଙ୍କ ଜାତି କେବଳ ଲଢ଼େଇ କରି ଶିଖିଛନ୍ତି । ରୋଜଗାର କରି ସୁଖରେ ଜୀବନ କଟାଇବାକୁ ଜାଣି ନାହାନ୍ତି । ଆଚ୍ଛା, ଆପଣ ପୁରା ଗୋଟାଏ ଲିଲାଣ୍ଡ ଟ୍ରକର ଦାମ ପାଇବେ । ପୂରା ପଚାଶ ହଜାର ! ଆଉ ବେନେଟ ସାହେବ, ଆପଣଙ୍କ କଥା କହନ୍ତୁ ।

 

ବେନେଟ ସାହେବ ଅତିଶୟ ବିରକ୍ତ ହୋଇ କହିଲେ– ଆପଣଙ୍କ ସଙ୍ଗେ ଏସବୁ କଥାବାର୍ତ୍ତା କରିବାକୁ ଆମେ ଆସିନାହୁଁ । ଉଠନ୍ତୁ, ଆମେ ଘର ଖାନତଲାସ କରିବୁ । ଏହାକହି ବେନେଟ ଉଠି ଛିଡ଼ା ହେଲେ ।

 

ସୁନ୍ଦରଭାଇ ମଧ୍ୟ ଉଠି ଠିଆ ହେଲା । କିଛିକ୍ଷଣ ପର୍ଯ୍ୟନ୍ତ ବେନେଟଙ୍କୁ କଟମଟ କରି ଚାହିଁ ରହିଲା । ତା’ ଆଖିରେ ଯେପରି ମୃତ୍ୟୁ ନାଚି ଉଠିଲା । ହଠାତ ସୁନ୍ଦର ଭାଇ ଇଲେକଟ୍ରିକ ସୁଇଚଟା ବୁଲାଇ ଦେଲା । ଆଲୁଅ ଲିଭିଗଲା । ବେନେଟ ଚିତ୍କାର କରି ଉଠିଲେ । କିନ୍ତୁ ଭବାନୀବାବୁ ମୁହୂର୍ତ୍ତକ ମଧ୍ୟରେ ଡ଼ିଆଁ ମାରି କୋଠରୀ ବାହାରକୁ ଚାଲିଗଲେ । ତାଙ୍କ ସାମନାରେ ସୁନ୍ଦରଭାଇ । ହଠାତ୍ ତାକୁ ସେ କୁଣ୍ଢାଇ ପକାଇଲେ । ବେନେଟ ଘରଭିତରେ ଚିତ୍କାର କରୁଛନ୍ତି । କବାଟକୁ ପଦାଘାତ କରୁଛନ୍ତି । ଭବାନୀ ବାବୁ ବୁଝି ପାରିଲେ ଯେ କୌଣସି ଗୁପ୍ତ କୌଶଳର ପ୍ରକ୍ରିୟାରେ କବାଟଟା ବନ୍ଦ ହୋଇଯାଉଛି । ବେନେଟ ବନ୍ଦୀ ହୋଇଛନ୍ତି ।

 

ଲୋକଟା ଯେ ଏତେ କ୍ଷିପ୍ର ଓ ବଳବାନ ସେ କଥା ଭବାନୀ ବାବୁ କଳ୍ପନା କରି ପାରି ନ ଥିଲେ । ବହୁକ୍ଷଣି ଧରି ସେଠାରେ ଲଢ଼େଇ ଚାଲିଲା । ଭବାନୀବାବୁ ସର୍ବାଙ୍ଗରେ କ୍ଷତ ବିକ୍ଷତ ହେବାକୁ ଲାଗିଲେ । ଏହି ସମୟରେ ପୁଞ୍ଜିଭୂତ ଅନ୍ଧକାର ପରି ଆଉଦୁଇଟି ମୂର୍ତ୍ତି ଭିତର ପଟୁ ଆସି ସେଠାରେ ପହଞ୍ଚିଲେ । ହଠାତ୍ ଭବାନୀ ବାବୁଙ୍କ ମୁଣ୍ଡରେ ଗୋଟିଏ ଆଘାତ ବାଜିଲା । ଭୀଷଣ ଆଘାତ । ତାଙ୍କର ସର୍ବଙ୍ଗ ଅବଶ ହୋଇଗଲା । ଧୀରେଧୀରେ ତାଙ୍କର ଚୈତନ୍ୟ ଲୋପ ପାଇ ଆସିଲା । ସେଇ ଅର୍ଦ୍ଧ ଚେତନ ଅବସ୍ଥାରେ ତାଙ୍କର ମନେ ହେଲା କେତେ ଗୁଡ଼ାଏ ପୁଲିସ ହୁଇସିଲ ବାଜି ଉଠିଲା । ବର୍ତ୍ତମାନ ଜଳି ଉଠିଲା । ବହୁ ଲୋକ ଯେପରି ସେଠାକୁ ଧାଇଁ ଆସିଲେ ତା’ପରେ ତାଙ୍କର ଚୈତନ୍ୟ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଲା ।

 

କେତେକାଳ ସେ ଏହିପରି ଚୈତନ୍ୟହୀନ ଅବସ୍ଥାରେ ଥିଲେ କେଜାଣି ଯେତେବେଳେ ତାଙ୍କର ଜ୍ଞାନ ଫେରି ଆସିଲା, ସେତେବେଳେ ସେ ଦେଖିଲେ ଯେ ସେ ଗୋଟିଏ କୋମଳ ବିଛଣାରେ ଶୋଇଛନ୍ତି । ମୂର୍ତ୍ତିମତୀ ସେବା ପରି ଗୋଟିଏ ନାରୀ ତାଙ୍କର ସୁଶ୍ରୁଶା କରୁଛି । କିଛିକ୍ଷଣ ପରେ ଭବାନୀ ବାବୁ ତାକୁ ଚିହ୍ନି ପାରିଲେ । ମିସେସ୍ ବେନେଟ । ଧୀରେ ଧୀରେ ତାଙ୍କର ସବୁ ସ୍ମୃତି ଫେରିଆସିଲା । ପଚାରିଲେ ମି: ବେନେଟ ସେହିପରି ଅଛନ୍ତି । ତାଙ୍କର କୌଣସି କ୍ଷତି ହୋଇ ନାହିଁତ !

 

ମଧୁର ହସ ହସି ଶ୍ରୀମତୀ ବେନେଟ କହିଲେ– ନା, ସେ ସମ୍ପୂର୍ଣ୍ଣ ଅଛନ୍ତି । କିନ୍ତୁ ଆପଣଙ୍କର ଜଖମଟି ସାଂଘାତିକ ହୋଇଥିଲା । ଈଶ୍ଵରଙ୍କୁ ଧନ୍ୟବାଦ ଯେ ଆପଣ ଆରୋଗ୍ୟ ହୋଇ ଉଠିଛନ୍ତି ।

 

କିଛିକ୍ଷଣ ପରେ ବେନେଟ ସାହେବ ସେ ଘରେ ପ୍ରବେଶ କଲେ । ହସ ହସ ମୁହଁରେ କହିଲେ– ଆପଣ ମୋର ଧନ୍ୟବାଦ ଗ୍ରହଣ କରନ୍ତୁ ଭବାନୀ ବାବୁ । ଆପଣ ସଙ୍ଗେ ସଙ୍ଗେ ବାହାରକୁ ଯେପରି କ୍ଷିପ୍ର ଗତିରେ ଡେଇଁ ପଡ଼ି ସଇତାନଟାକୁ ଆକ୍ରମଣ କରି ନ ଥିଲେ ଆମେ ଦୁଇଜଣଯାକ ସେ କୋଠରୀରେ ବନ୍ଦୀ ହୋଇଥାନ୍ତେ । ତା’ ପରେ ଅତି ଉଚ୍ଚ ଶକ୍ତିର ବିଜୁଳି ପ୍ରବାହରେ ଦୁଇଜଣଯାକ ଜଳି ହୋଇ ମରିଥାନ୍ତେ । ସେହିପରି ବନ୍ଦୋବସ୍ତ ସଇତାନଟା ଶେଷରେ କରି ରଖିଛି । କିନ୍ତୁ ବାହାରକୁ ଯାଇ ଇଲେଟ୍ରିକ୍ ସୁଇଚ୍‌ଟା ଚିପି ଦେବାରୁ ଅବକାଶ ସେ ପାଇଲା ନାହିଁ । ତା’ ପୂର୍ବରୁ ଆପଣ ତାକୁ ଆକ୍ରମଣ କଲେ ।

 

–କିନ୍ତୁ ସେ ପ୍ୟାକେଟଟି ଉଦ୍ଧାର ହୋଇ ପାରିଲା ନାହିଁ ! ସୁନ୍ଦରଭାଇ ଗିରଫ ହେଲା ନାହିଁ ।

 

ଖୁସି ହୋଇ ବେନେଟ୍ ସାହେବ କହିଲେ–ନା, ନା, ଆପଣଙ୍କର ଦୁର୍ଭାବନାର କୌଣସି କାରଣ ନାହିଁ । ପ୍ୟାକେଟ୍‌ଟି ମିଳିଛି । କେବଳ ସାୟରାବାନୁର ହୀରା ହାର ନୁହେଁ, ଆହୁରି କେତେକ ଅତି ମୂଲ୍ୟବାନ ହୀରା ମଧ୍ୟ ସେଥିରେ ଥିଲା । ତା’ ଛଡା ସୁନ୍ଦରଭାଇ ଘରୁ ପ୍ରାୟ ଏକହଜାର ତୋଳା ଚୋରା ସୁନା, ବହୁ ଚୋରା ହାର ଏବଂ ବହୁତ କାଗଜପତ୍ର ଜବତ୍ ହୋଇଛି । କିନ୍ତୁ ସୁନ୍ଦରଭାଇକୁ ପୁଲିସ ଗିରଫ କରି ପାରିନାହିଁ ।

 

–ଏଁ, ସେ କ’ଣ ପଳାଇଗଲା । ଭବାନୀ ବାବୁ ପଚାରିଲେ ।

 

–ହଁ, ସେ ପଳାଇଗଲା । ଯେଉଁ ସ୍ଥାନରୁ ପୁଲିସ ବା କୌଣସି ପାର୍ଥିବ ଶକ୍ତି ତାକୁ ଫେରାଇ ଆଣି ପାରିବ ନାହିଁ । ଘୋର ଅନ୍ଧାର ଭିତରେ ଉଭୟ ପକ୍ଷରୁ ଗୁଳି ଚାଲିଲା । ସହରର କେତେକ ଅତି ଦୁର୍ଦ୍ଧର୍ଷ ଗୁଣ୍ଡା ସୁନ୍ଦରଭାଇର ଆଶ୍ରୟରେ ଥିଲେ । ଦୁଇଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଆଉ ସୁନ୍ଦରଭାଇ ନିଜେ ଓ ତା’ର ଆଉ ଦୁଇଜଣ ଗୁଣ୍ଡା ପୁଲିସ ଗୁଳିରେ ପ୍ରାଣ ହରଇଛନ୍ତି ।

 

ସାତ

 

ଆଇ. ଜି. ସେନାପତି ସାହେବ ଅତିଶୟ ବିବ୍ରତ ହୋଇ ଉଠିଛନ୍ତି । ଘରୋଇ ମନ୍ତ୍ରୀ ଘନ ଘନ ଟେଲିଫୋନ କରୁଛନ୍ତି । ଭବାନୀବାବୁଙ୍କ ପ୍ରତିଶ୍ରୁତି ଉପରେ ନିର୍ଭର କରି ସେ ଘରୋଇ ମନ୍ତ୍ରୀଙ୍କୁ ଜବାବ ଦେଇଥିଲେ ଯେ ସାୟରାବାନୁର ଅପହୃତ ହୀରା ନେକ୍‌ଲେଶ୍‌ ସେ ଏକ ସପ୍ତାହ ମଧ୍ୟରେ ନିଶ୍ଚୟ ଉଦ୍ଧାର କରିଦେବେ । ସେଇ ପ୍ରତିଶ୍ରୁତି ଉପରେ ବିଶ୍ୱାସ କରି ସୁଲତାନ ତାଙ୍କର ରହଣିକାଳ ଆଉ ଏକ ସପ୍ତାହ ବଢ଼ାଇ ଦେଇଥିଲେ । ଆସନ୍ତା କାଲି ଏକ ସପ୍ତାହ ପୂରି ଯାଉଛି । ଆସନ୍ତା କାଲି ଅପରାହ୍ନରେ ସେ ତାଙ୍କର ସ୍ୱତନ୍ତ୍ର ବିମାନ ଯୋଗେ ଭାରତବର୍ଷ ତ୍ୟାଗ କରିବେ । ଅଥଚ ଆଜିପର୍ଯ୍ୟନ୍ତ ଭବାନୀ ବାବୁଙ୍କର କୌଣସି ସମ୍ବାଦ ନାହିଁ । ଏତେବଡ଼ ଜଣେ ବିଦେଶୀ ଭି. ଆଇ. ପି. ଏ ଦେଶ ପ୍ରତି କି ଧାରଣା ନେଇ ଫେରିଯିବେ । ଦିଲ୍ଲୀର ଘରୋଇ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଆଇ. ଜି. ବା କି କୈଫିୟତ ଦେବେ !

 

ଭବାନୀ ବାବୁଙ୍କର ବମ୍ବେ ଯାତ୍ରା କଥା କେବଳ ଆଇ. ଜି. ଙ୍କ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ତାଙ୍କର ଅନୁରୋଧକ୍ରମେ ଏହା ସମ୍ପୂର୍ଣ୍ଣ ଗୁପ୍ତ ରହିଛି । ଭବାନୀ ବାବୁଙ୍କର ତୀକ୍ଷ୍‌ଣ ବୁଦ୍ଧି ଓ କର୍ମକ୍ଷମତା ଉପରେ ଆଇ. ଜି. ଙ୍କର ଗଭୀର ବିଶ୍ୱାସ ରହିଛି । ଏ ତଦନ୍ତର ପୂର୍ଣ୍ଣ ସ୍ଵାଧୀନତା ସେ ତାଙ୍କୁ ଦେଇଛନ୍ତି । ବମ୍ବେର ସେ କେଉଁ ସ୍ଥାନକୁ ଯିବେ ବା କ’ଣ କରିବେ– ସେ କଥା ସେ ଜାଣିବାକୁ ଚାହିଁ ନାହାନ୍ତି । ତାଙ୍କର ଆଦେଶରେ ମି: ମିଶ୍ର ବର୍ତ୍ତମାନ ଏ ମାମଲା ଗୁଡ଼ିକର ଦାୟିତ୍ଵରେ ରହିଛନ୍ତି । ଭବାନୀ ବାବୁଙ୍କ ଅନୁପସ୍ଥିତ ଓ ବିଷୟରେ ମି: ମିଶ୍ର ତାଙ୍କ ନିକଟରେ ଏକାଧିକବାର ଅଭିଯୋଗ କଲେଣି । କିନ୍ତୁ ଭବାନୀ ବାବୁ କେଉଁଠାକୁ ଯାଇଛନ୍ତି, ସେ କଥା ସେ ମି. ମିଶ୍ରଙ୍କୁ କହି ନାହାନ୍ତି ।

 

ଭବାନୀ ବାବୁଙ୍କ ପ୍ରତିଶ୍ରୁତି ଉପରେ ନିର୍ଭର କରି ଆଇ. ଜି. ଯେ ଏତେବଡ଼ ଗୋଟାଏ ଜବାବ ଦେଇଥିଲେ ଏ କଥା ମି: ମିଶ୍ର ଜାଣନ୍ତି । କିନ୍ତୁ ଭବାନୀ ବାବୁ କିଛି କରି ପାରିଲେ ନାହିଁ ଆଇ: ଜି. ଙ୍କୁ ହାସ୍ୟାସ୍ପଦ କଲେ । ଏ କଥା ଉଠାଇ କେତେଥର ମି: ମିଶ୍ର ଭବାନୀ ବାବୁଙ୍କ ଉପରେ ବିରକ୍ତ ପ୍ରକାଶ କରିଛନ୍ତି । ଆଜି ସକାଳେ ସେଇକଥା ଉଠାଇ ମି: ମିଶ୍ର କହିଲେ– ଆପଣ ମୋତେ କ୍ଷମା କରିବେ ସାର୍, ଭବାନୀ ମହାପାତ୍ରଙ୍କୁ ଆପଣ ଯେପରି ଅଦ୍ଭୁତ କର୍ମ ବ୍ୟକ୍ତି ବୋଲି ଧରି ନେଇଛନ୍ତି, ସେ ସେପରି ଆଦୌ ନୁହନ୍ତି । ତାଙ୍କର ନିଆଁଗିଳା କଥା ଉପରେ ନିର୍ଭର କରି ଆପଣ ଏତେବଡ଼ ଗୋଟାଏ ପ୍ରତିଶ୍ରୁତି ଦେବା ଉଚିତ ନ ଥିଲା ।

 

ଆଇ. ଜି: କିଛି ଉତ୍ତର ଦେଇ ନାହାନ୍ତି । ଭବାନୀ ବାବୁଙ୍କର ବିରାଟ କର୍ମକ୍ଷମତା ଉପରେ ସେ ତିଳେମାତ୍ର ବିଶ୍ଵାସ ହରାଇ ନାହାନ୍ତି । କିନ୍ତୁ ସବୁ ଚିନ୍ତା କରି ବର୍ତ୍ତମାନ କାହିଁକି ସେ ଅତିଶୟ ଚିନ୍ତିତ ଓ ବିବ୍ରତ ହୋଇ ଉଠିଛନ୍ତି ।

 

ରାତି ସାଢ଼େ ଆଠଟା ହେଲାଣି ! ତାଙ୍କର “ଡ଼ିନର” ର ସମୟ ହୋଇଗଲାଣି । କିନ୍ତୁ ତାଙ୍କର ଖାଇବାକୁ ଆଦୌ ଇଚ୍ଛା ହେଉ ନାହିଁ । ଠିକ୍ ସେତିକିବେଳେ ଜଣେ ଅଡରଲି ଘର ଭିତରେ ପଶି ଖଣ୍ଡିଏ କାଗଜ ତାଙ୍କ ହାତକୁ ବଢ଼ାଇ ଦେଲା । –କ’ଣ ଜରୁରୀ କାଗଜ ବୋଲି କହିଲେ, ହଜୁର ।

 

ଆଇ. ଜି. କାଗଜ ଖଣ୍ଡିକ ଉପରେ ଆଖି ବୁଲାଇଲେ । ସାଙ୍କେତିକ ଭାଷାରେ ଗୋଟିଏ ଦୀର୍ଘ ବେତାର ବାର୍ତ୍ତା ବମ୍ବେରୁ ଆସିଛି । ଆଇ: ଜି: ଙ୍କର ମନ ଚଞ୍ଚଳ ହୋଇ ଉଠିଲା । ସେହିପରି ଏ ସାଙ୍କେତିକ ଭାଷା ବୁଝିବା ସମ୍ଭବ ନୁହେଁ । ଲୁହା ଆଲମାରୀ ଭିତରୁ ଆଇ: ଜି. ଖଣ୍ଡିଏ ଗୁପ୍ତ “କୋର୍ଡ଼” ବହି ବାହାର କଲେ ଓ ତା’ର ସାହାଯ୍ୟରେ ସେ ସାଙ୍କେତିକ ବେତାର ବାର୍ତ୍ତାଟିର ପାଠୋଦ୍ଧାର କରିବାକୁ ଲାଗିଲେ ।

 

ଦୀର୍ଘ ଏକଘଣ୍ଟା ପରେ ସେ ବାର୍ତ୍ତାଟିକୁ ଡ଼ିକୋଡ଼ (Decode) କରି ପାରିଲେ । ତାଙ୍କର ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠିଲା । ଆନନ୍ଦରେ ସେ ଅଧୀର ହୋଇଉଠିଲେ । ଭବାନୀ ବାବୁ ବାର୍ତ୍ତା ପଠାଇଛନ୍ତି । ସେ ସମ୍ପୂର୍ଣ୍ଣ କୃତକାର୍ଯ୍ୟ ହୋଇଛନ୍ତି । କାଲି ସକାଳେ ସେ ଫେରିଆସୁଛନ୍ତି-। ଆସନ୍ତା କାଲି ସକାଳ ୬ଟା ବେଳେ ବମ୍ବେର ସାନ୍ତାକ୍ରୁଜ ବିମାନ ବନ୍ଦରରୁ ଗୋଟିଏ ଡାଇରେକ୍ଟ ଫ୍ଲାଇଟ୍ ଭୁବନେଶ୍ଵର ଆସିବ । ସେଇ ବିମାନରେ ସେ ଫେରି ଆସୁଛନ୍ତି । ଭୁବନେଶ୍ଵରରେ ସକାଳ ୯ଟା ବେଳେ ପହଞ୍ଚିବେ । ଆଉ ସେଇ ସ୍ଥାନରୁ ସାଙ୍ଗେ ସାଙ୍ଗେ କଟକ ଆସି ସେ ଆଇ: ଜି. ଙ୍କୁ ଦେଖା କରିବେ ।

 

ତା’ପରେ ଆହୁରି କେତେଗୁଡ଼ିଏ କାମ କରିବାକୁ ସେ ଅନୁରୋଧ କରିଛନ୍ତି । ସର୍ବଶେଷରେ ସେ ଅନୁରୋଧ ଜଣାଇଛନ୍ତି ଯେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେପରି ସବୁକଥା ଗୋପନ ରଖା ହୁଏ ।

 

ଆଇ: ଜି: ତାହାହିଁ କରିବେ । ଭବାନୀ ବାବୁଙ୍କର ସବୁ ଅନୁରୋଧ ସେ ରକ୍ଷା କରିବେ । ସଙ୍ଗେ ସଙ୍ଗେ ସେ ଘରୋଇ ମନ୍ତ୍ରୀଙ୍କୁ ଟେଲିଫୋନ କଲେ । –କାଲି ଦିନ ଏଗାରର ବେଳେ ଦୟାକରି ଥରେ ମୋ, ଅଫିସର କନଫରେନସ ହଲ୍‌କୁ ଆସିବେ ସାର୍ । ସେହି ସମୟରେ ସାୟରାବାନୁର ଅପହୃତ ହୀରାମାଳଟି ଆପଣ ନିଜହାତରେ ତାଙ୍କୁ ଫେରାଇ ଦେବେ । ସୁଲତାନଙ୍କୁ ଆଉ ତାଙ୍କ କନ୍ୟାକୁ ଆସିବା ପାଇଁ ଆପଣ ଅନୁରୋଧ କରିବେ ! ଆଉ ଦୟାକରି ଏ ଘଟଣାଟିକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗୁପ୍ତ ରଖିବେ ।

 

ଘରୋଇ ମନ୍ତ୍ରୀ ଅତିଶୟ ଖୁସି ହୋଇ ଉଠିଲେ । –ଆପଣ ଏ ରାଜ୍ୟର ସମ୍ମାନ ରକ୍ଷାକଲେ ମି: ସେନାପତି । ମୁଁ ଯଥା ସମୟରେ ଯାଇ ପହଞ୍ଚିବି ଓ ଘଟଣାଟିକୁ ସମ୍ପୂର୍ଣ୍ଣ ଗୋପନ ରଖି ଅନ୍ୟ କେତେକଙ୍କୁ ମଧ୍ୟ ନେଇଯିବି । କେତେଜଣ ପ୍ରେସ ରିପୋର୍ଟରଙ୍କୁ ମଧ୍ୟ ନେଇଯିବି । ସୁଲତାନ ସାହେବଙ୍କ ବ୍ୟବସ୍ଥା ମଧ୍ୟ ମୁଁ କରିବି । ଧନ୍ୟବାଦ ।

 

ତା’ପରେ ଆଇ. ଜି. ଟେଲିଫୋନ ଯୋଗେ ମିଶ୍ର ସାହେବ ଓ ଅନ୍ୟାନ୍ୟ ବହୁ ଅଧସ୍ତନ ଅଫିସରଙ୍କୁ ଏ ସଭାରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଲେ । କାରଣ ସ୍ଵରୂପ ସେ କହିଲେ ଯେ ଏଇସବୁ ମାମଲା ଗୁଡ଼ିକର ଆଲେଚନା ସେ କରିବାକୁ ଚାହାନ୍ତି । ସସ୍‌ପେଣ୍ଡ ହୋଇଥବା ପୂର୍ବତନ ଏସ. ପି: ଶ୍ରୀ ଦାସଙ୍କୁ ମଧ୍ୟ ସେ ଅନୁରୂପ ନିର୍ଦ୍ଦେଶ ଦେଲେ । ତା’ ପରେ ହୃଷ୍ଟ ଚିତ୍ତରେ ସେ ରାତ୍ରି ଭୋଜନ ଶେଷକରି ଶୟନ କରିବାକୁ ଗଲେ ।

 

ତାପର ଦିନ ସକାଳ ନ’ଟା ବେଳେ ବ୍ରେକଫାଷ୍ଟ ଶେଷକରି ସମ୍ବାଦ ପତ୍ର ପଡ଼ୁଥିଲେ । ଠନ୍‌ଠନ୍‌ ହୋଇ କାନ୍ଥ ଘଡ଼ିରେ ନ’ଟା ବାଜିଲା । ଆଇ. ଜି: ସାହେବ ଚାହିଁ ଦେଖିଲେ । ଭବାନୀବାବୁଙ୍କ ପ୍ଳେନଟି ଭୁବନେଶ୍ଵର ବିମାନ ବନ୍ଦରରେ ଏଇ ସମୟରେ ପହଞ୍ଚିବାର କଥା । ବିମାନ ବନ୍ଦରରେ ପହଞ୍ଚି ସେ ଟେଲିଫୋନ କରିବେ ।

 

ଠିକ୍ ସେତିକି ବେଳେ ଟେଲିଫୋନଟା ବାଜି ଉଠିଲା । ଭବାନୀବାବୁ ଟେଲିଫୋନ କରିଛନ୍ତି ଭାବି ଆଇ. ଜି: ଖୁସି ହୋଇ ଉଠିଲେ । ରିସିଭରଟା କାନରେ ଲଗାଇ ଜାଣି ପାରିଲେ ଯେ ଭବାନୀବାବୁ ନୁହନ୍ତି– ମି: ମିଶ୍ର ଟେଲିଫୋନ କରୁଛନ୍ତି । ଅତିଶୟ ଉତ୍ତେଜିତ କଣ୍ଠରେ ମିଶ୍ର ସାହେବ କହିଲେ– ମୁଁ ହୋଟେଲ “ପାରାଡ଼ାଇଜ” ରୁ କହୁଛି ସାର୍ । ମୁଁ ଦେଖୁଛି, ଆଇନ ଶୃଙ୍ଖଳା ଏ ସହରରୁ ସମ୍ପୂର୍ଣ୍ଣ ଲୋପ ହୋଇଗଲାଣି । ଗତ ରାତିରେ ଏ ହୋଟେଲରେ ଗୋଟାଏ ଅତି ଦୁଃସାହସିକ “ରବରୀ” ହୋଇଯାଇଛି । ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି– ଡକ୍ଟର ଆଇଜାକ ଏବଂ ତାଙ୍କର ସ୍ତ୍ରୀ ଏ ହୋଟେଲର ଗୋଟିଏ ସୁଟ୍‌ରେ ରହୁଥିଲେ । ଡକ୍ଟର ଆଇଜାକ କହୁଛନ୍ତି ଯେ ଆପଣ ତାଙ୍କୁ ଚିହ୍ନନ୍ତି । ସେ ସସ୍କୀକ ଆପଣଙ୍କୁ ସଙ୍ଗେ ଥରେ ଦେଖା କରିବାକୁ ଯାଇଥିଲେ ।

 

–ହଁ ହଁ ଡକ୍ଟର ଆଇଜାକ ଥରେ ମୋ ସହିତ ଦେଖା କରିବାକୁ ଆସିଥିଲେ । ସେ ଦିଲ୍ଲୀର ଜଣେ ମେଡ଼ିକେଲରି ପ୍ରେଜେଣ୍ଟେଟିଭ । ବସନ୍ତ ରୋଗରେ ଗୋଟାଏ ନୂଆ ପ୍ରଭେନଟିଭ କାଙ୍କ କମ୍ପାନୀ ଆବିଷ୍କାର କରିଛନ୍ତି । ସେଇ ଔଷଧଟିକୁ ଓଡ଼ିଶା ପୁଲିସ ଫୋର୍ସଙ୍କ ପାଇଁ କିଣିବା ପାଇଁ ମୋତେ ସେ ଅନୁରୋଧ କଲେ । ମୁଁ ତାଙ୍କ ଜଣାଇଲି ଯେ ମୁଁ ହେଲଥ ଡ଼ିରେକ୍ଟରଙ୍କ ସହିତ ଏ ବିଷୟରେ ଆଲୋଚନା କରି ତାଙ୍କୁ ଜଣାଇବି । କିନ୍ତୁ, ତାଙ୍କ ଘରେ ଚୋରମାନ କ’ଣ ନେବାପାଇଁ ପଶିଥିଲେ । କିଛି ଚୋରି ହୋଇଛି କି ?

 

–ନା’ ସାର୍, ଚୋରି କରିବାର ସୁବିଧା ହେଲାନାହିଁ । ଡକ୍ଟର ଆଇଜାକଙ୍କର ପାଟି ଶୁଣି ହୋଟେଲର ଲୋକମାନେ ଦୌଡ଼ି ଆସିଲେ । ଦୁଇଜଣଯାକ ଚୋର ଝରକା ବାଟେ ପଳାଇ ଗଲେ-। ଡକ୍ଟର ଆଇଜାକ ଓ ତାଙ୍କର ପତ୍ନୀ ଶ୍ରୀମତୀ ଫ୍ଲେମୀଙ୍କୁ ଦଉଡ଼ାରେ ବାନ୍ଧି ଦେଇଯାଇଥିଲେ । ଘର ଭିତରେ ଉଜ୍ଜ୍ୱଳ ବିଜୁଳି ଆଲୁଅ ଜଳୁଥିଲା । ଦୁଇଜଣ ଯାକ ଚୋରକୁ ସେମାନେ ଖୁବ ଭଲଭାବରେ ଦେଖିଛନ୍ତି ଓ ସେମାନଙ୍କର ଚେହେରା ବର୍ଣ୍ଣନା କରୁଛନ୍ତି ।

 

ଆଇ. ଜି. କହିଲେ– ତା’ ହେଲେତ ଚୋରମାନଙ୍କୁ ଧରିବା ଆପଣଙ୍କ ପକ୍ଷରେ ଖୁବ ସହଜ ହେବ ! ଆପଣ ଆଉ ଏପରି ବ୍ୟସ୍ତ ହେଉଛନ୍ତି କାହିଁକି ?

 

ମିଶ୍ର ସାହେବ କହିଲେ– ମୁଁ ଅନ୍ୟ କାରଣରେ ବ୍ୟସ୍ତ ହେଉଛି ସାର୍ । ଯେଉଁ ପୁରୁଣା ଡକାଏତ ଧୂର୍ଜଟୀ ଶର୍ମାଙ୍କୁ ସେଦିନ ମି: ଦାସ ଗିରଫ ନ କରି ଛାଡିଦେଲେ ସେଇ ଧୂର୍ଜଟୀ ଚୋରମାନଙ୍କର ନେତୃତ୍ଵ ନେଇଥିଲା । ତା’ ଦେହରେ ସେଇ ଜ୍ୟୋତିଷ ପୋଷାକ ଥିଲା । ଡକ୍ଟର ଆଇଜାକ ଏବଂ ତାଙ୍କର ପତ୍ନୀ ନିର୍ଭୁଲ ଭାବରେ ତାର ବର୍ଣ୍ଣନା ଦେଉଛନ୍ତି । ସେମାନେ ଥରେ ଆପଣଙ୍କ ସଙ୍ଗେ ଦେଖା କରିବାକୁ ଚାହାନ୍ତି ।

 

ଆଇ. ଜି. କହିଲେ– ଆଜି ଏଗାରଟା ବେଳେ ମୋ ଅଫିସର କନ୍‌ଫରେନ୍‌ସ ହଲକୁ ସେମାନଙ୍କୁ ନେଇ ଆସନ୍ତୁ । ସେଠାରେ ବହୁ ଅଭିଜ୍ଞ ପୁଲିସ ଅଫିସର ଥିବେ । ଡକାଏତଟାକୁ କିପରି ପୁଣି ଗିରଫ କରିବାକୁ ହେବ ତା’ର ବ୍ୟବସ୍ଥା କରିବା ।

 

ଧୂର୍ଜଟୀ ଯେତେବେଳେ ଏଇ ସହରରେ ଅଛି, ତାକୁ ଗିରଫ କରିବା ଖୁବ କଷ୍ଟସାଧ୍ୟ ହେବନାହିଁ ।

 

ଆଇ: ଜି. ଟେଲିଫୋନ ଛାଡ଼ିଦେଲେ । ତାଙ୍କ ଓଠରେ ଟିକିଏ ହସ ଫୁଟି ଉଠିଲା । ଭବାନୀବାବୁଙ୍କର ବ୍ୟବସ୍ଥା ଯେ କେତେ ବ୍ୟାପକ ଓ ସୁନିୟନ୍ତ୍ରିତ ତା’ ସେ ବୁଝି ପାରିଲେ ।

 

X X X

 

ଏଗାର ବାଜିବାକୁ କିଛିକ୍ଷଣ ପୂର୍ବରୁ ଆଇ: ଜି. ଙ୍କର କନ୍‌ଫରେନ୍‌ସ ହଲକୁ ବିଭିନ୍ନ ନିମନ୍ତ୍ରିତ ବ୍ୟକ୍ତି ଆସିବାକୁ ଲାଗିଲେ । ପ୍ରେସ ରିପୋର୍ଟର ଓ ଫଟୋଗ୍ରାଫରମାନେ ଆସିଲେ । ଜିଲା ମାଜିଷ୍ଟ୍ରେଟ ଓ ବହୁ ଉଚ୍ଚ ପଦସ୍ଥ ରାଜକର୍ମଚାରୀ ଆସିଲେ । ଡକ୍ଟର ଆଇଜାକ ଓ ଶ୍ରୀମତୀ ଫ୍ଲେମୀଙ୍କୁ ସଙ୍ଗରେ ଧରି ମିଶ୍ର ସାହେବ ଆସିଲେ । ଗୋଇନ୍ଦା ବିଭାଗର ଡ଼ି. ଆଇ: ଜି. ଡକ୍ଟର ଅନାଥବନ୍ଧୁ ସିହ୍ନା ଓ ପୂର୍ବତନ ଏସ୍. ପି. ମି: ଦାସ ଆସିଲେ । ଅବଶେଷରେ ଆସିଲେ ପୃଥୁଳକାୟ ସୁଲତାନ ସାହେବ ଓ ତାଙ୍କର ରୂପସୀ କନ୍ୟା ସାୟରାବାନୁ । ସେମାନଙ୍କ ସଙ୍ଗରେ କେବଳ ଘରୋଇ ମନ୍ତ୍ରୀ ନୁହନ୍ତି– ଆହୁରି ତିନିଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଆସିଲେ । ସମସ୍ତଙ୍କୁ ଯଥୋଚିତ ଆସନରେ ବସାଇ ଆଇ. ଜି. ନିଜ ଚୌକିରେ ଯାଇ ବସିଲେ ।

 

କାନ୍ଥ ଘଡ଼ିରେ ଠନ୍ ଠନ୍ ହୋଇ ଏଗାରଟା ବାଜିବା ସଙ୍ଗେସଙ୍ଗେ ଘରର ପଦ୍ଦା ଠେଲି ଦୁଇଜଣ ବଳବାନ ଓ ଦୀର୍ଘ ଦେହ ବ୍ୟକ୍ତି ଘର ଭିତରେ ପ୍ରବେଶ କଲେ । ସମସ୍ତେ ଚାହିଁ ଦେଖିଲେ, ଗୋଟିଏ ଅସ୍ପଷ୍ଟତର କଳରବ ଉଠିଲା । ଦୁଇଜଣଙ୍କ ଭିତରୁ ଜଣେ ହେଉଛନ୍ତି ଭବାନୀ ମହାପାତ୍ର । ଅନ୍ୟ ଜଣେ ଆଗନ୍ତୁକଙ୍କୁ କେହି ଚିହ୍ନି ପାରିଲେ ନାହିଁ । ଭବାନୀ ବାବୁଙ୍କ ମୁଣ୍ଡରେ ଗୋଟିଏ ବ୍ୟାଣ୍ଡେଜ ବନ୍ଧା ହୋଇଛି । କିପରି ଦୁର୍ବଳ ଓ ରକ୍ତହୀନ ଦେଖା ଯାଉଛନ୍ତି । ମୁଣ୍ଡ ନୁଆଁଇ ସମଷ୍ଟିଗତ ଭାବରେ ସମସ୍ତଙ୍କୁ ଅଭିବାଦନ ଜଣାଇ ଭବାନୀ ବାବୁ ହାତରେ ଧରିଥିବା କେତେଗୁଡ଼ିଏ ପଦାର୍ଥ ଟେବୁଲ ଉପରେ ରଖିଲେ । ତା’ ପରେ କହିଲେ– ବମ୍ବେ ଗୋଇନ୍ଦା ବିଭାଗର ସୁଯୋଗ୍ୟ ଡେପୁଟି କମିଶନର ମି. ବେନେଟଙ୍କୁ ସର୍ବାଗ୍ରେ ଆପଣମାନଙ୍କ ସହିତ ପରିଚୟ କରାଇ ଦେଉଛି । ତାଙ୍କର ସାହାଯ୍ୟ ଲାଭ କରି ମୁଁ ବମ୍ବେରେ କୃତକାର୍ଯ୍ୟ ହୋଇପାରିଛି । ପୁଣି ତାଙ୍କର ମହିମାମୟୀ ପତ୍ନୀଙ୍କର ଯତ୍ନ ଓ ସେବା ଫଳରେ ମୁଁ ମୃତ୍ୟୁ ମୁଖରୁ ବଞ୍ଚିଲି ।

 

କିଛିକ୍ଷଣ ନୀରବ ରହି ଭବାନୀବାବୁ କହିଲେ– ଏ ରହସ୍ୟର ସମାଧାନ ହୋଇପାରିଛି । ମୁଁ ସେଇ କାହାଣୀ ଯଥାସମ୍ଭବ ସଂକ୍ଷେପରେ ଆପଣ ମାନଙ୍କୁ ଶୁଣାଇବି ! ଆଉ ଏଇ ସବୁ ଅପକର୍ମର ପ୍ରଧାନ ପୁରୋଧାଙ୍କୁ ଆପଣମାନଙ୍କୁ ଚିହ୍ନାଇ ଦେବି । କିନ୍ତୁ ତା’ ପୂର୍ବରୁ ଶ୍ରୀମତୀ ସାୟରାବାନୁଙ୍କର ଅପହୃତ ହୀରାମାଳ ଆଇ. ଜି. ସାହେବଙ୍କ ହାତରେ ଦେଉଛି । ସେ ନିଜ ହାତରେ ସେ ବହୁମୂଲ୍ୟ ହାର ସୁଲତାନ ନନ୍ଦିନୀଙ୍କୁ ଫେରାଇ ଦେବେ ।

 

ଏହା କହି ଗୋଟିଏ ବାକସ ଭବାନୀବାବୁ ଆଇ. ଜି. ଙ୍କ ହାତକୁ ବଢ଼ାଇ ଦେଲେ । ଆଇ: ଜି. ବାକସଟିର ଢାଙ୍କୁଣି ଖୋଲିଦେଲେ । ଘରୋଇମନ୍ତ୍ରୀଙ୍କୁ ମଧ୍ୟ ଦେଖାଇଲେ । ସମସ୍ତେ ଅତିଶୟ ଖୁସି ହୋଇଉଠିଲେ ।

 

ସୁନ୍ଦରୀ ସାୟରାବାନୁ ଆଉ ନିଜକୁ ସମ୍ବରଣ କରିପାରିଲା ନାହିଁ । ନିଜର ଚୌକି ଛାଡ଼ି ହଠାତ୍ ଧାଇଁ ଆସିଲା । ହାରଟିକୁ ବାକସ୍‍ ଭିତରୁ ଉଠାଇ ନେଇ ଖୁସିରେ କଳରବ କରିଉଠିଲା--–ହଁ, ଏଇଟା ମୋ ହାର ।

 

ଏହା କହି ହାରଟିକୁ ବେକରେ ପିନ୍ଧିଦେଲା । ପ୍ରେସ ଫଟୋଗ୍ରାଫରମାନେ କେତେଖଣ୍ଡ ଫଟୋ ଉଠାଇନେଲେ । ହାରଟି ପିନ୍ଧି ସଗର୍ବଭଙ୍ଗୀରେ ସାୟରାବାନୁ ନିଜ ଆସନକୁ ଫେରିଯାଇ ପିତାଙ୍କ ନିକଟରେ ବସିଲା ।

 

ଭବାନୀବାବୁ ପୁଣି ଆରମ୍ଭ କଲେ– କେବଳ ଏଇ ବହୁମୂଲ୍ୟ ହାରଟି ନୁହେଁ । ଏଇ ମାମଲା ଗୁଡ଼ିକରେ ଅପହୃତ ହୋଇଥିବା ଆହୁରି ଅନେକ ହୀରା ଓ ଜହରତ ମୁଁ ଉଦ୍ଧାର କରି ଆଣିଛି । ସେଗୁଡ଼ିକ ମୋର ଏଇ ବ୍ୟାଗରେ ରହିଛି । ବାକି ସବୁ ଚୋରିମାଲ ଆସନ୍ତା କେତେକ ମିନିଟ ଭିତରେ ଆପଣମାନେ ଏହିଠାରେ ଦେଖି ପାରିବେ । ଏଇ ସ୍ଥାନରେ ଉପସ୍ଥିତ ଥିବା କେତେକ ଭଦ୍ରଲୋକଙ୍କ ନିକଟରେ ତାହା ଅଛି ।

 

ଯେଉଁ ମହା ସଇତାନ ଏଇ ସବୁ ନରହତ୍ୟା ଓ ଲୁଣ୍ଠନ କରୁଥିଲା, ଈଶ୍ୱର ତାକୁ ଅତି ବଦାନ୍ୟଭାବରେ ଅତି ଉଚ୍ଚଶିକ୍ଷା, ବଡ଼ ଚାକିରୀ, କନ୍ଦର୍ପ ପରି କାନ୍ତି ଓ ଅତି ତୀକ୍ଷଣ ବୁଦ୍ଧି ବାନ୍ଧି ଦେଇଥିଲେ । କିନ୍ତୁ କିପରି କେଜାଣି, ସଇତାନ ତା’ ଅନ୍ତର ଭିତରେ ବାସ କରିବାକୁ ଲାଗିଲା । ସେ ହୋଇଉଠିଲା ଏକ ଅତି ଭୟାବହ ରକ୍ତଲୋଭୀ ନରରାକ୍ଷସ । ନିଜର ସୁନ୍ଦର ରୂପର ଫାଶରେ ବନ୍ଦକରି ସେ ବହୁ ତରୁଣୀର ସର୍ବନାଶ କରିଛି । ସୁନ୍ଦରୀ ନର୍ତ୍ତକୀ ଅଳକାନନ୍ଦା ସେଇ ଫାନ୍ଦରେ ଧରାଦେଲା । ସେ ସୟତାନଟାର ପ୍ରରୋଚନାରେ ଖୁବ ଏକ ବଡ଼ ଅଙ୍କର ଜୀବନ ବୀମା କଲା । ଆଉ ସେ ବିପୁଳ ଅର୍ଥରୁ ନିଜର ଆତ୍ମୀୟ ସ୍ଵଜନଙ୍କୁ ବଞ୍ଚିତ କରି ସେଇ ସଇତାନର ଉପଦେଶରେ ଲେଡ଼ି ଡାକ୍ତର ସଙ୍ଘମିତ୍ରାକୁ ସେ ଅର୍ଥର ଉତ୍ତରାଧିକାରୀ କଲା । ଅଳକା ଜାଣିପାରିଲା ନାହିଁ ସେ ପିଶାଚଟା ସଂଘମିତ୍ରାକୁ ବିବାହ କରିବାର ପ୍ରତିଶ୍ରୁତି ଓ ଦେଇ ତା’ ସହିତ ମଧ୍ୟ ପ୍ରେମର ଅଭିନୟ କରୁଥିଲା । କେତେ ଯେ ଛଳନାଭରା ପ୍ରେମପତ୍ର ଲେଖିଛି । ତା’ର ହିସାବ ନାହି । ରୂପହୀନା ତରୁଣୀ ସଂଘମିତ୍ରା ଅତି ସରଳ ବିଶ୍ଵାସରେ ତାକୁ ସର୍ବସ୍ଵ ଦାନକରି କେତେ ରଙ୍ଗୀନ ସ୍ଵପ୍ନ ଦେଖୁଥିଲା । ଘଟଣା ଚକ୍ରରେ ସେ ସବୁ ପ୍ରେମପତ୍ର ମୋର ହସ୍ତଗତ ହୋଇଛି ।

 

ତେଣେ ନର୍ତ୍ତକୀ ଅଳକାନନ୍ଦାକୁ ନିଜର ଏକ ଅସ୍ତ୍ରରୂପେ ବ୍ୟବହାର କରି ତା’ର ଦାଗ ସାୟରାବାନୁଙ୍କର ବହୁମୂଲ୍ୟ ହୀରାମାଳ ଚୋରି କରାଇଲା । କିନ୍ତୁ ଅଳକା ସେ ଅପୂର୍ବମାଳ ହସ୍ତଗତ କରି ଆଉ ତାହା ସେ ରାକ୍ଷସକୁ ଫେରାଇଲା ନାହିଁ । ଅତଏବ ପିଶାଚଟା ଠିକ୍ କଲା ଯେ ଅଳକାକୁ ମରିବାକୁ ହେବ । ଯେଉଁଦିନ ସେ ଅଳକାକୁ ହତ୍ୟା କରିବାର ଯୋଜନା କରିଥିଲା ସେଇ ଦିନ ଅପରାହ୍ନରେ ସେ ନିଜେ ଯାଇ ଅଳକାର ଇନସୁରେନସ ପ୍ରିମିୟମ ଦେଇ ରସିଦ ଆଣିଲା । ଧୂର୍ଜଟୀର ଭଙ୍ଗା ଘରେ ପଶି ସେ ଅଳକାକୁ ହତ୍ୟାକଲା ଏବଂ ତା ହାତ ବ୍ୟାଗରେ ଇନସୁରେନସ ରସିଦଟି ରଖିଦେଲା । କିନ୍ତୁ ଦୁର୍ଭାଗ୍ୟ କ୍ରମେ ସେ କାଗଜ ଖଣ୍ଡିକ ଦେହରେ ତାର ଗୋଟିଏ ଅଙ୍ଗୁଳି ଚିହ୍ନ ରହିଯାଇଥିଲା । ତା’ର ଅକାଟ୍ୟ ପ୍ରମାଣ ମୋ ନିକଟରେ ଅଛି । ସେଦିନ ରାତିରେ ଅଳକାକୁ ସେ ହତ୍ୟା କଲା ସତ, କିନ୍ତୁ ତା’ ନିକଟରୁ ହୀରାମାଳଟି ପାଇଲା ନାହିଁ । ତା’ ପୂର୍ବରୁ ଅଳକା ସେ ମାଳାଟି ଗୋଟିଏ ଗାତ ଭିତରେ ପୁରାଇ ଦେଇଥିଲା । ପୁଲିସ କୁକୁର ସାରଲକ୍ ତାହା ଉଦ୍ଧାର କଲା ।

 

ଏତିକି ବେଳେ ମିଶ୍ର ସାହେବ ନିଜ ଚୌକିରୁ ଉଠି ଅନ୍ୟ ଖଣ୍ଡିଏ ଚୌକିରେ ଯାଇ ବସିଲେ । ସମସ୍ତେ ତାଙ୍କୁ ଚାହିଁଲେ । ଭବାନୀ ବାବୁ ଚିତ୍କାର କରି ଉଠିଲେ– ଧର ଧର ଆସାମୀକୁ ଧର !

 

ଅନ୍ୟ କେହି କିଛି କରିବା ପୂର୍ବରୁ ଭବାନୀ ବାବୁ ବିଜୁଳି ବେଗରେ ଧାଇଁଯାଇ ପୁଲିସ ବିଜ୍ଞାନଗାର ଅଧ୍ୟକ୍ଷ ଅନାଥବନ୍ଧୁ ସିହ୍ନାଙ୍କୁ କୁଣ୍ଢାଇ ଧରିଲେ । ଡକ୍ଟର ସିହ୍ନାଙ୍କ ହାତରେ ଗୋଟିଏ ରିଭଲଭର । ଆଇ: ଜି. ଙ୍କ ଆଦେଶରେ ଦୁଇଜଣ ଇନସପେକ୍ଟର ଦୌଡ଼ିଯାଇ ଡକ୍ଟର ସିହ୍ନାଙ୍କ ହାତରେ ହାତକଡ଼ା ପିନ୍ଧାଇ ଦେଲେ ।

 

ଠିକ ସେତିକିବେଳେ ଶ୍ରୀମତୀ ଫ୍ଲେମୀ ଛିଡ଼ାହୋଇ ତା ହାତ ବ୍ୟାଗଟି ଖୋଲିବାକୁ ଯାଉଥିଲେ । ଭବାନୀବାବୁ ଫ୍ଲେମୀ ଡକ୍ଟର ଆଇଜାକଙ୍କ ଆଡ଼କୁ ରିଭଲଭର ଲକ୍ଷ୍ୟ କରି ଗମ୍ଭୀର କଣ୍ଠରେ ଆଦେଶ ଦେଲେ– ଦୁଇଜଣଜାକ ହାତ ଉପରର ଟେକି ଛିଡ଼ାହୁଅ ।

 

ଶ୍ରୀମତୀ ଭେରୋନିକା ସାମୁୟେଲ, ତୁମକୁ ମୁଁ ପ୍ରଥମ ଦର୍ଶନରେ ହିଁ ଚିହ୍ନି ପାରିଥିଲି । ଅବଶ୍ୟ ତୁମର ଗୁଣାବଳୀ ବିଷୟରେ ମି: ବେନେଟ୍ ଓ ବମ୍ବେର କଷ୍ଟମ ବିଭାଗ ମୋତେ ସବୁକଥା ଜଣାଇଲେ । ବେନେଟ୍ ସାହେବ ତୁମରିପାଇଁ ବମ୍ବେରୁ ଏତେବାଟ ଧାଇଁ ଆସିଛନ୍ତି ।

 

ତା’ପରେ ମି: ମିଶ୍ରଙ୍କୁ ଚାହିଁ କହିଲେ– ମି: ମିଶ୍ର, ଏଇ ସୁନ୍ଦରୀ ତରୁଣ– ଯେ କି ୧୯୬୭ ମସିହାରେ ମିସ୍ଇଣ୍ଡିଆ ଉପାଧି ପାଇଥିଲା, ତା’ ହାତ ବ୍ୟାଗ୍ ଭିତରେ ଗୋଟିଏ ସାଙ୍ଘାତିକ ରିଭଲଭର ରଖିଛି ଏବଂ ତାର ଲକ୍ଷ୍ୟ ଅତି ଅବ୍ୟର୍ଥ । ଅବିଳମ୍ବେ ତାର ସଙ୍ଗୀ ହାତରେ ହାତକଡ଼ା ପିନ୍ଧାଇ ଦିଅନ୍ତୁ । ଆଉ ଡକ୍ଟର ଆଇଜାକର ପୋର୍ଟଫୋଲିଓ ଖୋଲି ଦେଖନ୍ତୁ । ଅପହୃତ ଜହରତର ଅବଶିଷ୍ଟ ଗୁଡ଼ିକ ପାଇବେ ।

 

ଏହି ସମୟରେ ଇଉସୁଫ୍ ସେଠାରେ ଆସି ପହଞ୍ଚିଲା । ତା ହାତରେ ଗୋଟିଏ ବଡ଼ ହାତ ବ୍ୟାଗ । –ସାର୍ ଡକ୍ଟର ସିହ୍ନାଙ୍କ ଘର ତଲାସ କରି ଦୁଇଲକ୍ଷ ଟଙ୍କା ଜବତ କରିଛି । ସବୁଗୁଡ଼ିକ ଲେଡ଼ି ଡାକ୍ତର ସଂଘମିତ୍ରାକୁ ଇନସୁରେନସ କମ୍ପାନୀ ଦେଇଥିବା ନୋଟ୍ ନମ୍ବର ମିଳିଯାଉଛି ।

 

ଆଇ. ଜି. ଏବେ ସବୁ ବୁଝିପାରିଲେ । ଏସ୍. ପି. ମି: ଦାସଙ୍କ ନିକଟକୁ ଆସି କହିଲେ– କ୍ଷମା କରନ୍ତୁ ମି. ଦାସ । ପ୍ରଚଣ୍ଡ ଗୋଟାଏ ପ୍ରତାରଣା ଉପରେ ବିଶ୍ଵାସ କରି ମୁଁ ଆପଣଙ୍କ ପରି ସାଧୁ ଓ ସଚ୍ଚରିତ୍ର ବ୍ୟକ୍ତିଙ୍କୁ ଭୁଲ ବୁଝିଥିଲି ।

Image